Onn 3

ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟ୍‌ ପାଇଁ ତାମିଲନାଡୁ ‘ବିଜେପି’ ରାଜ୍ୟ ସମ୍ପାଦକ ଗିରଫ

National & International

ମଦୁରାଇ: ପରିମଳ ଘଟଣାରେ ଜଣେ ‘ଡିଏମ୍‌କେ’ ନେତାଙ୍କୁ ‘ଟୁଇଟର୍‌’ରେ ସମାଲୋଚନା କରିଥିବା ତାମିଲନାଡୁ ରାଜ୍ୟ ‘ବିଜେପି’ ସମ୍ପାଦକ ଏସ୍‌. ଜି. ସୂର୍ଯ୍ୟଙ୍କୁ ଶୁକ୍ରବାର ରାତିରେ ମଦୁରାଇ ପୁଲିସ ଗିରଫ କରିଛି।
ଉକ୍ତ ଟୁଇଟ୍‌ ପୋଷ୍ଟ୍‌ରେ ସୂର୍ଯ୍ୟ ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ର (ମାର୍କ୍ସବାଦୀ) କାଉନ୍‌ସିଲର୍‌ ବିଶ୍ବନାଥଙ୍କୁ ଆକ୍ଷେପ କରି ଲେଖିଛନ୍ତି। ବିଶ୍ବନାଥ ମନୁଷ୍ୟ ମଳ ଭରା ଥିବା ଗୋଟାଏ ନର୍ଦ୍ଦମା ପରିଷ୍କାର କରିବାକୁ ଜଣେ ପରିମଳ ଶ୍ରମିକଙ୍କୁ ବାଧ୍ୟ କରିବାରୁ ସଂକ୍ରମଣ ହୋଇ ତାଙ୍କର (ଶ୍ରମିକ) ମୃତ୍ୟୁ ଘଟିଲା ବୋଲି ସେ କହିଛନ୍ତି।
‘ସିପିଆଇ(ଏମ୍‌)’ ମଦୁରାଇ ସାଂସଦ ଏସ୍‌ ଭେଙ୍କଟେସନଙ୍କୁ ସମ୍ବୋଧନ କରି ତାମିଲ୍‌ ଭାଷାରେ ସେ ଟୁଇଟ୍‌ କରିଛନ୍ତି: ଜଣେ କମ୍ୟୁନିଷ୍ଟ୍‌ କାଉନ୍‌ସିଲର୍‌ଙ୍କ ଯୋଗୁଁ ଜଣେ ପରିମଳ ଶ୍ରମିକ ପ୍ରାଣ ହରାଇଲେ। ମଦୁରାଇ ସାଂସଦ ଏସ୍‌ ଭେଙ୍କଟେସନ ମିଛରେ ମଉନ ହୋଇ ବସିଛନ୍ତି। ଆପଣଙ୍କର ମିଥ୍ୟା ବୈଷମ୍ୟବାଦୀ ରାଜନୀତି ମଳ ଟାଙ୍କିଠାରୁ ଅଧିକ ଦୁର୍ଗନ୍ଧମୟ। ବନ୍ଧୁ, ମଣିଷ ପରି ବଞ୍ଚିବାର ଉପାୟ କରନ୍ତୁ।
କିନ୍ତୁ, ମଦୁରାଇ ଜିଲ୍ଲାରେ ଏଭଳି ଘଟଣା ଘଟି ନ ଥିବା କଥା ଜିଲ୍ଲା ପୁଲିସ କହିଛି। ମିଥ୍ୟା ସମ୍ବାଦ ପ୍ରସାର କରିଥିବାରୁ ଗିରଫ ହୋଇଥିବା ସୂର୍ଯ୍ୟଙ୍କୁ ରିମାଣ୍ଡ୍‌ରେ ନେବା ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଯାଇଛି।
ଏହି ଗିରଫଦାରିକୁ ବିରୋଧ କରି ରାଜ୍ୟ ‘ବିଜପି’ ସଭାପତି କେ. ଅନ୍ନାମଲାଇ, କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ଅନ୍ୟାନ୍ୟ ‘ବିଜେପି’ ନେତାମାନେ କମ୍ୟୁନିଷ୍ଟ୍‌ ସହିତ ମେଣ୍ଟ କରିଥିବା ‘ଡିଏମ୍‌କେ’କୁ ତୀବ୍ର ନିନ୍ଦା କରିଛନ୍ତି।