ପିପିଲି : ପିପିଲି ଟୋଲ୍ ପ୍ଲାଜା ପୁଣି ଚର୍ଚ୍ଚାକୁ ଆସିଛି। ଆଜି ପୂର୍ବତନ ସାଂସଦ ତଥା ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥୀ ପିପିଲି ଟୋଲ୍ ପ୍ଲାଜା ଅତିକ୍ରମ କରିବା ସମୟରେ ଟୋଲ୍ ବାବଦକୁ ୨ହଜାର ଟଙ୍କିଆ ନୋଟ ଦେବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିଲା।
ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଶତପଥୀ ଟୋଲ୍ ପ୍ଲାଜାରେ ଗାଡ଼ି ସହ ଅଟକି ଟୋଲ୍ ବାବଦକୁ ୨ହଜାର ଟଙ୍କିଆ ନୋଟ୍ ଦେଇଥିଲେ। କାଉଣ୍ଟର୍ରେ ଥିବା କର୍ମଚାରୀ ତାହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେ ସମୟରେ ଦୁଇଜଣ କର୍ମଚାରୀ ତଥାଗତଙ୍କ ପାଖକୁ ଆସି ଅଫିସ ୨ହଜାର ଟଙ୍କିଆ ନୋଟ୍ ନେବା ପାଇଁ ମନା କରିଥିବା କହିଥିଲେ। ତଥାଗତ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ଶୁଣିବା ବଦଳରେ ଯୁକ୍ତି କରିଥିଲେ। ୨ହଜାର ଟଙ୍କିଆ ବ୍ୟାଙ୍କରେ ଜମା କରିବାକୁ ସରକାରୀ ନିୟମ ରହିଛି ବୋଲି ଯୁକ୍ତି କରିବା ସହ ୨ହଜାର ଟଙ୍କିଆ ନୋଟ୍ ନନେବା ପାଇଁ ମ୍ୟାନେଜରଙ୍କ ନିର୍ଦ୍ଦେଶ ଥିବା କହିଥିଲେ। ଏହା ସହ ଟ୍ରାଫିକ ଜାମ୍ ହେଉଥିବାରୁ ଶୀଘ୍ର ଗାଡ଼ି କାଢ଼ିବାକୁ ତଥାଗତଙ୍କୁ କର୍ମଚାରୀଜଣକ ତାଗିଦ୍ କରିଥିଲେ। କର୍ମଚାରୀଜଣଙ୍କ ଏଭଳି ଆଚରଣକୁ ନେଇ ସେଠାରେ ଉପସ୍ଥିତ କେତେକ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଥିଲେ। କର୍ମଚାରୀଙ୍କ ଆଚରଣ ଓ ତଥାଗତଙ୍କ ବାର୍ତ୍ତାଳାପକୁ ନେଇ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।