Onn 3

ଟ୍ରେନ୍ ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ

State

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବାମଡ଼ା ଉପକଣ୍ଠ ଭଗବାନପୁର ଗ୍ରାମ ରେଳ ଲାଇନ ନିକଟରେ ଟ୍ରେନ ଧକ୍କାରେ ଜଣେ ବାଇକ ଆରୋହୀ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।  ମୃତକ ହେଲେ ଭଗବାନପୁର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ପୁଅ ଲକ୍ଷ୍ମୀଧର ଦେହୁରୀ(୨୭)।

ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ଲକ୍ଷ୍ମୀଧର ସକାଳେ ୯. ୩୦ ପାଖାପାଖି ସମୟରେ କୌଣସି କାର୍ଯ୍ୟ ପାଇଁ ଗ୍ରାମରୁ ବାହାରି ନିଜ ମୋଟର ସାଇକେଲରେ ଗ୍ରାମ ପାର୍ଶ୍ୱ ଦେଇ ଯାଇଥିବା ରେଳ ଧାରଣା ପାର ହେଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଏହି ସମୟରେ ବାରିପଦାରୁ ରୁପ୍ସା ଆସୁଥିବା ମେମୁ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ଓ ବାଇକଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ସେ ଅନ୍ୟମନସ୍କଭାବେ ତରତର ହୋଇ ରେଳଧାରଣା ପାର କରୁଥିବାର ସୂଚନା ମିଳିଛି। ବାଇକଟି ରେଳ ଧାରଣାରେ ଟ୍ରେନ ସହିତ ଘୋଷାଡ଼ି ହୋଇଯିବା କାରଣରୁ ଟ୍ରେନ କିଛି ସମୟ ଧରି ଉକ୍ତ ସ୍ଥାନରେ ଅଟକ ରହିଥିଲା ଓ ପରେ ରେଳଧାରଣାରୁ ବାଇକଟିକୁ ଉଠାଯିବା ପରେ ଆଗକୁ ରୁପ୍ସା ଷ୍ଟେସନ ଆଡ଼କୁ ଗଡ଼ିଥିଲା।

ଦୁର୍ଘଟଣା ନେଇ ଘଟଣାସ୍ଥଳରେ ଶତାଧିକ ସ୍ଥାନୀୟ ଲୋକ ରୁଣ୍ଡ ହୋଇ ଉତ୍ତେଜନା ଲାଗି ରହିଥିଲେ ବି ଖବର ଲେଖାଯିବା ସୁଦ୍ଧା କୌଣସି ରେଳ କର୍ମଚାରୀ କିମ୍ବା ସ୍ଥାନୀୟ ପ୍ରଶାସନ ପହଞ୍ଚି ନଥିବାର ସୂଚନା ମିଳିଛି। ତେବେ ସେଠାରେ କୌଣସି ଫାଟକ ନ ରହିବା ଏବଂ ରେଳ ଧାରଣା ପାର ହେବା ପାଇଁ ସ୍ଥାୟୀ ରାସ୍ତା ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଓ ଯଥା ଶୀଘ୍ର ଉକ୍ତ ସ୍ଥାନରେ ରେଳଧାରଣା ଉପରଦେଇ ତିଆରି ହୋଇଥିବା ଅସ୍ଥାୟୀ ବିପଦସଂକୁଳ ରାସ୍ତାକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ରେଳବିଭାଗକୁ ଅନୁରୋଧ କରିଛନ୍ତି।