Onn 3

ଇମ୍ଫାଲ୍‌ରେ କେନ୍ଦ୍ରମନ୍ତ୍ରୀ ଆର୍‌. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା

National & International

ଇମ୍ଫାଲ୍‌: ଗୁରୁବାର ବିଳମ୍ବିତ ରାତ୍ରରେ ମଣିପୁରର ଇମ୍ଫାଲ୍‌ରେ ପ୍ରାୟ ୧୦୦୦ରୁ  ଅଧିକ ଉତ୍ତ୍ୟକ୍ତ ଜନତା କେନ୍ଦ୍ରମନ୍ତ୍ରୀ ଆର୍‌. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ି ପକାଇଥିବା କଥା ସରକାରୀ ଅଧିକାରୀମନେ କହିଛନ୍ତି।

ଇମ୍ଫାଲ୍‌ରେ କର୍ଫ୍ୟୁ ସତ୍ତ୍ବେ ଉତ୍ତ୍ୟକ୍ତ ଜନତା କ‌ୋଙ୍ଗ୍‌ବାସ୍ଥିତ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆକ୍ରମଣ କରିଥିଲେ। କିନ୍ତୁ, ମନ୍ତ୍ରୀ ସିଂହ ସେତେବେଳ ଘରେ ନ ଥିଲେ। ଘଟଣା ସମୟରେ ମନ୍ତ୍ରୀଙ୍କ ବାସଭବନରେ ‘ଡିୟୁଟି’ କରୁଥିଲେ ୯ଜଣ ‘ଏସ୍‌କର୍ଟ’ ସୁରକ୍ଷା କର୍ମଚାରୀ, ୫ଜଣ ନିରାପତ୍ତା ରକ୍ଷୀ ଏବଂ ୮ଜଣ ଅତିରିକ୍ତ ପ୍ରହରୀ।

ମନ୍ତ୍ରୀଙ୍କ ବାସଭବନରେ ନିୟୋଜିତ ଥିବା ଜଣେ ସୁରକ୍ଷା କର୍ମଚାରୀ କହିଛନ୍ତି ଯେ, ଆକ୍ରମଣ ସମୟରେ ଉତ୍ତ୍ୟକ୍ତ ଲୋକେ ଚାରିଆଡୁ ପେଟ୍ରୋଲ୍‌ ବୋମା ଫିଙ୍ଗିଥିଲେ।

‘ଏସ୍‌କର୍ଟ’ କମାଣ୍ଡର୍‌ ଏଲ୍‌. ଦିନେଶ୍ବର ସିଂହ କହିଛନ୍ତି, ବହୁସଂଖ୍ୟକ ଉତ୍ତ୍ୟକ୍ତ ଜନତା ଥିବାରୁ ଆମେ ଘଟଣାକୁ ପ୍ରତିରୋଧ କରିପାରିଲୁ ନାହିଁ କି, ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଲୁ ନାହିଁ। ଘରପଛରେ ଥିବା ‘ବାଇ ଲେନ୍‌’ରୁ ଆରମ୍ଭ କରି ସାମନା ଫାଟକ ପର୍ଯ୍ୟନ୍ତ, ସେମାନେ ଚାରିପଟୁ ପେଟ୍ରୋଲ୍‌ ବୋମା ଫିଙ୍ଗିଲେ। ସେଥିପାଇଁ ଆମେ ଉତ୍ତ୍ୟକ୍ତ ଜନତାଙ୍କୁ ସମ୍ଭାଳି ପାରିଲୁ ନାହିଁ। ଆକ୍ରମଣକାରୀଙ୍କ ସଂଖ୍ୟା ପ୍ରାୟ ୧୨୦୦ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ହେବାରେ ଏହା ହେଉଛି ଦ୍ବିତୀୟ ଘଟଣା। ମେ ମାସରେ ହୋଇଥିବା ଉକ୍ତ ଆକ୍ରମଣ ଓ ଘରପୋଡ଼ି ଘଟଣାରେ ଲିପ୍ତଥିବା ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ଲାଗି ନିରାପତ୍ତା ବଳ ଫାଙ୍କା ଗୁଳି ଚାଳନା କରିଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ‘ଜନଜାତି ମାନ୍ୟତା’ ପାଇବା ଲାଗି ମଣିପୁରୀମାନଙ୍କ ଦାବିକୁ ବିରୋଧ କରି ମେ ୩ ତାରିଖରେ ମଣିପୁରରେ ଆୟୋଜିତ ‘ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ’ ସମୟରେ ରାଜ୍ୟରେ ସଂଘର୍ଷର  ସୂତ୍ରପାତ ହୋଇଥିଲା। ଏହି ସଂଘର୍ଷରେ ମଣିପୁରୀ ଓ କୁକି ସମ୍ପ୍ରଦାୟ ସମ୍ପୃକ୍ତ ଥିଲେ।