Onn 3

ହୀରାକୁଦ ରେଳ ଷ୍ଟେସନର ହେବ ପୁନଃ ବିକାଶ

State

ସମ୍ବଲପୁର: ଭାରତୀୟ ରେଳବାଇ ଅର୍ନ୍ତଗତ ପୁର୍ବତଟ ରେଳବାଇର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ବଲପୁର ଗସ୍ତରେ ଆସି ମଣ୍ଡଳ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। ଶୀ ଶର୍ମା ସରଲା ଷ୍ଟେସନରେ ମାଲବାହୀ ରେଳ ୱାଗନ ଗୁଡିକର ରୁଟିନ ଓଭର ହାଉଲିଂ ସୁବିଧା ସହିତ ମାଲବାହୀ ରେଳଗାଡି ଗୁଡିକର ରକ୍ଷଣାବେକ୍ଷଣ ସୁବିଧା ନିରୀକ୍ଷଣ କରିଥିବା ବେଳେ ହୀରାକୁଦ ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ପାଇଁ ନିରୀକ୍ଷଣ ମଧ୍ୟ କରିଥିଲେ। ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ସହିତ ହୀରାକୁଦ ଷ୍ଟେସନ ନିରୀକ୍ଷଣ ସମୟରେ ସେଠାରେ ନିର୍ମାଣାଧିନ ଆରଓଏଚ ମଧ୍ୟ ଦେଖିଥିଲେ। ମଣ୍ଡଳ ଅର୍ନ୍ତଗତ ଅଞ୍ଚଳରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ଶିଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ସରଲା ଷ୍ଟେସନରେ ମାଲବାହୀ ରେଳ ୱାଗନ ଗୁଡିରକ ରୁଟିନ ଓଭର ହାଉଲିଂ ସୁବିଧା ସହିତ ମାଲବାହୀ ରେଳ ରକ୍ଷଣାବେକ୍ଷଣର ସୁବିଧା ପାଇଁ ୨୦୧୭ – ୧୮ ମସିହାରେ ଅନୁମୋଦନ କରାଯାଇଥିଲା। ଏହା ପୂର୍ବରୁ ମାନେଶ୍ୱର ଷ୍ଟେସନ ଠାରେ ପ୍ରତିଷ୍ଠା ହେବାକୁ ପ୍ରସ୍ତାବିତ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପକୁ ସରଲା ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି। ଏଥି ପାଇଁ ୧୪୯.୩୭ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ଇତି ମଧ୍ୟରେ ୬୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହାକୁ ଯଥାଶିଘ୍ର ଶେଷ କରିବାକୁ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପ୍ରକଳ୍ପ ଶେଷ ହେବା ପରେ ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରାଇବା ଏବଂ ମାଲବାହୀ ରେଳ ରକ୍ଷଣାବେକ୍ଷଣ ଜନିତ ସୁବିଧା ବେଶ ବୃଦ୍ଧି ହେବ।

ହୀରାକୁଦ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଷ୍ଟେସନର ଭିତ୍ତିଭୂମି ବିକାଶର କାର୍ଯ୍ୟ ନିରୀକ୍ଷଣ କରିବା ସହିତ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏହାର ପୁନଃ ବିକାଶ କାର୍ଯ୍ୟ ଖୁବ ଶିଘ୍ର ହେବ ବୋଲି କହିଥିଲେ। ସମୀକ୍ଷା ବୈଠକ ଓ ପରିଦର୍ଶନ ସମୟରେ ସମ୍ବଲପୁର ରେଳ ମଣ୍ଡଳ ଅଧିକାରୀ ବିନୀତ ସିଂ ଙ୍କ ସମେତ ରେଳ ମଣ୍ଡଳର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।