Onn 3

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଆଗରୁ କାର୍‌ରେ ‘ଏନ୍‌ମୋଦୀ’ ନମ୍ବର୍‌ ପ୍ଲେଟ୍‌ ଲଗାଇଲେ ଭାରତୀୟ ବଂଶୋଦ୍ଭବ

National & International

ମେରିଲାଣ୍ଡ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଆମେରିକା ଗସ୍ତ ଆଗରୁ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରଶଂସକ ନିଜ କାର୍‌ରେ ‘ଏନ୍‌ମୋଦୀ’ ଲେଖାଥିବା ନମ୍ବର ପ୍ଲେଟ୍‌ ଲଗାଇଛନ୍ତି।
ଆମେରିକାର ମେରିଲାଣ୍ଡ୍‌ରେ ବାସ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କର ରାଘବେନ୍ଦ୍ର ନାମକ ଏହି ପ୍ରଶଂସକ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେଉଛନ୍ତି ତାଙ୍କ ପାଇଁ ପ୍ରେରଣା। ତାଙ୍କୁ ଆମେରିକାକୁ ସ୍ବାଗତ କରିବା ଲାଗି ସେ ବ୍ୟାକୁଳ ମନରେ ଅପେକ୍ଷା କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ୨୦୧୬ ନଭେମ୍ବର ମାସରେ ମୁଁ ପ୍ରଥମେ ଏହି ନମ୍ବର ପ୍ଲେଟ୍‌ ଆଣିଥିଲି। ନରେନ୍ଦ୍ର ମୋଦୀ ହେଉଛନ୍ତି ମୋର ପ୍ରେରଣା। ଦେଶ, ସମାଜ ଓ ବିଶ୍ବର ମଙ୍ଗଳ ପାଇଁ କାମ କରିବା ଲାଗି ସେ ମୋତେ ପ୍ରେରିତ କରନ୍ତି। ପ୍ରଧାନମନ୍ତ୍ରୀ ଏଠାକୁ ଆସିବେ। ତେଣୁ, ତାଙ୍କୁ ସ୍ବାଗତ କରିବାକୁ ମୁଁ ବ୍ୟାକୁଳ ହୋଇ ଅପେକ୍ଷା କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ଶୁକ୍ରବାର ଦିନ ୱାସିଂଟନ୍‌ ଡି.ସି.ସ୍ଥିତ ହ୍ବାଇଟ୍‌ ହାଉସ୍‌ ବାହାରେ ଭାରତୀୟ ଜାତୀୟ ପତାକା ଉଡ଼ାଯାଇଥିଲା।
ନ୍ୟୁଜର୍ସିରେ ବାସ କରୁଥିବା ଭାରତୀୟ ନାଗରିକ ଜେସାଲ୍‌ ନାର୍‌ କହିଛନ୍ତି, ତ୍ରିରଙ୍ଗା ଦେଖିବା ବାସ୍ତବରେ ସମ୍ମାନ ଓ ଗ‌ୌରବର ବିଷୟ। କ‌ୌଣସି କାମରେ ଆମେରିକାର ଯେକୌଣସି ପ୍ରାନ୍ତକୁ ଗଲେ ମୁଁ ତ୍ରିରଙ୍ଗା ନେଇ ଯାଇଥାଏ।
ସୂଚନାଯୋଗ୍ୟ, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମ‌ୋଦୀ ଯୁକ୍ତରାଷ୍ଟ୍ର ଆମେରିକାକୁ ‘ଷ୍ଟେଟ୍‌ ଭିଜିଟ୍‌’ରେ ଯିବେ। ତେଣୁ, ତାଙ୍କୁ ଭବ୍ୟ ସ୍ବାଗତ ଜଣାଇବା ଲାଗି ହ୍ବାଇଟ୍‌ ହାଉସ୍‌ର ଦକ୍ଷିଣ ଲନ୍‌ରେ ଅଭ୍ୟାସ ଜାରି ରହିଛି। ଏଥିରେ ପିଲାମାନେ ବି ଭାଗ ନେଉଛନ୍ତି।