Onn 3

ମାତୃହନ୍ତା ପୁଅକୁ ପିଟିପିଟି ମାରିଦେଲେ ବାପା ଓ ଭାଇ

Crime State

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କବାଟଘାଟି ଗାଁରେ ଗତ ୧୪ ତାରିଖ ରାତିରେ ଡବଲ ମର୍ଡର ଘଟଣାକୁ ୭୨ ଘଣ୍ଟା ବିତିଛି କି ନାହିଁ ପୁଣି ରାଇବଣିଆ ପଞ୍ଚାୟତ ରୁପାଦିଘୀ ଗାଁରେ ଆଜି ଆଉ ଏକ ହତ୍ୟାକାଣ୍ଡ ଘଟିଛି। ୩ ବର୍ଷ ତଳେ ମାଆକୁ ହତ୍ୟା କରି ଫେରାର ଥିବା ଜଣେ ଯୁବକକୁ ଆଜି ସକାଳେ ବାପପୁଅ ପିଟି ପିଟି ମାରି ଦେଇଛନ୍ତି। ଆଜି ବିଶ୍ୱ ପିତୃ ଦିବସରେ ଏହି ହତ୍ୟାକାଣ୍ଡ ଘଟଣାଟି ଜଳେଶ୍ଵର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ବିବରଣୀରୁ ପ୍ରକାଶ ଯେ ଆଜକୁ ପ୍ରାୟ ୩ ବର୍ଷ ତଳେ ରାଇବଣିଆ ପଞ୍ଚାୟତ ରୁପାଦିଘୀ ଗ୍ରାମର ରଥ ମାରାଣ୍ଡିଙ୍କ ପୁଅ ସୁଶାନ୍ତ (୩୫) ନିଜ ମା ଜବା ମାରାଣ୍ଡିକୁ ହତ୍ୟା କରି ଫେରାର ହୋଇ ଯାଇଥିଲା। ଜବା ସ୍ଥାନୀୟ ନଟାବାଡ ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ତେବେ ମା’କୁ ହତ୍ୟା କରି ଫେରାର ଥିବା ସୁଶାନ୍ତ ମଝିରେ ମଝିରେ ଗାଁକୁ ଆସି ନିଜ ବାପା ଓ ଭାଇକୁ ଧମକଚମକ ଦେବା ସମ୍ପତ୍ତିରୁ ଭାଗ ଆଦି ମାଗିବା ସହ ପୁଣି ଫେରାଇ ହୋଇଯାଏ। ବଡ଼ପୁଅର ଏପରି ବ୍ୟବହାରରେ ଅତିଷ୍ଠ ହୋଇ ରଥ ଓ ତାଙ୍କ ସାନପୁଅ ପ୍ରଶାନ୍ତ (୩୦) ହାତୀଗଡ଼ରେ ଭଡା ନେଇ ରହୁଛନ୍ତି।

ଗତ ୧୪ ତାରିଖରୁ ସୁଶାନ୍ତ ଗାଁକୁ ଆସି ବାପା ଓ ଭାଇକୁ ପୁଣି ଧମକ ଦେଇଥିଲା। ଏପରିକି ଗତକାଲି ନଟାବାଡ ହାଟକୁ ରଥ ଯାଇଥିବା ବେଳେ ସୁଶାନ୍ତ ସେଠାରେ ତାଙ୍କୁ ଗାଳିଗୁଲଜ ସହ ଧମକଚମକ ଦେଇ ଟଣାଓଟରା କରିଥିଲା। ଆଜି ଏନେଇ ରଥ ଓ ତାଙ୍କ ସାନ ପୁଅ ପ୍ରଶାନ୍ତ ରୁପାଦିଘୀ ଗାଁକୁ ଯିବା ସହ ସୁଶାନ୍ତ ଏମିତି କାହିଁକି ହେଉଛି ବୋଲି ପଚାରିବାରୁ ସୁଶାନ୍ତ ଉତ୍ତେଜିତ ହୋଇଥିଲା। ଏହି ସମୟରେ ରଥ ଓ ପ୍ରଶାନ୍ତ ମଧ୍ୟ ହିତାହିତ ଜ୍ଞାନ ଭୁଲି ସୁଶାନ୍ତକୁ ଠେଙ୍ଗା ସାହାଯ୍ୟରେ ପିଟି ପିଟି ମାରିଦେଇଥିଲେ। ଏହି ଖବର ପାଇ ରାଇବଣିଆ ଥାନା ପୁଲିସ ସେଠାରେ ପହଞ୍ଚିବା ପରେ ଉଭୟ ବାପପୁଅ କୁହାଯାଉଥିବା ରଥ ଓ ତାଙ୍କ ପୁଅ ପ୍ରଶାନ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିବା ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୁଲିସ ଅଭିଯୁକ୍ତ ବାପପୁଅକୁ ଅଟକ ରଖି ଜେରା କରୁଛି। ରାଇବଣିଆ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।