Onn 3

ଜଣେ କର୍ମଚାରୀରେ ଚାଲିଛି ଡ଼ାକସେବା

State

ଆଗରପଡ଼ା: ଜଣେ କର୍ମଚାରୀ ଡ଼ାକସେବା ଯୋଗାଇ ଆସୁଛନ୍ତି । ସେ ପୁଣି କେହି ନୁହେଁ ଖୋଦ ପୋଷ୍ଟମାଷ୍ଟର । ଉକ୍ତ କଥାଟି କାନକୁ ଭଲ ଶୁଭୁନଥିଲେ ମଧ୍ୟ ଏହା ସତ । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ବିଟିପୁର ଉପଡ଼ାକଘର ଠାରେ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଏହାର ସମାଧାନ କରୁନଥିବାରୁ ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଡ଼ାକସେବାକୁ ନେଇ ଚିନ୍ତାରେ ପଡ଼ିଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ଇଣ୍ଟରନେଟ୍ ମାଧ୍ୟମରେ ସବୁ କାର୍ଯ୍ୟ ସଂପାଦନ ହେଉଥିବାରୁ ଏଠାରେ ଗ୍ରାହକ ମାନେ ଠିକ ଭାବେ ସେବା ପାଉନଥିବାର ଅଭିଯୋଗ ମାନ ହେଉଛି । ଏହି ଉପଡ଼ାକଘର ଉପରେ ପ୍ରାୟ ୭ହଜାର ଗ୍ରାହକ ନିର୍ଭର କରିଆସୁଥିବା ବେଳେ ପ୍ରତିମାସ ଏହି ଡାକଘରେ ପ୍ରାୟ ୨୦ଲକ୍ଷ ଟଙ୍କାର ଦେଣନେଣ କାର୍ଯ୍ୟ ଚାଲିଥିବା ବେଳେ ଗ୍ରାହକମାନେ ଠିକ୍‌ଭାବେ ସେବା ପାଇପାରୁନଥିବାରୁ ଦେଶର ସର୍ବ ବୃହତ୍ତ ଯୋଗାଯୋଗ ବ୍ୟବସ୍ଥା ଭାବେ ପରିଗଣିତ ଡ଼ାକବିଭାଗ ଉପରୁ ଲୋକମାନଙ୍କର କ୍ରମଶଃ ଆସ୍ଥା ହ୍ରାସ ପାଇବାରେ ଲାଗିଛି ।

ସମଗ୍ର ବନ୍ତ ବ୍ଲକରେ ବନ୍ତ, ବସନ୍ତିଆ ଓ ଆଗରପଡ଼ାରେ ଉପଡ଼ାକଘର ରହିଛି । କେବଳ ବନ୍ତକୁ ଛାଡ଼ି ଦେଲେ ଅନ୍ୟ ଦୁଇଟି ଉପଡ଼ାକଘର ଭଡ଼ାଘରେ ଚାଲିଛି । ବହୁ ପୁରାତନ ବିଟିପୁର ଉପଡ଼ାକଘରର ନିଜସ୍ୱ ସ୍ଥାନ ନିରୂପଣ ସରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସ୍ଥାୟୀ ଗୃହ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇ ପାରୁନଥିବାର ଦୋକାନ ଗୃହ ଉଦ୍ଦେଶ୍ୟରେ ନିର୍ମିତ ଭଡ଼ାଗୃହରେ ବର୍ତ୍ତମାନ ଡାକଘର ଚାଲିଛି । ଏହା ଭଡ଼ାଘରେ ଚାଲିବା ସହ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି । ଯାହାକି ଏହି ଉପଡ଼ାକଘର ଉପରେ ନିର୍ଭର କରିଆସୁଥିବା ଗ୍ରାହକ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରୁଛି । ବର୍ତ୍ତମାନ ଆଗରପଡ଼ା ଉପଡ଼ାକଘରେ କୋରବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇଥିବାବେଳେ ଏହା ଅଧିନରେ ୮ଟି ଶାଖା ଡ଼ାକଘର ରହିଥିବା ସ୍ଥଳେ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଦିନକୁ ଦିନ ଗ୍ରାହକମାନଙ୍କ ଅସନ୍ତୋଷ ଭାବ ବଢିବାରେ ଲାଗିଛି । ଉକ୍ତ ଡ଼ାକଘରେ କେବଳ ପୋଷ୍ଟମାଷ୍ଟର ସମସ୍ତ କାର୍ଯ୍ୟ ତୁଲାଇ ଆସୁଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷ ଦ୍‌ୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।