ପୁରୀ: ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କ ବିଶ୍ୱାସ ସହ ଖେଳ । ଶ୍ରୀମନ୍ଦିର ମହାପ୍ରସାଦ ନାଁରେ ପ୍ରସ୍ତୁତ ହେଉଛି ନକଲି ଅବଢ଼ା ।ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇଛି। ଚୋରଘର ସର୍ବଦା ଅନ୍ଧାର ରୁହେନି, ଠିକ୍ ସେହିପରି ଆଜି ରୋଷେଇ ହୋଇ ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି ନକଲି ମହାପ୍ରସାଦ ଧରାପଡ଼ିଛି। ପୁରୀ ଲୋକନାଥରୋଡ୍ ଅନ୍ତର୍ଗତ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଏହି ରାକେଟ ଚାଲିଥିବା ଅନୁମାନ କରାଯାଉଛି।
ସାହିରେ ଥିବା ସାପୁଆ ମଠ ନାମକ ସ୍ଥାନରେ ରୋଷେଇ ନିମନ୍ତେ ସମସ୍ତ ସାମଗ୍ରୀ ଏକାଠି କରାଯାଇଥିଲା। ନଡ଼ିଆ କୋରାଯିବା ସହ ପରିବା କାଟି ଏଠାରେ ରଖା ଯାଇଥିଲା। ଏହି ମଠ ନିକଟ ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଇଛି। ଖୁବ୍ ଅପରିଷ୍କାର ପରିବେଶରେ ଏହି ରୋଷେଇ ଚାଲିଥିଲା। ଗଣମାଧ୍ୟମ ପହଞ୍ଚିବା ବେଳକୁ ବହୁ ସଂଖ୍ୟକ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତି ପ୍ରସ୍ତୁତ ହୋଇ ପଶି ସାରିଥିବା ବେଳେ ଆହୁରି ଅନେକ କୁଡ଼ୁଆରେ ଭାତ, ଡାଲି, ସାଦାବେସର, ମହୁର ପ୍ରଭୁତି ପ୍ରସ୍ତୁତ କରିବାକୁ ରୋଷେୟା ଓ ଯୋଗାଣିଆ କାମରେ ଲାଗିଥିଲେ। ଟପ୍ ଓ କରେଇରେ ରୋଷେଇ କରାଯିବା ପରେ ଏହାକୁ କୁଡୁଆରେ ପ୍ୟାକ୍ କରାଯାଉଥିଲା। ପରେ କୁଡ଼ୁଆକୁ କୋଇଲା ଆଞ୍ଚ ଉପରେ ରଖାଯାଇ ଏହାକୁ ଅସଲି ରୂପ ଦେବାକୁ ସବୁ ପ୍ରୟାଶ କରାଯାଉଥିଲା। ଯେପରି ଲୋକଙ୍କୁ ଲାଗିବ ଏହା ସତ ମହାପ୍ରସାଦ। ଏହି ମଠରେ ବହୁ ସଂଖ୍ୟକ କୁଡ଼ୁଆ, ନଡ଼ିଆ, ଚାଉଳ, ପନିପରିବା ପ୍ରଭୃତି ମହଜୁଦ୍ ଥିବା ଦେଖିବାକୁ ମିଳୁଥିବାରୁ ଏହି ସ୍ଥାନକୁ ଏକ ନକଲି ମହାପ୍ରସାଦ ବିକ୍ରି ଓ ଯୋଗାଣ ଆଡ୍ଡାରେ ପରିଣତ କରାଯାଇଥିବା ଜଳଜଳ ଦିଶୁଛି।
ତେବେ ଏଠାରେ ରୋଷେଇ କରୁଥିବା ଜଣେ ମାତ୍ର ରୋଷେୟା କହିଛନ୍ତି, ଶ୍ରୀମନ୍ଦିରରେ ଠାକୁର ଅଣସରରେ ଅଛନ୍ତି। ତେଣୁ ମହାପ୍ରସାଦ ବାହାରୁନି। ସମସ୍ତେ ଏକଥା ଜାଣନ୍ତି। ଏହି ଟେଣ୍ଡରେ ଯେଉଁ ରୋଷେଇ ହେଉଛି ନିକଟସ୍ଥ ଏକ ସାହିକୁ ଯିବ। ସେଠାରେ ଏକ ଦଶାହ କାର୍ଯ୍ୟରେ ଲାଗିବ। ଭୁବନେଶ୍ୱର ଓ ଅନ୍ୟସ୍ଥାନରୁ ଲୋକେ ଆସି ଖାଇବେ। ଅର୍ଡର ମୁତାବକ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତିକୁ କୁଡ଼ୁଆରେ ଭର୍ତ୍ତି କରି ଦିଆଯାଉଛି। ଗୋପାଳ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ କହିବା ମୁତାବକ ସେମାନେ ଏହି ରୋଷେଇ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।