Onn 3

ପରିଚୟ ଖୋଜୁଛି ସରକାରୀ ବିହନ ବିଶୋଧନାଗାର, ବର୍ଷେ ପରେବି ପୂରଣ ହୋଇ ପାରୁନି ପଦବୀ

State

ଆଗରପଡ଼ା: ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୃଷିକ୍ଷେତ୍ରରେ ଉନ୍ନତି ଆଣିବାକୁ ଚେଷ୍ଟିତ ହେଉଥିବା ବେଳେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନଥିବା ଜଣା ପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଶେଉଳଗଡ଼ିଆ ସରକାରୀ ବିହନ ବିଶୋଧନାଗାର ଠାରେ । ବର୍ଷେ ପରେବି କୃଷି ଓଭରସିୟର ପଦବୀ ପୂରଣ ହୋଇ ପାରୁନଥିବାରୁ ଏହାର ଦାଇତ୍ୱ ଜଣେ ଭିଏଡ଼ବ୍ଲୁ ନିର୍ବାହ କରୁଛନ୍ତି । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ବନ୍ତ ବ୍ଳକ ଏକ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ସରକାର ୧୯୫୫ ମସିହାରେ ଉକ୍ତ ବ୍ଳକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ ଶେଉଳଗଡ଼ିଆ ଠାରେ ଏକ ବିହନ ବିଶୋଧନାଗାର ପ୍ରତିଷ୍ଠା କରିଥିଲେ । ୪୫ ଏକର ପରିମିତ ଜମି ସହ ଫିଲ୍ଡମ୍ୟାନ, ୪ ଜଣ ସ୍ଥାୟୀ ଶ୍ରମିକ ଓ ୮ଟିି ବଳଦକୁ ନେଇ କାର୍ଯ୍ୟାରମ୍ଭ କରିଥିଲା ଏହି ବିଶୋଧନାଗାର । ପାଣିର ସୁବିଧା ପାଇଁ ୨ଟି କୂଅ, ନଳକୂପ, ଲିଫ୍ଟପଏଣ୍ଟ,୫ଏକର ପରିମିତ ସ୍ଥାନରେ ପୋଖରୀ ଆଦି ଖୋଳା ଯାଇଥିଲା । ଏହା ମଧ୍ୟରେ ଆମ୍ବ ଓ ନଡ଼ିଆ ପରି ଅନେକ ଚାରା ରୋପଣ କରାଯାଇଥିଲା । ବିଶୋଧନାଗାର ଚାରି ପାଖକୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ କରାଯିବା ସହ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ଓ ବଳଦଙ୍କ ପାଇଁ ଗୁହାଳଘର ଆଦି ନିର୍ମାଣ କରାଯାଇଥିଲା ।

ଇତି ମଧ୍ୟରେ ୬୭ ବର୍ଷ ବିତି ଯାଇଛି ଓ ଏହାର ରୂପରେଖରେ ବହୁ ପରିବର୍ତ୍ତନ ଆସିଛି । ପ୍ରବେଶ ପଥରେ ଥିବା ବଡ଼ ଲୁହା ଫାଟକ ଆଉ ନାହିଁ କି ପୂର୍ବରୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ ପରିବେଶବି ନାହିଁ । ତାର ବାଡ଼ ସବୁ ନଷ୍ଟ ହୋଇଯିବା ଦ୍ୱାରା ପରିବେଶ ମୁକୁଳା ପଡ଼ିଛି । କିଛି ଅଂଶରେ ପାଚେରୀ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ପାଲଟିଛି ଯଦ୍ୱାରା ଗୋରୁ ଗାଈ ସମେତ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଘଟୁଛି । ଏଠାରେ ନର୍ସରୀ ବନ୍ଦ ହୋଇଯିବା ଫଳରେ ଆଉ ଚାରା ଉତ୍ପାଦନ ହୋଇପାରୁ ନଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ନଡ଼ିଆ ଓ ଆମ୍ବ ଆଦି ଉତ୍ପାଦନ ପୁରାପୁରି ହ୍ରାସ ପାଇଛି । ଲିଫ୍ଟପଏ , କୂଅ ଓ ଟ୍ୟୁବୱେଲ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । କର୍ମଚାରୀ କ୍ୱାର୍ଟର, ଗୁହାଳ ଘର ଆଦି ପରିତ୍ୟକ୍ତ ଅବସ୍ଥାରେ ରହିଛି । ବିହନ ବିଶୋଧନାଗାରର ମୁଖ୍ୟ ଆଭିମୁଖ୍ୟ ହେଲା ଧାନକୁ ପ୍ରୋସେସିଂ କରାଯାଇ ବିହନକୁ ଚାଷୀମାନଙ୍କୁ ଦିଆଯିବା । କିନ୍ତୁ ବିଭିନ୍ନ ପରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ପୂର୍ବରୁ ପାଖାପାଖି ୧ ହଜାର କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରାଯାଉଥିବା ବେଳେ ବର୍ତ୍ତମାନ ମାତ୍ର ୫ ଶହ କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ୁଛି । ବର୍ତ୍ତମାନ ୧ଟି ଟ୍ରାକ୍ଟର, ୧ଟି ଧାନ କଟା ରିପର, ଧାନ ଅମଳ ପାଇଁ ଏକଟି ପ୍ରାଚି ଓ ବିଷ ଛିଞ୍ଚଣ ଯନ୍ତ୍ର ଅଛି । ଟ୍ରାକ୍ଟରଟିଏ ଥିଲେ ସୁଦ୍ଧା ଏହାକୁ ଚଲାଇବା ପାଇଁ ସ୍ଥାୟୀ ଚାଳକଟିଏ ନାହିଁ ।

