Onn 3

ରାଜପଥରେ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୧୫ ବରିଷ୍ଠ ନାଗରିକ ମୃତ, ୧୦ ଆହତ

National & International

ମଣ୍ଟ୍ରିଆଲ୍‌: ଗୁରୁବାର ଦିନ କାନାଡାର ମାନିତୋବା ପ୍ରଦେଶରେ ବରିଷ୍ଠ ନାଗରିକମାନେ ଯାତ୍ରା କରୁଥିବା ଗୋଟାଏ ମିନି ବସ୍‌କୁ ଗୋଟାଏ ଟ୍ରଲର୍‌-ଟ୍ରକ୍‌ ଧକ୍କା ଦେବାରୁ ଅନ୍ୟୂନ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ଆହୁରି ୧୦ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ମାନିତୋବା ‘ରୟାଲ୍‌ କାନାଡିଆନ୍‌ ମାଉଣ୍ଟେ‌ଡ୍‌ ପୋଲିସ୍’ ଅଧିକାରୀ ରବ୍‌ ହିଲ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ମିନି ବସ୍‌ରେ ପ୍ରାୟ ୨୫ଜଣ ଯାତ୍ରୀ ଥିଲେ। ୧୫ଜଣଙ୍କର ମୃତ୍ୟୁ ଘଟିଛି। ଆହତ ହୋଇଥିବା ଆଉ ୧୦ଜଣଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ଉଭୟ ଗାଡ଼ିର ଡ୍ରାଇଭର୍‌ମାନେ ଜୀବିତ ଅଛନ୍ତି।

‘ସିବିସି’ ନିଉଜ୍‌ ରିପୋର୍ଟ ଅନୁସାରେ, ୱିନିପେଗ୍‌ର ପଶ୍ଚିମ ଦିଗର ୧୭୦ କିଲୋମିଟର୍‌ ଦୂରରେ ଥିବା ଦକ୍ଷିଣପଶ୍ଚିମ ମାନିତୋବା ଅନ୍ତର୍ଗତ କାର୍‌ବେରି ସହର ନିକଟରେ ଦୁଇଟି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ‘ଜଙ୍କ୍‌ସନ୍‌’ରେ ଏହି ଦୁର୍ଘଟଣା ଘଟିଛି। ବସ୍‌ ଯାତ୍ରୀମାନେ କାର୍‌ବେରିରେ ଥିବା ଏକ କ୍ୟାସିନୋକୁ ଯାଉଥିଲେ।

ଦୁର୍ଘଟଣା ଯୋଗୁଁ ଶୋକ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ କହିଛନ୍ତି: ଆଜି ପ୍ରିୟତମମାନଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ଆନ୍ତରିକ ସମବେଦନା ଜଣାଉଛି। ଆହତମାନଙ୍କ କଥା ବି ଚିନ୍ତା କରୁଛି। ଦୁର୍ଘଟଣା ଯୋଗୁଁ ପ୍ରଭାବିତମାନେ ଭୋଗୁଥିବା କଷ୍ଟ ମୋର କଳ୍ପନାତୀତ।

ଏହି ସଡ଼କ ଦୁର୍ଘଟଣାକୁ କାନଡୀୟ ଇତିହାସର ଅନ୍ୟତମ ଭୟାବହ ଦୁର୍ଘଟଣା ବୋଲି କୁହାଯାଉଛି। ୨୦୧୮ ଏପ୍ରିଲ୍‌ରେ ଏକ ମଫସଲି ରାସ୍ତାରେ ଜୁନିୟର୍‌ ହକି ଟିମ୍‌କୁ ନେଇଯାଉଥିବା ଗୋଟାଏ ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ସାସ୍‌କାଚେୱାନ୍‌ରେ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ଉକ୍ତ ଟ୍ରକ୍‌ ଡ୍ରାଇଭର୍‌ଙ୍କୁ ୮ ବର୍ଷ କାରାଦଣ୍ଡାଦେଶ ହୋଇଥିଲା।

ସେହିପରି, ୧୯୯୭ରେ ବରିଷ୍ଠନାଗରିକମାନଙ୍କୁ ନଇେ ଯାଉଥିବା ଏକ ବସ୍‌ କ୍ବେବେକ୍‌ ପ୍ରଦେଶରେ ଗୋଟାଏ ଖାଇକୁ ଖସିପଡ଼ିବାରୁ ୪୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।