Onn 3

ପନିପରିବା ଚାଷ ନିମନ୍ତେ କ୍ଷେତକୁ ଯୋଗାଇ ଦିଆଯାଉନି ବିଦ୍ୟୁତ ଶକ୍ତି, ଚାଷୀ ହଟହଟା

State

ନିଶ୍ଚିନ୍ତକୋଇଲି : କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଯୋଜନା ଉପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିନିମନ୍ତେ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି । ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଚାଷୀମାନଙ୍କୁ ପନି ପରିବା ଚାଷ ନିମନ୍ତେ ଟାଟା ପାୱାର ତରଫରୁ ରହସ୍ୟ ଜନକ ଭାବେ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଉନଥିବାର ଚାଷୀ ମହଲରେ ଅଭିଯୋଗ ହୋଇଛି । ନିଶ୍ଚିନ୍ତକୋଇଲି ବ୍ଲକ ସଦର ମହକୁମା ଠାରୁ ମାତ୍ର ଅଳ୍ପ ଦୂରରେ ନିଶ୍ଚିନ୍ତକୋଇଲି ଗ୍ରାମପଂଚାୟତ ଅଧିନସ୍ଥ ଓଥକା ଗ୍ରାମରେ ଝାରକୂଦ ରହିଛି । ଏହି କୁଦରେ ପ୍ରାୟ ୧୦୦ଏକରରୁ ଉର୍ଦ୍ଧ ଜମି ରହିଛି । ସ୍ଥାନୀୟ ନତକାଇ ପଂଚାୟତର ଏକରୂଖି,ରାମକୃଷ୍ଣପୁର, ନିଶ୍ଚିନ୍ତକୋଇଲି , ଓଥକା ପ୍ରଭୃତି ବହୁ ଗ୍ରାମର ଶତାଧିକ ଚାଷୀ ବର୍ଷ ତମାମ କଖାରୁ ,ଆଳୁ, ବାଇଗଣ, ବିଲାତି ,ଝୁଡଙ୍ଗ, କଲରା, ଭେଣ୍ଡି, କାକୁଡି, ଜହ୍ନି, ପୋଟଳ, କୋବି , ମୂଳା, ଶାଗ ,ଧନିଆପତ୍ର ପ୍ରଭୃତି ବିଭିନ୍ନ ପନି ପରିବା ଚାଷ କରିଥାନ୍ତି । ଏହି ପନିପରିବା ଚାଷୀମାନେ ଉନ୍ନତ ପ୍ରଣାଳୀରେ ଚାଷ କରିଥାନ୍ତି । ଏହି ପନିପରିବା ଚାଷୀମାନେ ରାସାୟନିକ ସାର, କୀଟନାଶକ େଔଷଧ ବ୍ୟବହାର କରିଥାନ୍ତି । ଏହି ସ୍ଥାନରୁ ଦୈନନ୍ଦିନ କଟକ,ଭୁବନେଶ୍ୱର,କେନ୍ଦ୍ରାପଡା,ପାରାଦ୍ୱୀପ ପ୍ରଭୃତି ବହୁ ସ୍ଥାନକୁ ପନି ପରିବା ଯାଇଥାଏ । ଏପରିକି ଏହି ସ୍ଥାନରେ ଏକ ପ୍ରସିଦ୍ଧ ସାଧୁ ଗୋଷେଇଁ ମଠ ରହିଛି । ଏହି ସ୍ଥାନକୁ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଭକ୍ତମାନେ ପୂଜାର୍ଚ୍ଚନା କରିବା ନିମନ୍ତେ ଆସିଥାନ୍ତି । ଏପରିକି ବହୁ ସମୟରେ ଦୂର ଦୂରାନ୍ତରୁ ଲୋକମାନେ ଏହି ସ୍ଥାନକୁ ଆସି ବଣଭୋଜି କରିଥାନ୍ତି ।

ମାତ୍ର ଏହି ସ୍ଥାନକୁ ଏପର୍ଯ୍ୟନ୍ତ କୌଣସି ବିଦ୍ୟୁତ ସଂଯୋଗ କରାଯାଇ ପାରିନାହିଁ । ଫଳରେ ସ୍ଥାର୍ନୀୟ ଚାଷୀମାନେ ଉଠା ଜଳ ସେଚନା ମାଧ୍ୟମରେ ଓ ସ୍ଥାନୀୟ କୂଅ ପୋଖରୀରୁ ବାଲଟିରେ ପାଣି ଆଣି ଜମିକୁ ଜଳ ସେଚନ କରାଇଥାନ୍ତି । ମାତ୍ର ସରକାରଙ୍କ ତରଫରୁ ଏହି ଅଂଚଳର ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଇନଥିବାର ଚାଷୀ ମହଲରେ ଅଭିଯୋଗ ହୋଇଛି । ଚାଷୀଙ୍କୁ ବିଦ୍ୟୁତ ଶକ୍ତି ଯୋଗାଇ ଦେବା ନିମନ୍ତେ ସ୍ଥାନୀୟ ଏକରୂଖି ଗ୍ରାମର ଚାଷୀ ହୃଷିକେଶ ବେହେରା ନିଶ୍ଚିନ୍ତକୋଇଲି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଆବେଦନ କରିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ କୃଷି ଅଧିକାରୀ ତାଙ୍କ ଚିଠି ନଂ ୮୪/୧୧.୦୪.୨୦୨୨ରେ ଚାଷୀଙ୍କୁ ବୋରିଂ ଖୋଳିବା ନିମନ୍ତେ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯିବା ନିମନ୍ତେ ନିଶ୍ଚିନ୍ତକୋଇଲି ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ସୁପାରିଶ କରିଥିଲେ ।

ମାତ୍ର ଟାଟା ପାୱାର ତରଫରୁ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ କୌଣସି ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଇନଥିବାର ଅଭିଯୋଗ ହୋଇଛି । ଏସମ୍ପର୍କରେ ଆମ ପ୍ରତିନିଧି ନିଶ୍ଚିନ୍ତକୋଇଲି ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନିଲ କୁମାର ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ ନୂତନ ଭାବେ ଅଳ୍ପ ଦିନ ହେଲା କାର୍ଯ୍ୟଯୋଗଦାନ କରିଛନ୍ତି । ଏସମ୍ପର୍କରେ ସେ ଭଲ ଭାବେ ଅବଗତ ନୁହନ୍ତି । ଏହି ଅଭିଯୋଗର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମତବ୍ୟକ୍ତ କରିଥିଲେ ।