Onn 3

ମାନସିକ ନିର୍ଯ୍ୟାତନା ସହି ନପରି ବିଷପାନ କରି ଯୁବକର ଆତ୍ମହତ୍ୟା

Crime State

ନିଶ୍ଚିନ୍ତକୋଇଲି : ଭଦ୍ରେଶ୍ୱର ଥାନା ପାଣ୍ଡିଆ ଗ୍ରାମର ମଦନ ମୋହନ ରାଉଳଙ୍କ ବିବାହିତ ପୁତ୍ର ଧର୍ମେନ୍ଦ୍ର ନିଜ ଶାଶୁ ଶ୍ୱଶୁର ଓ ଶାଳକଙ୍କ ନିର୍ଯ୍ୟାତନାରେ ମାନସିକ ସ୍ତରରେ ଆଘାତ ପାଇ ବିଷପାନ କରି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ପାଣ୍ଡିଆ ଗ୍ରାମର ମଦନ ମୋହନ ରାଉଳଙ୍କ ସାନପୁତ୍ର ଧର୍ମେନ୍ଦ୍ର ଦୀର୍ଘ ଦିନ ହେଲା ତାଙ୍କ ପତ୍ନୀ ସହ ଅନ୍ୟତ୍ର ରହି ଆସୁଥିଲେ । ତେବେ ବହୁ ସମୟରେ ପତି ପତ୍ନୀଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା । ଏହି ଘଟଣାର ଏକାଧିକ ବାର ସମାଧାନ କରାଯାଇଥିଲା ।

ତେବେ ଗତ ୧ ତାରିଖ ଦିନ ପତି ପତ୍ନୀଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା । ଗତ ୨ ତାରିଖ ଦିନ ଧର୍ମେନ୍ଦ୍ରଙ୍କ ଶ୍ୱଶୁର ବିଜୟ ଦାସ, ଶାଶୁ ଲକ୍ଷ୍ମୀପ୍ରିୟା ଓ ଶାଳକ ବିକାଶ ତାଙ୍କ ଘରେ ପହଂଚି ଧର୍ମେନ୍ଦ୍ରଙ୍କୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଲି ଗୁଲଜ କରିବା ସହ ଧମକ ଚମକ ଦେଇଥିଲେ । ଏଥିରେ ମାନସିକ ସ୍ତରରେ ଆଘାତ ପାଇ ଧର୍ମେନ୍ଦ୍ର ଗତ ୨ ତାରିଖ ଦିନ ବିଷପାନ କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏସମ୍ପର୍କରେ ତାଙ୍କର ପିତା ଭଦ୍ରେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଭଦ୍ରେଶ୍ୱର ଥାନା ପୋଲିସ ନାମକୁ ମାତ୍ର ମାମଲା ରୁଜୁ କରି ହାତବାନ୍ଧି ବସିଥିଲେ ।

ଆଜି ଚିକିତ୍ସାଧିନ ଅବସ୍ଥାରେ ଧର୍ମେନ୍ଦ୍ରଙ୍କ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ତେବେ ପୋଲିସ ଏହି ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଯୋଗୁ ତାଙ୍କର ପିତା କଟକ ଜିଲ୍ଲା ଗ୍ରାମାଂଚଳ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ନିମନ୍ତେ ଦୃଢ ଦାବି କରିଛନ୍ତି ।