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଇତି ମଧ୍ୟରେ ବିଭାଗ ଦ୍ୱାରା କର୍ମଚାରୀ କ୍ୱାର୍ଟର ନିର୍ମାଣ କରାଯାଇଥିବା ବେଳେ ସୋଲାର ଲାଇଟର ବନ୍ଦୋବସ୍ତ କରାଯାଇଛି । ଏବଂ ଉକ୍ତ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଖରୀ ସହ ୫ ଏକର ପରିମିତ ଜାଗାରେ ଗେଣ୍ଡୁ ଚାଷ ଓ ନାନାଦି ପନିପରିବା ଚାଷ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଗତ କିଛି ବର୍ଷ ହେବ ୩୫ ଏକର ଜମିରେ ଧାନ ଚାଷ କରାଯାଉଥିବା ବେଳେ ଏହାର ଚାରିପଟରେ ସୁରକ୍ଷା ପାଚେରୀ ନଥିବାରୁ ଅମଳରେ କ୍ଷୟକ୍ଷତି ଘଟିଛି ତେଣୁ ସ୍ଥାୟୀ ପାଚେରୀ ନିର୍ମାଣ ଜରୁରୀ ହୋଇପଡ଼ିଛି । ବିଡ଼ମ୍ବନାର ବିଷୟ ଏହିକିଯେ ଉକ୍ତ ବିହନ ବିଶୋଧନାଗାର ଜଣେ କୃଷି ଓଭରସିୟରଙ୍କ ଦାଇତ୍ୱରେ ବହୁବର୍ଷ ଧରି ଚାଲିଆସୁଥିଲା । ବିଭାଗ ତରଫରୁ ଆଉ କୌଣସି ସରାକାରୀ କର୍ମଚାରୀ ଏଠାରେ ନିଯୁକ୍ତି ପାଉନଥିବାବେଳେ । କୃଷି ଓଭରସିୟରଙ୍କ କାର୍ଯ୍ୟକାଳ ଗତ ବର୍ଷ ମେ ମାସରେ ସମାପ୍ତ ହୋଇଯାଇଥିଲା ଏବଂ ତାଙ୍କ ସ୍ଥାନରେ ଜଣେ ଭିଏଡ଼ବ୍ଲୁ ଙ୍କୁ ନିଯୁକ୍ତି ଦିଆଯାଇଥିଲା । ଉତି ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଉକ୍ତ ପଦବୀ ପୂରଣ ହୋଇ ପାରୁନି । ତେଣୁ ଏଠାରେ ପ୍ରଶ୍ନ ଉଠେଯେ ଉକ୍ତ କର୍ମଚାରୀ ରସାତଳଗାମୀ ହେଇଥିବା ବିହନ ବିଶୋଧନାଗାରର ଉନ୍ନତିପାଇଁ ଠିକ ଭାବେ କାର୍ଯ୍ୟ ନିର୍ବାହ କରିପାରିବେତ । ତେଣୁ ବିଭାଗ ଉକ୍ତ ବିହନ ବିଶୋଧନାଗାରଟିର ପୂର୍ବ ଏ୍ୟୌତିହ ଫେରାଇ ଆଣିବାକୁ ଏକ ଦକ୍ଷ ଅଧିକାରୀଙ୍କ ସମେତ କର୍ମଚାରୀ ନିଯୁକ୍ତି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।