Onn 3

ସାପ ନେଇଗଲା ଦୁଇ ପୁଅଙ୍କ ଜୀବନ

State

ଦେବଗଡ: ଖାଇପିଇ ରାତିରେ ଶୋଇବାକୁ ଯାଇଥିଲେ ଦୁଇଭାଇ । ହେଲେ କିଏ ଜାଣିଥିଲା ଏ ରାତି ତାଙ୍କ ଜୀବନର ଶେଷ ରାତି ଥିଲା ବୋଲି ? କେତେ ଦୁଃଖସୁଖ ହୋଇ ଶୋଇଥିବେ..ସକାଳ ପାଇଁ କେତେ କଥା ଭାବିଥିବେ..ହେଲେ ସକାଳକୁ ଆଉ କିଛି ନ ଥିଲା । ଦୁଇ ଭାଇ ଶୋଇ ଯାଇଥିଲେ ସବୁଦିନ ପାଇଁ । ରାତିରେ ସାପ କାମୁଡାରେ ଚାଲି ଯାଇଥିଲା ଦୁହିଁଙ୍କ ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ଜାଙ୍ଗଲିକୁଦ ଗାଁରେ ।

ଜଙ୍ଗଲିକୁଦ ଗାଁର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ପୁଅ ୧୪ ବର୍ଷର ଗୌରାଙ୍ଗ ଓ ୮ ବର୍ଷର ସୌଭାଗ୍ୟଙ୍କର ସାପକାମୁଡାରେ ମୃତ୍ୟୁ ଘଟିଛି । ଗତକାଲି ରାତିରେ ଖାଇପିଇ ଦୁଇ ଭାଇ ଚଟାଣରେ ବିଛଣା ପକାଇ ଶୋଇ ପଡିଥିଲେ ।  ଶୋଇଥିବାବେଳେ ଚିତି ସାପ କାମୁଡାରେ ଉଭୟଙ୍କର ଜୀବନ ଚାଲି ଯାଇଥିବା ଜଣାଯାଇଛି ।   ପରିବାର ଲୋକେ ସାପକୁ ପିଟି ମାରିଦେବା ସହ ଦୁଇ ପିଲାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି  ।

ଦୁଇ ପୁଅଙ୍କୁ ହରାଇ ଭାଙ୍ଗିପଡିଛନ୍ତି ସର୍ବେଶ୍ୱର ଓ ତାଙ୍କ ପତ୍ନୀ । ଦୁଇ ପୁଅଙ୍କୁ ହରାଇବା ପରେ ସେମାନଙ୍କ କୋଳଶୂନ୍ୟ ହୋଇଯାଇଛି । ଦୁଇ ଶିଶୁଙ୍କ ଅକାଳ ବିୟୋଗରେ  ସ୍ଥାନୀୟ ଅଞ୍ଚଳରେ ବି ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାଥାଉ କି, ୩ ଦିନ ତଳେ  ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତର ନିଶ୍ଚିତପୁର ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ   ରାତିରେ ୨ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମୃତ ଛାତ୍ରଛାତ୍ରୀ ମାନେ ହେଉଛନ୍ତି ୧୨ବର୍ଷିୟ ରାଜା ନାଏକ, ୭ ବର୍ଷିୟ ଏଲିନା ନାଏକ ଓ ୧୦ବର୍ଷିୟ ସ୍ନେହାଶ୍ରୀ ନାଏକ ।  ସେହିପରି ୧୨ବର୍ଷିୟ ଆକାଶ ନାଏକ ନାମକ ଛାତ୍ର ଗୁରୁତର ହୋଇପଡିଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି |