ମାଉସୀ ମା ମନ୍ଦୀରରେ ବଡ ଠାକୁର , ବଡଦାଣ୍ଡ ନାଭିକେନ୍ଦ୍ରରେ ଅଟକିଲେ ମା ସୁଭଦ୍ରା
ରଥ ଖଳାରେ ମହାପ୍ରଭୁ ଜଗନ୍ନାଥ, ମହିଳା ଟାଣିଲେ ସୁଭଦ୍ରା ଙ୍କ ରଥ
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରାର ଆଜି ବଡ ଦାଣ୍ଡରେ ଗଡିଲା ରଥ ଚକ । ଆଜିକାର ପାଗଥିଲା ବେଶ ଅନୁକୂଳ । ଆକାଶ ଥିଲା ସାମାନ୍ୟ ମେଘାଛନ୍ନ । ବୋହୁଥିଲା ସୁଲୁସୁଲିଆ ଥଣ୍ଡା ପବନ । ଭକ୍ତ ଉକ୍ରଣ୍ଠାର ସହିତ ଅପେକ୍ଷା କରିଥିଲେ ଆଜିକାର ଏହି ଘୋଷଯାତ୍ରାକୁ । ଆଜି ବଡଦାଣ୍ଡ ପାଲଟିଥିଲା ଲୋକାରଣ୍ୟ । ଗତକାଲି ମଙ୍ଗଳବାର ତିନି ଦିଅଁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ । ଦ୍ୱିତୀୟ ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ପହଣ୍ଡି ପର ଦୁଇ ଦିନ ଧରି ରଥଟଣା ହୋଇଥାଏ । ଆଜି ରଥଟଣା ପ୍ରଥମ ଦିନରେ ବଡ ଦାଣ୍ଡରେ ପ୍ରଥମେ ଗଡିଲା ବଡ ଠାକୁର ବଳଭଦ୍ର ଙ୍କ ତାଳଧ୍ୱଜ ରଥ । ପୂର୍ବରୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ହୋଇଥିବା ରଥଟଣା ସମୟ ରୁ ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟକ୍ରମ । ବଡ ଠାକୁର ପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ଅତି ଉତ୍କଣ୍ଠା ଓ ଆନନ୍ଦର ସହିତ ଟାଣୁଥିବାର ଦେଖିବାକୁ ମିଳିଥିଲା । ଶଙ୍ଖ , ହୁଳୁହୁଳି , ଘଣ୍ଟ ଘଣ୍ଟା , ହରିବୋଲ , ସଂକୀର୍ତ୍ତନ , ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ବଡଦାଣ୍ଡ । ମଝିରେ ମଝିରେ ଦମକଳ ବାହିନୀ ପକ୍ଷରୁ ଭକ୍ତମାନଙ୍କ ଉପରକୁ ପାଣି ଛିଞ୍ଚନ କରାଯାଉଥିବାବେଳେ ଭକ୍ତମାନେ ଆହୁରି ଆନନ୍ଦରେ ନାଚି ଉଠୁଥିଲେ । ବଡ ଠାକୁର ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ଭକ୍ତମାନଙ୍କ ଗହଣରେ ଆସି ପହଞ୍ଚି ଥିଲେ ମାଉସୀ ମା ମନ୍ଦିର ସମ୍ମୁଖରେ ।
ଏହାପରେ ମା ସୁଭଦ୍ରାଙ୍କ ଦର୍ପଦୋଳନ ରଥ ଟଣା ସନ୍ଧ୍ୟା ପୂର୍ବରୁ ଶେଷ ହୋଇଥିଲା । ପ୍ରଥମ ଦିନରେ ମା ସୁଭଦ୍ରାଙ୍କ ଦର୍ପଦୋଳନ ରଥ ପୂର୍ବପ୍ରଥା ତଥା ପରମ୍ପରା ଅନୁଯାୟୀ କେବଳ ମହିଳାମାନେ ଟାଣିଥିଲେ । ମା ସୁଭଦ୍ରା ଙ୍କ ରଥଟଣା ଦର୍ପଦୋଳନ ରଥ ବଡଦାଣ୍ଡର ନାଭିକେନ୍ଦ୍ର ତଥା ଟାଉନ ଥାନା ସମ୍ମୁଖରେ ପହଞ୍ଚିବା ପରେ ଆଜିକାର ରଥଟଣା କାର୍ଯ୍ୟ ସମ୍ପୂନ୍ନ ହୋଇଥିଲା । ଆସନ୍ତା କାଲି ଗୁରୁବାର ରଥ ଟଣା ର ଦ୍ୱିତୀୟ ଦିବସରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ କରାଯାଇଥିବା ସମୟ ଅନୁଯାୟୀ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ମା ସୁଭଦ୍ରା ଙ୍କ ଦର୍ପଦୋଳନ ରଥ ମହିଳମାନ ଙ୍କ ଗହଣରେ ଆସି ପହଞ୍ଚିବ ମାଉସୀମା ମନ୍ଦିର ପାଖରେ । ପରେ ପରେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଭକ୍ତ ମାନଙ୍କ ଗହଣରେ ଆସି ପହଞ୍ଚିବ ମାଉସୀମା ମନ୍ଦିର ନିକଟରେ । ଆସନ୍ତକାଲି ତିନି ଠାକୁର ଙ୍କୁ ଭକ୍ତମାନେ ମାଉସୀମା ମନ୍ଦିର ନିକଟରେ ରଥ ଉପରେ ଦର୍ଶନ କରିବେ । ଦ୍ୱିତୀୟ ଶ୍ରୀକ୍ଷେତ୍ରର ଘୋଷଯାତ୍ରା ଏବଂ ଏପରି ଏକ ଭିନ୍ନ ପ୍ରକାର କେବଳ ମହିଳା ମାନଙ୍କ ଦ୍ୱାରା ମା ସୁଭଦ୍ରାଙ୍କ ରଥକୁ ଟାଣିବା ପାଇଁ ଖାଲି ବାରିପଦା ନୁହେଁ ସାରା ଜିଲା ତଥା ଜିଲା ବାହାରୁ ଏପରିକି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ମଧ୍ୟ ଭକ୍ତ ମାନଙ୍କର ଭିଡ ଲାଗିଥିଲା ବଡଦାଣ୍ଡରେ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବଡଦାଣ୍ଡକୁ ସମ୍ପୂନ୍ନ ଭାବେ ସିସି କ୍ୟାମେରା ଦ୍ୱାରା ନିୟନ୍ତ୍ରଣ କରାଯାଇଥିଲା ।
ପ୍ରଶାସନ ପକ୍ଷରୁ ଜିଲାପାଳ ବିନୀତ ଭରଦ୍ୱାଜ , ଉପ ଜିଲାପାଳ ତଥା ଦେବୋତ୍ତୋ ଅଧିକାରୀ, ଅତିରିକ୍ତ ଜିଲାପାଳ , ଆରକ୍ଷୀ ଅଧିକ୍ଷକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଏସଡିପିଓ , ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଟଣାକୁ ଶୃଙ୍ଖଳିତ ଭାବେ ସମ୍ପୂନ୍ନ କରିଥିଲେ । ଏହି ରଥଟଣାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୁଦାମ ମାରାଣ୍ଡି , ପୂର୍ବତନ ବିଧାୟକ ମହାରାଜା ମହାରାଜା ପ୍ରବୀଣ ଚନ୍ଦ୍ର ଭଞଦେଓ , ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ , ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ନଗରପାଳ କୃଷ୍ନାନନ୍ଦ ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ । ବଡଦାଣ୍ଡରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଧାରା ବିବରଣୀ ପ୍ରଦାନ କରାଯାଇଥିବା ବେଳେ ରଥ ଉପରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ । ବଡଦାଣ୍ଡରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଥଣ୍ଡା ପାନୀୟ ଜଳ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା ।