Onn 3

ନୂତନ ପଂଚାୟତ ଗଠନକୁ ପୂରିଲାଣି ୭ବର୍ଷ : ଚାରୋଟି ଗାଁ କୁ ନେଇ ଗଠିତ ଚାରିଗାଁରେ ବିକାଶ ଅପହଂଚ

State

ଆଗରପଡ଼ା(୧୫/୬) :୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ପଂଚାୟତ ଗଠନ କରାଯାଇଥିଲା । ତନ୍ନମଧ୍ୟରୁ ଅଣିଜୋ ପଂଚାୟତକୁ ଭାଗ କରାଯାଇ ୪ ଗୋଟି ରାଜସ୍ୱ ଗ୍ରାମର ଯଥା ଚାରିଗାଁ, ଚକ୍ରାପାଢୀ,ଓଟୁଆ ଓ ତେଲନଟିର ପାଖାପାଖି ୭୦୦୦ ଲୋକସଂଖ୍ୟାକୁ ନେଇ ନୂତନ ଭାବେ ଚାରିଗାଁ ପଂଚାୟତ ଗଠନ କରାଯାଇଥିଲା । ପଂଚାୟତ ଗଠନ ହେବାପରେ ନିର୍ବାଚିତ ଜନନେତା ତାଙ୍କ ପ୍ରଥମ ପାଳି ସାରି ସାରି ଥିବା ବେଳେ ଅ।।ଉ ଗୋଟେ ପାଳିର ୨ବର୍ଷ ପୂରି ସାରିଥିଲେ ସୁଦ୍ଧା ପଂଚାୟତ ଗଠନର ଆଭିମୁଖ୍ୟ ଠାରୁ ବହୁ ଦୂରରେ ଚାରିଗାଁ ପଂଚାୟତ ରହିଯାଇଥିବାର ଜଣାପଡ଼େ । ୧୩ଗୋଟି ୱାର୍ଡ଼କୁ ନେଇ ଗଠିତ ଉକ୍ତ ପଂଚାୟତରେ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ପଂଚାୟତ ଗଠନକୁ ୭ବର୍ଷ ବିତି ଯାଇଥିଲେ ସୁଦ୍ଧା ପଂଚାୟତର ନିଜସ୍ୱ ଗୃହ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ସୂଚନା ଅନୁଯାୟୀ;ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣକୁ ନେଇ ସରକାର ଓ ଗ୍ରାମବାସୀଙ୍କ ମଧ୍ୟରେ ବାଦବିବାଦ ଲାଗିରହିଥିଲା । ପରେ ଏହାର ସ୍ଥାୟୀ ସମାଧାନ କରାଯାଇ ପଂଚାୟତ ଗଠନର ୫ବର୍ଷ ପରେ ଅର୍ଥାତ ଗତ ୨୦୨୧ ମାର୍ଚ୍ଚ ମାସ ୧୦ତାରିଖରେ ନୂତନ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇଥିଲା । ଶିଳାନ୍ୟାସକୁ ଇତି ମଧ୍ୟରେ ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଉକ୍ତ ପଂଚାୟତରେ ନିର୍ମିତ ମାର୍କେଟ୍ କମ୍ପେ୍ଲକ୍ସରେ ଅସ୍ଥାୟୀ ଭାବେ ପଂଚାୟତ କାର୍ଯ୍ୟାଳୟ ଚାଲୁରହିଛି । ଏହା ପୂର୍ବରୁ ଚକ୍ରାପାଢୀ ବିଦ୍ୟାଳୟର ଏକ ପ୍ରକୋଷ୍ଠରେ ଏହି କାର୍ଯ୍ୟାଳୟ ଚାଲୁଥିଲା । ଯାହାକି ସରକାରଙ୍କ ପଂଚାୟତ ଗଠନର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପୂର୍ବରୁ ନିର୍ବାଚିତ ସରପଂଚଙ୍କ କାର୍ଯ୍ୟକାଳ ସରିଗଲା କିନ୍ତୁ ସେମାନେ ନିଜସ୍ୱ ଗୃହରେ ବସି ପଂଚାୟତ କାର୍ଯ୍ୟ କରିନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ ହୋଇଥିବା ବେଳେ ଏବେ ସୁଦ୍ଧା ପଂଚାୟତ ଗୃହ କାର୍ଯ୍ୟକ୍ଷମ ହୋଇ ନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହି ସମସ୍ୟାକୁ ନେଇ ସରପଂଚ ଗୀତିକା ଭୋଇଙ୍କୁ ଯୋଗାଯୋଗ କରିବାରୁ ପଂଚାୟତ ଗୃହ ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର ୮ମାସ ହେବ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିସାରିଥିଲେ ସୁଦ୍ଧା ଉକ୍ତ ଗୃହ ଦାଇତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏହାକୁ ପଂଚାୟତକୁ ହସ୍ତାନ୍ତର କରୁନଥିବା କହିଥିଲେ । ସେହିପରି ଚାରିଗାଁ ପଂଚାୟତରେ ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ପ୍ର୍‌କଳ୍ପ ନିର୍ମିତ ହୋଇଥିଲା ।

ବିବରଣୀ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ନିର୍ମିତ ଉକ୍ତ ପ୍ରକଳ୍ପର କାର୍ଯ୍ୟ ୨୯.୦୩ .୨୦୧୮ରେ ଆରମ୍ଭ ହୋଇ ୨୦.୧୨.୨୦୧୮ରେ ଶେଷ ହୋଇଥିଲା । ଏବଂ ଉକ୍ତ ପ୍ରକଳ୍ପ ନିର୍ମାଣରେ ୯୫ଲକ୍ଷ ୮ହଜାର ୭୯୧ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରକଳ୍ପ ନିର୍ମାଣ ଶେଷ ହେବାକୁ ଇତି ମଧ୍ୟରେ ୪ବର୍ଷରୁ ଉର୍ଦ୍ଦ ସମୟ ବିତି ଯାଇଥିଲେ ସୁଦ୍ଧା ଏହା ସୂଚାରୁ ରୂବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବିଭାଗ ପକ୍ଷରୁ ଏହାର ଦାଇତ୍ୱ ସ୍ଥାନୀୟ ସରପଂଚକୁ ହସ୍ତାନ୍ତର କରାଯାଇଥାଏ । କିନ୍ତୁ କେଉଁ କାରଣରୁ ଏଠାରେ ନିର୍ମିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ମାସତଳେ ବିଧାୟକ ପଂଚାୟତର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଏହାର କାର୍ଯ୍ୟକ୍ଷମକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ବିଭାଗୀୟ ଅଧିକାରୀ ଏହାର କାର୍ଯ୍ୟକ୍ଷମକୁ ନେଇ ତତ୍ପରତା ପ୍ରକାଶ ମଧ୍ୟ କରିଛନ୍ତି । କିନ୍ତୁ ଏହା କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ବର୍ତ୍ତମାନ ନିର୍ମାଣାଧିନ ପାଣିଟାଙ୍କି ମହୁମାଛିଙ୍କ ବାସସ୍ଥଳୀ ପାଲଟିଛି । ପାଣିଟାଙ୍କିର ଚାରିପାଶ୍ୱର୍କୁ ବଡ଼ବଡ଼ ମହୁଫେଣାମାନ ଘେରି ରହିଛନ୍ତି । ତେଣୁ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାଇତ୍ୱ ଠିକ୍ ଭାବେ ହେଉନଥିବାରୁ ପରିବେଶ ମଧ୍ୟ ବିପଦ ସଙ୍କୁଳ ପାଲଟିଛି । ସରକାର ଗରିବ ନିସଃହାୟ ଲୋକଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ଆବାସ ଯୋଜନା ଏଥିମଧ୍ୟରୁ ଅନ୍ୟତମ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳିତ କାର୍ଯ୍ୟପନ୍ଥା ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ଉକ୍ତ ପଂଚାୟତ ଚାରିଗାଁ ଗ୍ରାମ ର ବିଧବା ମହିଳା ବାସନ୍ତୀ କଟୁଆଳ ଯାହାଙ୍କ ସ୍ୱାମୀ ଗତ ୭ମାସ ପୂର୍ବେ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ପରିବାରର ଆର୍ଥିକ ପରିସ୍ଥିତିକୁ ଦେଖି ସାନଝିଅ ଦାଦନ ଘଟିବାକୁ ରାଜ୍ୟ ବାହାରକୁ ପଳାଇଛି । ଏହିପରି ଅବସ୍ଥାରେ ବାସନ୍ତୀଙ୍କର ଆର୍ଥିକ ସମ୍ବଳ ନଥିବାରୁ ରହୁଥିବା ଏକ ଛୋଟ ଜାଗାରେ ଥିବା ଭଙ୍ଗା ଦଦରାଘରର ସେ ଝଣଛାଉନି କରିପାରୁନାହାନ୍ତି ଓ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ତାଙ୍କୁ ଆବାସ ଖଣ୍ଡେ ମିଳିପାରି ନାହିଁ । ଖାଲି ବାସନ୍ତୀ ନୁହନ୍ତି ଏହିପରି ବହୁ ଯୋଗ୍ୟ ବ୍ୟକ୍ତି ଆବାସ ଓ ଭତ୍ତା ପାଇବାରୁ ଆଜିବି ବଂଚିତ ଅଛନ୍ତି । ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ପଂଚାୟତ ଅନ୍ତର୍ଗତ ବହୁ ବିଦ୍ୟାଳୟ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଉକ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ମଧ୍ୟ ସଂପୂର୍ଣ୍ଣ ହୋଇପାରି ନଥିବା ଜଣାପଡ଼ିଛି । ଉକ୍ତ ପଂଚାୟତରେ ଲାଗି ରହିଥିବା ଏହିପରି ବିଭିନ୍ନ ସମସ୍ୟାକୁ ଆକଳନକୁ ନେଲେ ସରକାର ଯେଉଁ ଆଭିମୂଖ୍ୟ ନେଇ ନୂତନ ପଂଚାୟତ ଗଠନ କରିଥିଲେ ତାହା ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସଫଳ ହୋଇପାରୁନଥିବା ପରିଲକ୍ଷିତ ହେବା ସହ ବିକାଶ ଠାରୁ ବହୁ ଦୂରରେ ରହିଯାଇଛି ।