Onn 3

ନଦୀ ପଠାରେ ଯୁବକକୁ ହତ୍ୟା ମାମଲା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

Crime State

ନିଶ୍ଚିନ୍ତକୋଇଲି : ଚାରି ବର୍ଷ ତଳେ ଧାର ସୂତ୍ରରେ ନେଇଥିବା ଟଙ୍କା ଫେରାଇବା ପରିବର୍ତେ କଳି ଝଗଡା କରିଥିଲା । ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେଲା ଭଳି ଏଥିରେ ପ୍ରତିଶୋଧ ପରାୟଣ ହୋଇ ଦୁଇ ଯୁବକ ମିଳିମିଶି ଯୋଜନାବଦ୍ଧ ଭାବେ ଯୁବକକୁ ହତ୍ୟା କରି ନଦୀ ପଠାକୁ ଫିଙ୍ଗିଦେଇଥିବାର ପୋଲିସ ଆଗରେ ବୟାନ ଦେଇଛନ୍ତି । ନିଶ୍ଚିନ୍ତକୋଇଲି ଥାନା ପୋଲିସ ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ସୂତ୍ରରୁ ପ୍ରକାଶ । ପୋଲିସ ଏହି ଘଟଣାରେ ବ୍ୟବହୃତ ଛୁରୀ ଓ ପଥରକୁ ଜବତ କରିଥିବାର ଜଣାଯାଇଛି । ପ୍ରାୟ ୪ ବର୍ଷ ତଳେ ନିଶ୍ଚିନ୍ତକୋଇଲି ଥାନା ବୁହାଳୋ ଗ୍ରାମପଂଚାୟତ ଏରକଣା ସାମିଲ ପଙ୍କପାଳ ଗ୍ରାମର ସନ୍ତୋଷ କୁମାର ଦାସ(୩୭) ନେମାଳ ଥାନା ବାଲିଆପଦା(ଦକ୍ଷିଣପାରି) ଗ୍ରାମର ରାମଚନ୍ଦ୍ର ଦାସଙ୍କ ପୁତ୍ର ଜୟନ୍ତ ଦାସଙ୍କ ଠାରୁ କରଜ ସୂତ୍ରରେ ୫ ହଜାର ଟଙ୍କା ଓ ନିଶ୍ଚିନ୍ତକୋଇଲି ଥାନା ବୁହାଳୋ ଗ୍ରାମର କାଳି ପ୍ରସନ୍ନ ପ୍ରଧାନଙ୍କ ପୁତ୍ର ଦିପକ ପ୍ରଧାନଙ୍କ ଠାରୁ ମଧ୍ୟ କିଛି ଟଙ୍କା ଧାର ସୂତ୍ରରେ ନେଇଥିଲେ । ଜୟନ୍ତ ଓ ଦିପକ ସନ୍ତୋଷକୁ ଏହି ଟଙ୍କା ବାରମ୍ବାର ମାଗିବା ସତ୍ୱେ ସେ ଟଙ୍କା ପରିଶୋଧ କରିବାର ନା ଗନ୍ଧ ଧରୁନଥିଲା । ଏହି ଟଙ୍କା ମାଗିବାକୁ କେନ୍ଦ୍ର କରି ୫ ତାରିଖ ଦିନ ସନ୍ତୋଷ ସହ ଜୟନ୍ତ ଓ ଦିପକର କଳି ଝଗଡା ହୋଇଥିଲା । ଏପରିକି ଟଙ୍କା ମାଗିବାରୁ ସନ୍ତୋଷ ତାଙ୍କୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଜୟନ୍ତ ଓ ଦିପକ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ । ଜୟନ୍ତ ଓ ଦିପକ ଯୋଜନାବଦ୍ଧ ଭାବେ ସନ୍ତୋଷକୁ ଜୀବନରୁ ମାରିଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ ।

୫ ତାରିଖ ରାତ୍ରରେ ମଦ ପିଇବା ନିମନ୍ତେ ଜୟନ୍ତ ଓ ଦିପକ ଯୋଜନାବଦ୍ଧଭାବେ ସନ୍ତୋଷକୁ ତାଙ୍କ ଘରୁ ସ୍ଥାନୀୟ ନଦୀକୂଳକୁ ନେଇ ଯାଇଥିଲେ । ସେଠାରେ ୩ ଜଣ ମିଶି ମଦ୍ୟପାନ କରିଥିଲେ । ମଦ୍ୟପାନ କରିବା ପରେ ୩ ଜଣ ଯାକ ନିଶାରେ ଚୁର ହୋଇଯାଇଥିଲେ । ଏହି ସମୟରେ ବାକି ଟଙ୍କା କୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ କଳି ଝଗଡା ଚରମସୀମାରେ ପହଂଚିଥିଲା । ଏପରିକି ସେଠାରେ ୩ ଜଣ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ । ଦିପକ ଓ ଜୟନ୍ତ ଏକ ଛୁରୀ ସାହାଯ୍ୟରେ ସନ୍ତୋଷର ଛାତି ଠାରୁ ମୁଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସନ୍ତୋଷ ଲହୁ ଲୁହାଣ ହୋଇ କରୁଣ ଚିତ୍କାର କରିଥିଲା । ବଂଚିଲେ ସନ୍ତୋଷ ଘଟଣା ପ୍ରଘଟ କରିଦେବ ଭାବି ଜୟନ୍ତ ଓ ଦିପକ ତାକୁ ଏକ ପଥରରେ ଛେଚି ଜୀବନରୁମାରି ଦେଇଥିଲେ । ସନ୍ତୋଷର ଶବକୁ ଦିପକ ଓ ଜୟନ୍ତ ଚିତ୍ରୋତ୍ପଳା ନଦୀ ପଠାରେ ପକାଇ ଦେଇ ଫେରାର ହୋଇଯାଇଥିଲେ । ତେବେ ମଙ୍ଗଳବାର ଦିନ ସକାଳେ ସ୍ଥାନୀୟ ଲୋକେ ନାଗାମଠସ୍ଥିତ ଚିତ୍ରୋତ୍ପଳା ନଦୀକୁ ସ୍ନାନ କରିବା ନିମନ୍ତେ ଯାଇଥିଲା ବେଳେ ସନ୍ତୋଷ ମରି ପଡିଥିବାର ଦେଖିବାକୁ ପାଇଥିଲେ ।

ଏହି ଘଟଣା ପ୍ରଚାରିତ ହେବାକ୍ଷଣି ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଏସମ୍ପର୍କରେ ମୃତ ସନ୍ତୋଷର ପତ୍ନୀ ସସ୍ମିତା ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ କରିଥିଲେ । ତେବେ ଏହି ସମୟରେ ଘଟଣାସ୍ଥଳରେ ଦିପକ ପ୍ୟାଂଟ ସାର୍ଟ ପିନ୍ଧି ବୁଲୁଥିବାର ଦେଖି ସନ୍ତୋଷକୁ ସେ ହତ୍ୟା କରିଛି ବୋଲି ସସ୍ମିତା ପୋଲିସ ଆଗରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ତତ୍‌କ୍ଷଣାତ ପୋଲିସ ଦିପକକୁ ଧରିଥିଲେ । ପୋଲିସ ଏହି ସମୟରେ ଦିପକ ପକେଟରୁ ଏକ ଛୁରୀ ଜବତ କରିଥିଲେ । ପୋଲିସ ଆଗରେ ଦିପକ ସମସ୍ତ ଘଟଣା ମାନିଯିବା ସହ ଏହି ଘଟଣାରେ ଜୟନ୍ତ ସମ୍ପୃକ୍ତ ଥିବାର ପ୍ରକାଶ କରିଥିଲା । ପୋଲିସ ତାର ବୟାନକୁ ଭିତି କରି ଦକ୍ଷିଣପାରି ଗ୍ରାମରୁ ଜୟନ୍ତକୁ ଉଠାଇ ଆଣିଥିଲା । ତେବେ ପୋଲିସ ଆଗରେ ଜୟନ୍ତ ଓ ଦିପକ ସମସ୍ତ ଘଟଣା ମାନି ଯାଇଥିଲେ । ପୋଲିସ ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ ଥାନା କେଶ ନଂ ୧୦୩/୨୦୨୩ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା ବେଳେ ବ୍ୟବହୃତ ଛୁରୀ ଓ ଏକ ପଥରକୁ ପୋଲିସ ଜବତ କରିଥିବାର ଥାନା ଆଇଆଇସି ଚିନ୍ମୟୀ ସାହୁ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବାର ଜଣାଯାଇଛି ।