Onn 3

କାଗଜ କଲମରେ ସୀମିତ ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ରାସ୍ତା ମରାମତି

State

ଆଗରପଡ଼ା: ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧିନସ୍ଥ ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି କାଗଜ କଲମରେ ସୀମିତ ରହିଥିବା ବେଳେ ଜାମ୍ବବଣୀ ଛକ ଠାରୁ ବରପଦା ପର୍ଯ୍ୟନ୍ତ ରାସ୍ତା ମରଣକୁ ଡ଼ାକୁଥିବା ପରିସ୍ଥିତିରେ ପହଂଚିଥିବା ଦେଖିବାକୁ ମିଳିଛି । କୌଣସି ମୂହୁର୍ତ୍ତରେ କୌଣସି ବଡ଼ଧରଣର ଅଘଟଣ ନଘଟିବ କେହିବି କହି ପାରିବେନି । ରାସ୍ତା ଦବି ବା ସହ ଫାଟି ଯାଇଥିବାରୁ ଅନ୍ଧାରରେ ଆସିବା ଅର୍ଥ ମରଣକୁ ଡ଼ାକିବା । ବର୍ତ୍ତମାନ କାଳ ବୈଶାଖିରେ ଗଛ ସବୁ ରାସ୍ତା ଉପରେ ପଡ଼ି ବିପଦ ସୃଷ୍ଟି କରୁଥିବା ବେଳେ ଆଗକୁ ବର୍ଷା ଦିନ ଆସୁଥିବାରୁ ଏହା ଗମନା ଗମନରେ ବଡ ଼ବିପଦ ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି କରିଛି । ତଥାପି ବିଭାଗ ଚୁପ ହୋଇ ବସିପଡ଼ିବା ବିଭାଗର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ବର୍ଷ ୨୦୨୧ ଜୁନ ମାସରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ । କିନ୍ତୁ ଇତି ମଧ୍ୟରେ ୨ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ବିଭାଗ ତରଫରୁ ରାସ୍ତାର ସ୍ଥାୟୀତ୍ୱ ପ୍ରତି କୌଣସି ପଦକ୍ଷେପ ନିଆଯାଇନଥିବାରୁ ପୂର୍ତ୍ତବିଭାଗ ରାସ୍ତାଟି ମରଣଯନ୍ତା ପାଲଟିଲାଣି । ବିଭିନ୍ନ ଗଣମାଧ୍ୟମରେ ଏଥିନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ୨୦୨୨ମାର୍ଚ୍ଚ ମାସରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ବିଭାଗ ପକ୍ଷରୁ କରାଯାଇଥିଲା । ଇତି ମଧ୍ୟରେ ମରାମତିକୁ ବର୍ଷେ ପୂରିବା ସହ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ଦବି ଯିବା ସହ ବହୁ ଜାଗା ଫାଟି କେରା କେରା ହୋଇ ମରଣଯନ୍ତା ପାଲଟିଲାଣି । ଅପରପକ୍ଷରେ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପାଖାପାଖି ୪୫୦ମିଟର କଂକ୍ରିଟ ନିର୍ମିତ ରାସ୍ତା ମଧ୍ୟ ବର୍ତ୍ତମାନ ମଝିରୁ ଦୁଇଫାଳ ହୋଇଯାଇଛି । ଯଦ୍ୱରା ସାଇକେଲ କିମ୍ବା ମୋଟରସାଇକେଲ ଆରୋହୀ ରାସ୍ତାରେ ଯିବାକୁ ନିରାପଦ ମଣୁ ନାହାନ୍ତି । ଟିକେ ଅସାବଧାନତାରେ ଗାଡ଼ିଚକା ଫାଟିଥିବା ରାସ୍ତାରେ ପସି ଦୃର୍ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ । ରାସ୍ତା ମରାମତି ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଏହି ରାସ୍ତାକୁ ୭ ମିଟର ଓସାର କରିବା ସହ ନୂଆ ରାସ୍ତା ନିର୍ମାଣ ପାଇଁ ୪୪ କୋଟି ଟଙ୍କାର ଯୋଜନା ଅଟକଳ ମଂଜୁର ପାଇଁ ଦିଆଯାଇଛି । ଏହି ଅଟକଳ ମଧ୍ୟରେ ଛୋଟ ପୋଲ ଓ ଜମି ଅଧିଗ୍ରହଣ କରାଯିବ । ଅଟକଳ ମଂଜୁର ହେବାପରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହେବାର ସୂଚନା ଦେବାକୁ ଇତି ମଧ୍ୟରେ ୪ ମାସ ବିତିବାକୁ ବସିଥିଲେ ସୁଦ୍ଧା ରାସ୍ତା ମରାମତିର କୌଣସି ଗନ୍ଧସମ୍ବନ୍ଧ ନଥିବାରୁ ରାସ୍ତା ମରାମତି ଯୋଜନା କାଗଜକଲମରେ ସୀମିତ ରହିଗଲା ପରି ଜଣାପଡ଼ୁଛି ।

ପ୍ରକାଶ ଥାଉକି;ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ନିର୍ମାଣ ସମୟରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଉକ୍ତ ରାସ୍ତା ନିର୍ମାଣ ଏକ ପ୍ରହସନରେ ପରିଣତ ହୋଇଛି । ତେଣୁ ରାସ୍ତାର ସ୍ଥାୟୀତ୍ୱ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପାଳନ ପୂର୍ବକ ରାସ୍ତା ମରାମତି ଯୋଜନାକୁ କାଗଜକଲମରେ ସୀମିତ ନରଖି ଏହାର ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି ।