Onn 3

ବିକାଶ ଆଢୁଆଳରେ ଜୟସିଙ୍ଗପୁର ଗାଁ

State

ଆଗରପଡ଼ା:ବର୍ଷା ଋତୁ ଆସିଲା ତଥାପି ନିର୍ମାଣ ହୋଇପାରିଲା ନାହିଁ ସ୍ଥାୟୀ ରାସ୍ତା ଯଦ୍ୱାରା ଲୋକେ ବିପଦ ସଙ୍କୁଳ ପରିସ୍ଥିତିରେ କାଦୁଅ ପଚପଚ ରାସ୍ତାରେ ଯାତାୟାତ କରୁଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ସ୍ଥିତ ଜୟସିଙ୍ଗପୁର ଗାଁ ଠାରେ । ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଡ଼ୁଆଳରେ ରହିଯାଇଛି ଏହି ଗାଁ । ଏହି ଗାଁ କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁôôଃଖ ଓ ଅନୁତାପର ବିଷୟ ଅଟେ । ସବୁଦିନିଆ ରାସ୍ତାଟିଏ ନଥିବାରୁ ଗାଁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏହି ଗାଁରେ ପାଖାପାଖି ୩ଶହ ଲୋକ ବସବାସ କରିଥାନ୍ତି । ପ୍ରାଥମିକ ସ୍କୁଲ ,ଅଙ୍ଗନୱାଡ଼ି ଆଦି ଅନୁଷ୍ଠାନମାନ ଏଠାରେ ରହିଛି ।

ରାସ୍ତା ସମସ୍ୟା ଯୋଗୁଁ ପ୍ରତିବର୍ଷ ଏହି ସମୟରେ ପିଲାମାନେ ଶିକ୍ଷାଲାଭ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଆମ୍ବୁଲାନ୍ସ ରାସ୍ତା ଦୁରାବସ୍ଥା ପାଇଁ ଆସିପାରୁ ନଥିବାରୁ ଗୁରୁତର ରୋଗୀମାନେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିବାକୁ ଅହେତୁକ ବିଳମ୍ବ ଘଟୁଛି । ଦମକଳ ମଧ୍ୟ ଆସିପାରୁ ନଥିବାରୁ ଅଗ୍ନିକାଣ୍ଡ ପରି ଦୁର୍ଘଟଣା ଆୟତ୍ତ କରିବା ଅସମ୍ଭବ ହୋଇପଡ଼ୁଛି । ଏଥିଯୋଗୁଁ ବ୍ୟାପକ ଭାବେ ଧନ ଜୀବନ ହାନୀ ଘଟୁଛି । କାଦବରାଙ୍ଗ ସ୍ଥିତ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାକୁ ଏହି ଗାଁ ରାସ୍ତା ଟି ସଂଯୋଗ କରୁଛି । ବହୁ ବର୍ଷ ପୂର୍ବେ ଗାଁ ଶେଷମୁଣ୍ଡ ଆଡ଼କୁ ମାତ୍ର ଶହେ ମିଟର ପାଖାପାଖି କଂକ୍ରିଟ ହୋଇଥିଲା । ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏହାକୁ ଛାଡ଼ି ମାଟି ରାସ୍ତା ପୁରାପୁରି ନଷ୍ଟ ହୋଇଯାଇଛି ।

ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ଓ ବର୍ତ୍ତମାନ ବର୍ଷାଋତୁ ଚାଲୁଥିବାରୁ ସାଇକେଲଟିଏ ମଧ୍ୟ ସୁବିଧାରେ ଯାଆଆସ କରିପାରୁନାହିଁ । ସଂଧ୍ୟା ପରେ ଆସିବା ମାନେ ବିପଦକୁ ଡ଼ାକିବା । କିଛି ଦିନ ହେବ ବର୍ଷା ଲାଗି ରହିଥିବାରୁ ଲୋକମାନେ ସାଇକେଲକୁ କାନ୍ଧେଇ ଓ ପ୍ୟାଣ୍ଟ କୁ ମୋଡ଼ି ଯାଆଆସ କରୁଛନ୍ତି । ସବୁ ଗାଁ ରାସ୍ତା କଂକ୍ରିଟ ହେଉଥିବା ବେଳେ ଜୟସିଙ୍ଗପୁର ଗାଁ ରାସ୍ତା ଅବସ୍ଥାରେ ପରିବର୍ତ୍ତନ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳନିର୍ଦ୍ଦେଶ କରୁଛି । ତେଣୁ ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।