Defult onn2

ପ୍ରଶାସନିକ ଉଦାସୀନତାର ନମୁନା, ଦୁଇ ଗ୍ରାମବାସୀଙ୍କ ପାଇଁ ସ୍ଥାୟୀ ରାସ୍ତା ସ୍ୱପ୍ନ

State

ଆଗରପଡ଼ା:କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କର ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ପ୍ରଶାସନିକ ସ୍ତରରେ ଉଦାସୀନତାରୁ ଯୋଜନା କେବଳ କାଗଜ କଲମରେ ରହିଯାଉଛି ; ଯାହାକି ବାଙ୍କତିରା-ତୁମ୍ଭାପଦୀ ଗାଁ ରାସ୍ତାକୁ ଦେଖିଲେ ଜଣାପଡ଼ୁଛି । ଏହି ଗାଁର ଅବସ୍ଥା ନିଜ ଆଖିରେ ନଦେଖିଲେ ଅନୁଭବ କରିବା କଷ୍ଟକର । ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ୨ନଂ, ୩ନଂ ଓ ୪ନଂ ୱାର୍ଡ଼ ଅର୍ନ୍ତଗତ ବାଙ୍କତିରା ଓ ତୁମ୍ଭାପଦୀ ଦୁଇଟି ଗାଁ । ଏହି ୨ଟି ଗାଁ ସ୍ୱାଧିନତାର ୭୫ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ସାମାନ୍ୟ ମୌଳିକ ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଆସୁଛନ୍ତି,ଯାହାକି ବଡ଼ ଦୁଃଖ ଓ ଅନୁତାପର ବିଷୟ । ଏହି ଦୁଇ ଗ୍ରାମର ଲୋକ ସଂଖ୍ୟା ପାଖାପାଖି ୧୮୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ବାଙ୍କତିରା ସ୍କୁଲ ଠାରୁ ଏକ ମୋରମ ରାସ୍ତା ଏହାକୁ ସଂଯୋଗ କରୁଛି ।

ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବ ନୁହେଁ । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ବାଙ୍କତିରା ସ୍କୁଲକୁ ,ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ବାଙ୍କତିରା ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ତ୍ତମାନ ବର୍ଷା ଋତୁ ଚାଲୁଥବବାରୁ ସାମାନ୍ୟ ବର୍ଷା ହେବା ମାତ୍ରେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏ ପାଣି ଜମା ହୋଇ ଯାଉଛି । ଯଦ୍ୱାରା ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତାଟି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ସରମରା ଗାଁକୁ ମଧ୍ୟ ସଂଯୋଗ କରୁଛି । ରାସ୍ତା ଅବସ୍ଥା ଯୋଗୁଁ ଦମକଳ ଓ ଆମ୍ବୁଲାନ୍ସ ଆସି ପହଂଚୁଥିଲେ ମଧ୍ୟ ଏହାର ସୁବିଧା ଗ୍ରାମବାସୀ ପାଇ ପାରୁନାହାନ୍ତି । ଏହି ପରି ଅସମ୍ଭବ ପରିସ୍ଥିତରେ ଏହି ଗ୍ରାମର ଲୋକେ କାଳାତିପାତ କରୁଛନ୍ତି । ରାସ୍ତା ଅବସ୍ଥା ଯୋଗୁଁ ଗ୍ରାମବାସୀମାନେ ପ୍ରତିଦିନ ବ୍ଲକ ଓ ତହସିଲ ଆଦି କାର୍ଯ୍ୟାଳୟକୁ ଅଧିକ ଦୂରବର୍ତ୍ତୀ ରାସ୍ତାଦେଇ ଯାଆଆସ କରୁଛନ୍ତି । ଅଡ଼ାଳପଙ୍କ ଓ ବରପଦା ଦେଇ ଗଲେ ଅଧିକ ଖର୍ଚ୍ଚାନ୍ତ ହେବାସହ ଅଯଥାରେ ସମୟ ଅପଚୟ ହେଉଛି । ଗତ ୬ବର୍ଷ ମଧ୍ୟରେ ଭକ୍ତ ରାସ୍ତାରେ ସାଂସଦଙ୍କ ପାଣ୍ଠିରୁ ୨ଲକ୍ଷ, ବିଧାୟକ ପାଣ୍ଠିରୁ ୨ଲକ୍ଷ,ତିତିଲି ଅନୁଦାନରୁ ୩ଲକ୍ଷ,ଅମ୍ପନ ଅନୁଦାନରୁ ୧.୫ଲକ୍ଷ,ରାସ୍ତା ଏବଂ ପୋଲ କାର୍ଯ୍ୟର ରକ୍ଷଣାବେକ୍ଷଣ ବାବଦରେ ୫ଲକ୍ଷ ଖର୍ଚ୍ଚ ଆଦି ବିଭିନ୍ନ ଅନୁଦାନରେ ଏହି ରାସ୍ତା ମରାମତି ହେଇଥିଲେ ସୁଦ୍ଧା ସ୍ଥାୟୀ ରାସ୍ତାଟିଏ ହୋଇପାରୁନାହିଁ ।

ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ରାସ୍ତା ବାବଦରେ ସ୍ୱର ଉତ୍ତୋଳନ କଲେ ମଧ୍ୟ କିଛି ସୁଫଳ ପାଇପାରୁନଥିବା ଅଭିଯୋଗ କରିଥାନ୍ତି । ଗତବର୍ଷ ଅକ୍ଟୋବର ମାସରେ ଉକ୍ତ ଗ୍ରାମର ପ୍ରମୁଖ ଗ୍ରାମବାସୀ ତୁରନ୍ତ ଉକ୍ତ ରାସ୍ତା ମରାମତି କରାନଗଲେ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ପରେ ଉକ୍ତ ଗାଁକୁ ଏମଜିଏନଆରଇଜିଏସ ଯୋଜନାରେ ୫ ଲକ୍ଷ ଟଙ୍କା ମଂଜୁର କରାଯାଇ ରାସ୍ତା ନିର୍ମାଣ ହୋଇଥିଲା କିନ୍ତୁ ସ୍ଥାୟୀ ରାସ୍ତାଟିଏ ନିର୍ମାଣ ହୋଇ ପାରୁନଥିବାରୁ ରାସ୍ତା ପୁଣି ଅବସ୍ଥାକୁ ଫେରି ଆସିଲାଣି । ରେଣୁ ଉକ୍ତ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।