Onn 3

ବାହାନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ସ୍ୱାଗତ କଲା ବିଜେଡି

State

ବାହାନଗା: ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛି ରେଳବାଇ ବୋର୍ଡ। ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା ଘୋଷଣା କରିବା ପରେ ଦୁର୍ଘଟଣା ପଛରେ ଷଡ଼୍‌ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ତେବେ ଟ୍ରେନ ଟ୍ରାଜେଡ଼ିରେ ସିବିଆଇ ତଦନ୍ତକୁ ସ୍ୱାଗତ କରିଛି ବିଜେଡି । ଦଳର ଉପସଭାନେତ୍ରୀ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି ଭଲ ହୋଇଛି ସିବିଆଇ ତଦନ୍ତ ଦିଆଯାଇଛି । ଯିଏ ଦୋଷୀ ସେ ଦଣ୍ଡ ପାଇବ ।

ସିବିଆଇ ତଦନ୍ତ ହେଲେ ତ ଲୋକଙ୍କ ଜୀବନ ଫେରି ଆସିବନି କିନ୍ତୁ ତଦନ୍ତ ହେଲେ ଦୋଷୀ ଧରାପଡ଼ିବ । ସିବିଆଇ ତଦନ୍ତ କରୁଛନ୍ତି ଠିକ ଜିନିଷ ଧରା ପଡ଼ିବ । ଯେଉଁମାନେ ସମ୍ପୃକ୍ତ ଥିବେ ସେମାନେ ସାମ୍ନାକୁ ଆସିବେ । ନିଶ୍ଚିତ ଭାବେ କିଛି ଭୁଲ ଭଟକା ଯୋଗୁଁ ଏହି ଘଟଣା ଘଟିଛି ତେଣୁ ଆମେ ସିବିଆଇ ତଦନ୍ତକୁ ସ୍ୱାଗତ କରୁଛୁ । କୌଣସି ମୃତ୍ୟୁ ଲୁଚାଯାଇନି । ଆମେ ପ୍ରାଣପ୍ରଣେ ଉଦ୍ୟମ କରି ସବୁ ମୃତଦେହ ବାହାର କରିଛୁ । ତଥ୍ୟ ଲୁଚେଇ ଆମର କଣ ଲାଭ ହେବ ଯେ ଆମେ ଲୁଚେଇବୁ । ସମସ୍ତେ ତନତନ କରି ଦେଖିଛନ୍ତି । କେଉଁଠି କିଛି ଲୁଚା ଯାଇନି । ରାଜନୀତି କରିବାର ଇଏ ସମୟ ନୁହେଁ ।

ଅନେକ ଲୋକ ଚିକିତ୍ସିତ ହେଉଛନ୍ତି ଅନେକ ଲୋକଙ୍କ ଜୀବନ ଯାଇଛି । ସେମାନଙ୍କ ସହ ଛିଡ଼ା ହେବାର ସମୟବେଳେ ରାଜନୀତି କରିବା ପାଇଁ ବହୁତ ସମୟ ଅଛି । ଯେଉଁମାନେ ଏଇ ଘଟଣାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଆଗ ଆହତ ଓ ମୃତ୍ୟୁ ବ୍ୟକ୍ତି ପରିବାର ସହ ଯାଇକି ଛିଡ଼ା ହୁଅନ୍ତୁ ଆଉ ସାନ୍ତ୍ୱନା ଦିଅନ୍ତୁ । କହିବା ବଦଳରେ ଯାଇକି କିଛି କରନ୍ତୁ । ଘଟଣାକୁ ନେଇ ରାଜନୀତି ନ କରନ୍ତୁ ।