Onn 3

ପଂଚାୟତ ଗଠନକୁ ୩୦ବର୍ଷ ପୂରିଲା, ବିକାଶ ଠାରୁ ଏବେବି ବହୁ ଦୂରରେ ଓଡ଼ଙ୍ଗ ପଂଚାୟତ

State

ଆଗରପଡ଼ା:ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚେଷ୍ଟିତ ଥିବା ବେଳେ ପ୍ରଶାସନିକ ଉଦାସିନତା ଯୋଗୁଁ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତରେ । ୧୯୯୨ ମସିହାରେ ପ୍ରତିଷ୍ଠିତ ଉକ୍ତ ପଂଚାୟତକୁ ୩୦ବର୍ଷ ପୂରିବା ସହ ୬ଜଣ ସରପଂଚ ଶାସନ ଗାଦି ସମ୍ଭାଳିଥିଲେ ସୁଦ୍ଧା ସେମାନଙ୍କ ଶାସନ ପ୍ରଣାଳିରେ ତୃଟି ହେଉ ଅବା ପ୍ରଶାସନିକ ଉଦାସିନତା ହେଉ । ଯାହାବି ହେଉ ଉକ୍ତ ପଂଚାୟତରେ ଲାଗିରହିଥିବା ସମସ୍ୟାର ସୁଧାର ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ପାଖାପାଖି ୭୦୦୦ଜନସଂଖ୍ୟାକୁ ନେଇ ଗଠିତ ଉକ୍ତ ପଂଚାୟତରେ ଆଜିବି ବହୁ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଉକ୍ତ ପଂଚାୟତର ତୋଟାସାହି ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପ ନିର୍ମାଣକୁ ୩ ବର୍ଷ ପୁରିଯାଇଥିଲେ ସୁଦ୍ଧା ପ୍ରକଳ୍ପଟି ଗ୍ରେଡ଼ବିମରେ ଅଟକିଛି । ଉକ୍ତ ଆର୍ôଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟତ ସଂସ୍ଥା ଭଦ୍ରକ ଆନୁକୂଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ସିଏଫସି ଯୋଜନାରେ ୪ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏକ ପାଠାଗାର ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ୩ବର୍ଷ ପୂରିବାକୁ ବସିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ସରିବାର ନା ଧରୁନି । ଏହାର ଛାତ ପଡ଼ି ନପାରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ଗରିବ ରୋଜଗାର ଯୋଜନାରେ ପଂଚାୟତ ବାସୀଙ୍କ ନିମନ୍ତେ ଗୋଷ୍ଠୀ ପରିମଳ କେନ୍ଦ୍ର ନିର୍ମାଣ କରାଯାଇଥିଲା । ନିର୍ମାଣକୁ ୩ବର୍ଷ ପୂରିଯାଇଥିଲେ ସୁଦ୍ଧା ୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ କେନ୍ଦ୍ରଟି ବ୍ୟବହାର ଯୋଗ୍ୟ ହୋଇନପାରିବାରୁ ଏଥିରେ ତାଲା ଝୁଲୁଛି । ତୋଟାସାହି ଠାରେ ଥିବା ତୋଟାସାହି ଖେଳପଡ଼ିଆର ଉନ୍ନତି କରଣ ନିମନ୍ତେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ କାର୍ଯ୍ୟାରମ୍ଭ ହୋଇଥିଲା । ଉକ୍ତ ଯୋଜନାକୁ ଇତି ମଧ୍ୟରେ ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାର ଉନ୍ନତି କରଣ ସ୍ଥିତିତ୍ୱ ହରାଇଥିବା ଫଳକରେ ସୀମିତ ହୋଇ ରହିଯାଇଥିବା ଜଣାପଡ଼ିଛି । ସେହିପରି ଗତ ୨୦୧୭-୧୮ ଆର୍ôଥକ ବର୍ଷରେ ଉକ୍ତ ପଂଚାୟତ ଅନ୍ତର୍ଗତ ସତୀ ସାବିତ୍ରୀ ବିଦ୍ୟାପୀଠର ଖେଳପଡ଼ିଆ ଉନ୍ନତିକରଣ ନିମନ୍ତେ ପଂଚାୟତ ସମିତି ବନ୍ତ ପକ୍ଷରୁ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ୫ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ କାର୍ଯ୍ୟାରମ୍ଭ ହୋଇଥିଲା । ଉକ୍ତ ପ୍ରକଳ୍ପକୁ ଇତି ମଧ୍ୟରେ ୬ବର୍ଷ ବିତିଯାଇଥିଲେ ସୁଦ୍ଧା ପିଲାଙ୍କ ଖେଳ ଉପଯୋଗୀ ହୋଇ ନପାରି ଉକ୍ତ ଖେଳ ପଡ଼ିଆ କେବଳ ଫଳକରେ ସୀମିତ ରହିଯାଇଥିବା ଜଣାପଡ଼ିଛି । ପାରାବଂଧ ଠାରେ ୨୦୧୯-୨୦ ଆର୍ଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଆନୁକୁଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଏସଏଫସି ଯୋଜନାରେ ଟଙ୍କା ଏକ ଲକ୍ଷ ଚଉସ୍ତରୀ ହଜାର ଚଉଷଠି ଅଟକଳ ମୂଲ୍ୟରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଆରମ୍ଭ କରାଯାଇଥିଲା ।

