Onn 3

ହାତୀ ଆକ୍ରମଣରେ ୨ ମୃତ

State

ବେତନଟୀ : ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବେତନଟୀ ରେଞ୍ଜ ବଡ଼ାମପୁର ସେକ୍ସନ ଅଧୀନ ପଥରଚାଟିଆ ଗାଁରେ ଶୁକ୍ରବାର ସକାଳେ ଶୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୁଣ୍ଡକୁ ଦନ୍ତା ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଗାଁର ଚାମି ରାମ (୭୦) । ବେତନଟୀ ରେଞ୍ଜର ଘନଶ୍ୟାମ ସିଂଙ୍କ ସୂଚନା ମୁତାବକ, ଏକ ୫ ଟିକିଆ ହାତୀପଲ ବଡାମପୁର ସେକ୍ସନ ଅଞ୍ଚଳରେ ବିଚରଣ କରୁଥିବା ବେଳେ ଶୁକ୍ରବାର ସକାଳେ ପଥରଚାଟିଆ ଗାଁରେ ପ୍ରବେଶ କରିଥିଲେ । ଗାଁ ବାହାରେ ଏକ ପଲିଥିନରେ ଅସ୍ଥାୟୀ ଚାଳିକରି ରହୁଥିବା ଚାମି ରାମ ଗରମ ଓ ଗୁଳୁଗୁଳି ପାଇଁ ଚାଳି ବାହାରେ ଶୋଇଥିଲେ ।

ହାତୀପଲ ଯିବା ସମୟରେ ଏକ ବଣୁଆ ହାତୀର ଗୋଡ଼ ଚାମିଙ୍କ ମୁଣ୍ଡ ଉପରେ ପଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଚାମିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ସେହିପରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ମହାଲୁଣ୍ଡା ପଞ୍ଚାୟତ ମାଗୁବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାଁ ସାହେବ ରାଉତ । ସେ ଆଜି ସକାଳେ ଶୌଚ ପାଇଁ ଗାଁ ନିକଟସ୍ଥ ଗଡ଼ିଆକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ । ଦନ୍ତା ସାହେବଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଫଳରେ ଘଟଣାସ୍ଥଳରେ ହିଁ ସାହେବଙ୍କ ମୃତ୍ୟୁ ଘଟିଥିଲା ।