Onn 3

ଅଣଧୁଆ ଗାଁ ରାସ୍ତା ମରଣଯନ୍ତା

State

ଆଗରପଡ଼ା: ବର୍ଷା ଋତୁ ଆସିଲା ତଥାପି ନିର୍ମାଣ ହୋଇପାରିଲା ନାହିଁ ସ୍ଥାୟୀ ରାସ୍ତା । ଯଦ୍ୱାରା ଲୋକେ ବିପଦ ସଙ୍କୁଳ ପରିସ୍ଥିତିରେ କାଦୁଅ ପଚପଚ ରାସ୍ତାରେ ଯାତାୟାତ କରୁଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ସ୍ଥିତ ଅଣଧୁଆ ଗାଁ ଠାରେ । ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଡ଼ୁଆଳରେ ରହିଯାଇଛି ଏହି ଗାଁ । ଏହି ଗାଁ କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁôôଃଖ ଓ ଅନୁତାପର ବିଷୟ ଅଟେ । ସବୁଦିନିଆ ରାସ୍ତାଟିଏ ନଥିବାରୁ ଗାଁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏହି ଗାଁରେ ପାଖାପାଖି ଦେଢଶହ ଲୋକ ବସବାସ କରିଥାନ୍ତି ।

ସ୍କୁଲ,କଲେଜ,ଅଙ୍ଗନୱାଡ଼ି ଆଦି ଅନୁଷ୍ଠାନମାନଙ୍କୁ ରାସ୍ତା ସମସ୍ୟା ଯୋଗୁଁ ପ୍ରତିବର୍ଷ ଏହି ସମୟରେ ପିଲାମାନେ ଶିକ୍ଷାଲାଭ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଆମ୍ବୁଲାନ୍ସ ରାସ୍ତା ଦୁରାବସ୍ଥା ପାଇଁ ଆସିପାରୁ ନଥିବାରୁ ଗୁରୁତର ରୋଗୀମାନେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିବାକୁ ଅହେତୁକ ବିଳମ୍ବ ଘଟୁଛି । ଦମକଳ ମଧ୍ୟ ଆସିପାରୁ ନଥିବାରୁ ଅଗ୍ନିକାଣ୍ଡ ପରି ଦୁର୍ଘଟଣା ଆୟତ୍ତ କରିବା ଅସମ୍ଭବ ହୋଇପଡ଼ୁଛି । ଏଥିଯୋଗୁଁ ବ୍ୟାପକ ଭାବେ ଧନ ଜୀବନ ହାନୀ ଘଟୁଛି । ବନ୍ତ-ଆଗରପଡ଼ା ମୁଖ୍ୟ ରାସ୍ତାକୁ ଏହି ଗାଁ ରାସ୍ତା ଟି ସଂଯୋଗ କରୁଛି । ଗତ ବର୍ଷର୍ ଗାଁ ଶେଷମୁଣ୍ଡ ଆଡ଼କୁ ଓ ଆରମ୍ଭରୁ ମାତ୍ର ୨୦୦ ମିଟର ପାଖାପାଖି କଂକ୍ରିଟ ହୋଇଥିଲା । ଏହାକୁ ଛାଡ଼ି ମାଟି ରାସ୍ତା ପୁରାପୁରି ନଷ୍ଟ ହୋଇଯାଇଛି ।

ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ଓ ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ଅସରାଏ ବର୍ଷାରେ ସାଇକେଲଟିଏ ମଧ୍ୟ ସୁବିଧାରେ ଯାଆଆସ କରିପାରୁନାହିଁ । ସେହିପରି ଗ୍ରାମବାସୀମାନେ ରାସ୍ତା ସମସ୍ୟା ଯୋଗୁଁ ବ୍ଲକ ଆଦି ସ୍ଥାନକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଂଧ୍ୟା ପରେ ଆସିବା ମାନେ ବିପଦକୁ ଡ଼ାକିବା ସହ ସମାନ । ତେଣୁ ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।