ଉକ୍ତ କେନ୍ଦ୍ର ନିର୍ମାଣକୁ ଇତି ମଧ୍ୟରେ ୪ବର୍ଷ ପୂରିଯାଇଥିଲେ ସୁଦ୍ଧା ଏହା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ସେହିପରି ଗ୍ରାମୀଣ ପାନୀୟ ଜଳ ଯୋଗାଣ ଉକ୍ତ ପଂଚାୟତରେ ଫେଲ ମାରିଥିବା ହେତୁ ବସୁଧା ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଉକ୍ତ ପଂଚାୟତ ସ୍ଥିତ ସରମରା ଠାରେ ପ୍ରତିଷ୍ଠାକୁ ୨୨ବର୍ଷ ପୂରିଯିବା ପରେ ମଧ୍ୟ ଅଙ୍ଗନୱାଡ଼ିର ନିଜସ୍ୱ ଗୃହ ନିର୍ମାଣ ହୋଇପାରିନଥିବା ବେଳେ ସତୀ ସାବିତ୍ରୀ ହାଇସ୍କୁଲରେ ବିନା ନିୟମିତ ଶିକ୍ଷକରେ ଚାଲିଛି ଶିକ୍ଷାଦାନ ଓ ଜୟକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଅଭାବାରୁ ୫ଟି ଗୃହରେ ଚାଲିଛି ୮ଟି ଶ୍ରେଣୀର ପାଠପଢା । ଉକ୍ତ ପଂଚାୟତର ପ୍ରଧାନମନ୍ତ୍ରୀ ସଡ଼କ ଅବସ୍ଥା କହିଲେ ନସରେ । ରାସ୍ତା ନିର୍ମାଣର ଅବଧି ସରିବା ପରେ ମଧ୍ୟ ରାସ୍ତା ନିର୍ମାଣ ଆରମ୍ଭ ହୋଇପାରୁନାହିଁ ଯଦ୍ୱାରା ଗମନାଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ବର୍ଷ ବର୍ଷ ବିତିଯିବାପରେ ମଧ୍ୟ ମୋପୋଖରୀ ଓ ଅମୃତସରୋବର ଯୋଜନା ତାର ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ଥିବା ବେଳେ ନିର୍ମାଣାଧିନ ମାର୍କେଟ କମ୍ପେ୍ଲକ୍ସ କାର୍ଯ୍ୟକ୍ଷମ ହୋଇପାରୁନାହିଁ ଉକ୍ତ ପଂଚାୟତରେ । ପଂଚାୟତ ପ୍ରତିଷ୍ଠାକୁ ୩୦ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ ପଂଚାୟତରେ ଏବେବି ଅଧାରେ ଅଟକିଛି ଅଧା ପ୍ରକଳ୍ପ । ଏହିପରି ସ୍ଥଳେ ଓଡ଼ଙ୍ଗ ପଂଚାୟତକୁ ସାଂସଦ ନିଜ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିବାକୁ ଇତି ମଧ୍ୟରେ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ ପଂଚାୟତର କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇନପାରିବା ବିଭାଗୀୟ ଅଧିକାରୀ ଏବଂ ଜନନେତାଙ୍କ ସମେତ ଘଟଣା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ଏଥିଲାଗି ପୋଷ୍ୟ ଗ୍ରାମବାସିନ୍ଦା ଯୋଜନା କାର୍ଯ୍ୟକାରୀ କରୁଥିବା ସରକାରୀ କଳର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ଅଧପନ୍ତରିଆ ଯୋଜନାକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟିତ ହେବାକୁ ଦାବି କରିଛନ୍ତି ।