Onn 3

ଅବ୍ୟବସ୍ଥାରେ ତ୍ରିସାଲିଆ ବିଦ୍ୟାଳୟ, ୫ଗୃହରେ ୮ଶ୍ରେଣୀ

State

ଆଗରପଡ଼ା: ବନ୍ତ ବ୍ଲକ ଅର୍ନ୍ତଗତ ତୋଫାବିବି କ୍ଲଷ୍ଟର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ୍ରିସାଲିଆ ଅବ୍ୟବସ୍ଥାରେ ରହିଛି । ଏଠାରେ ଶ୍ରେଣୀ ଗୃହ,କାର୍ଯ୍ୟାଳୟ,ଏପରିକି ବ୍ୟବହାର ଯୋଗ୍ୟ ଶୌଚାଳୟ ନଥିଲେ ମଧ୍ୟ ବିଦ୍ୟାଳୟ ଚାଲିଛି । ଶିକ୍ଷା ଅଧିକାର ଅଧିନିୟମ-୨୦୧୦ ଅନୁସାରେ ଶିକ୍ଷାକୁ ନାଗରିକର ମୈାଳିକ ଆବଶ୍ୟକତା ଭାବେ ଗ୍ରହଣ କରାଯାଇଥିବାରୁ ୬ ବର୍ଷରୁ ୧୪ ବର୍ଷର ସମସ୍ତ ପିଲାମାନେ ଯେପରି ବିଦ୍ୟାଳୟକୁ ଯିବେ ସେଥିପାଇଁ ଅଭିଭାବକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ଗୁରୁ ଦାଇତ୍ୱ ରହିଛି । ଉକ୍ତ ଯୋଜନାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଏହି ବିଦ୍ୟାଳୟକୁ ଦେଖିଲେ ସରକାରଙ୍କ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିବାସହ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ଏବେ କେବଳ ପ୍ରଚାର ଓ ପ୍ରସାରରେ ସିମିତ ପ୍ରାୟ ଥିବାର ଜଣାପଡ଼େ ।

ଏହି ବିଦ୍ୟାଳୟକୁ ୧୯୬୨ ମସିହାରେ ପ୍ରାଥମିକ ଓ ୨୦୦୮ ମସିହାରେ ଉଚ୍ଚ ପ୍ରାଥମିକ ସ୍କୁଲର ମାନ୍ୟତା ମିଳିଥିଲା । ୫ଟି ଗୃହ ରେ ଚାଲିଛି ୮ଟି ଶ୍ରେଣୀର ପାଠପଢା । ୧ମ ଓ ୨ୟ ଶ୍ରେଣୀ ଏବଂ ୪ର୍ଥ ଓ୫ମ ଶ୍ରେଣୀ ମିଶାମିଶି ହୋଇ ୨ଟି ଗୃହରେ ଚାଲିଛି । ସ୍ଥାୟୀ ଅଫିସ ଗୃହ ନଥିବାରୁ ଏହା ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି । ଶ୍ରେଣୀ ଗୃହ ଅଭାବରୁ ଗତ ୩ବର୍ଷ ହେବ ୮ମ ଶ୍ରେଣୀରେ ଅଧ୍ୟୟନ ପାଇଁ ପିଲାମାନଙ୍କ ନାମ ଲେଖା ବନ୍ଦ ଅଛି । ଯଦ୍ୱାରା ଶ୍ରେଣୀ ଥାଇ ମଧ୍ୟ ପିଲା ସଂଖ୍ୟା ଶୂନ । ଶ୍ରେଣୀ ଗୃହ ଅଭାବରୁ କିଛି ଦିନ ଧରି ଅଙ୍ଗନବାଡ଼ି ଗ୍‌ୃହରେ ପାଠପଢା ଚାଲିଥିଲା । ପାନୀୟ ଜଳ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀମାନେ ହୀନସ୍ତା ହେଉଛନ୍ତି । ବିଦ୍ୟୁତ୍ ସରବରାହ ବନ୍ଦ ହେଲେ ପାଣି ମିଳିବା କଷ୍ଟ କର ହୋଇପଡ଼ୁଛି । ସ୍କୁଲ ପଛପାର୍ଶ୍ୱ ପାଚେରୀ ନିର୍ମାଣ ହୋଇ ନଥିବାରୁ ବୁଲା ଗୋରୁ ଗାଈଙ୍କ ଅବାଧ ପ୍ରବେଶ ଘଟି ଶୈକ୍ଷିକ ପରିବେଶ ନଷ୍ଟ ହେଉଛି । ଶୈାଚାଳୟ ଅବସ୍ଥା ଭଲ ନଥିବାରୁ ଏହା ଠିକ୍ ଭାବେ ବ୍ୟବହାର ଯୋଗ୍ୟହୋଇ ପାରୁ ନାହିଁ । ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଶୈାଚାଳୟର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ । ସର୍ବଶିକ୍ଷା ତରଫରୁ ମିଳିଥିବା ରୋଷେଇ ଗୃହର ଅବସ୍ଥା ଠିକ୍ ନଥିବାରୁ ଏହି କାର୍ଯ୍ୟ ମଧ୍ୟ ଠିକ୍‌ରେ ସଂପାଦିତ ହୋଇ ପାରୁନାହିଁ । ସ୍କୁଲ ପରିବେଶରେ ପରିତ୍ୟକ୍ତ ଗୃହକୁ ଭାଙ୍ଗିବାର କୌଣସି ବ୍ୟବସ୍ଥା କରାଯାଉନଥିବାରୁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ।

ଏହିପରି ନାନାଦି ସମସ୍ୟା ମାନ ଏଠାରେ ରହିଛି । ସରକାରୀ ସ୍ତରରେ ଛତୁ ଫୁଟିବା ପରି ବିଦ୍ୟାଳୟମାନ ଖୋଲା ଯାଉଥିଲେ ସୁଦ୍ଧା ଅଧ୍ୟୟନ କ୍ଷେତ୍ରରେ ସେହିପରି କୌଣସି ସୁବିଧା ସୁଯୋଗ ଉପଲବ୍ଧ ହେଉ ନଥିବାରୁ ଏହା ଦ୍ୱାରା କିଛି ସୁଫଳ ମିଳିବା ବଦଳରେ ଏହା ଏକ ପ୍ରହସନରେ ପରିଣତ ହେଉଛି । ଏହି ପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିତ ଭାବେ କୋମଳମତୀ ଛାତ୍ରଛାତ୍ରୀମାନଙ୍କ ଉପରେ କୁପ୍ରଭାବ ପକାଇବ । ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।