Onn 3

ପରକୀୟା ପ୍ରୀତିରୁ ପରିବା ବ୍ୟବସାୟୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

Crime State

ନିଶ୍ଚିନ୍ତକୋଇଲି : ଗତକାଲି ରାତ୍ରର ବିଳମ୍ବିତ ପ୍ରହରରେ କଟକ ଜିଲ୍ଲାର ସର୍ବ ବୃହତ ଆଦର୍ଶ ନିଶ୍ଚିନ୍ତକୋଇଲି ସାପ୍ତାହିକ ହାଟରେ ଏକ ଅଭାବନୀୟ ଘଟଣା ଘଟିଛି । ପରକୀୟା ପ୍ରୀତିକୁ ନେଇ ଜଣେ ପରିବା ବ୍ୟବସାୟୀଙ୍କ ଊପରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣକାରୀ ଉତ୍ୟକ୍ତ ଜନତାଙ୍କ ମାଡରେ ଲହୁ ଲୁହାଣ ହୋଇଥିଲା ବେଳେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ତାଙ୍କୁ ଥାନାରେ ଅଟକ ରଖିଥିବାର ଜଣାଯାଇଛି । ବଡକ୍ଷୀର ଗ୍ରାମ ପଂଚାୟତ ଗୋପପୁର ଗ୍ରାମର ହୃଷିକେଶ ସାହୁ ଦୀର୍ଘ ବର୍ଷ ହେଲା ସ୍ଥାନୀୟ ନିଶ୍ଚିନ୍ତକୋଇଲି ହାଟରେ ପନିପରିବା ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ପରକୀୟା ପ୍ରୀତିକୁ ନେଇ ତାଙ୍କ ସ୍ଥାନୀୟ ନିଶ୍ଚିନ୍ତକୋଇଲି ଗ୍ରାମର ରଞ୍ଜନ କୁମାର ସାହୁଙ୍କ ସହ ବିବାଦ ରହିଆସିଥିଲା ।

 

ଗତ କାଲି ରାତ୍ର ପ୍ରାୟ ୧୧ ଟା ବେଳେ ହୃଷିକେଶ ହାଟରେ ପନିପରିବା ବ୍ୟବସାୟ କରୁଥିଲା ବେଳେ ଆକସ୍ମିକ ଭାବେ ରଞ୍ଜନ ଘଟଣାସ୍ଥଳରେ ପହଂଚି ତାଙ୍କୁ ଏକ କଟୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲା । ହୃଷିକେଶଙ୍କ ଚିତ୍କାର ଶୁଣି ସ୍ଥାନୀୟ ବ୍ୟବସାୟୀମାନେ ଘଟଣାସ୍ଥଳରେ ପହଂଚି ଆକ୍ରମଣକାରୀ ରଞ୍ଜନକୁ କାବୁ କରିବା ସହ ଉତମ ମଧ୍ୟମ ଦେଇଥିଲେ । ଉତ୍ୟକ୍ତ ବ୍ୟବସାୟୀଙ୍କ ଆକ୍ରମଣରେ ରଞ୍ଜନ ଲହୁ ଲୁହାଣ ହୋଇଥିବାର ଜଣାଯାଇଛି । ସ୍ଥାନୀୟ ବ୍ୟବସାୟୀମାନେ ଗୁରୁତର ଅବସ୍ଥାରେ ହୃଷିକେଶଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏସମ୍ପର୍କରେ ହୃଷିକେଶଙ୍କ ପୁତ୍ର ସାରଦାଙ୍କ ଅଭିଯୋଗକୁ ଭିତି କରି ନିଶ୍ଚିନ୍ତକୋଇଲି ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଏହି ଘଟଣାରେ ରଞ୍ଜନକୁ ଧରି ଥାନାରେ ଅଟକ ରଖିଛନ୍ତି ।