Onn 3

ସରକାରଙ୍କୁ ଲ’ କମିସନଙ୍କ ସୁପାରିସ, ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ

National & International

ନୂଆଦିଲ୍ଲୀ: ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ। ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ୧୨୪କ ଧାରାରେ ରାଜଦ୍ରୋହ ସଂପର୍କରେ ଅବତାରଣା କରାଯାଇଛି। ତେବେ ଏହାକୁ କେଉଁସବୁ ପରିସ୍ଥିତିରେ ଲାଗୁ କରାଯିବା ଆବଶ୍ୟକ ସେଥିରେ ସଂଶୋଧନ ଅଣାଯିବା ଉଚିତ ବୋଲି ଅବସରପ୍ରାପ୍ତ ବିଚାରପତି ଋତୁରାଜ ଅୱସ୍ଥିଙ୍କ ନେତୃତ୍ବରେ ଗଠିତ ଲ’ କମିସନ ତାଙ୍କ ରିପୋର୍ଟରେ କହିଛନ୍ତି। କମିସନଙ୍କ ପକ୍ଷରୁ ଉକ୍ତ ରିପୋର୍ଟ ଆଇନ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ଉକ୍ତ ଆଇନର ଅପବ୍ୟବହାରକୁ ରୋକିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦି‌ଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଉଚିତ। ତେବେ ୧୨୪କ ଧାରାର ଦୁରୁପଯୋଗ ହେଉଛି ବୋଲି କେବଳ ଅଭିଯୋଗ କରି ଏହାକୁ ଉଚ୍ଛେଦ ପାଇଁ କୁହାଯାଇ ପାରିବ ନାହିଁ ବୋଲି କମିସନ କହିଛନ୍ତି।
ଭାରତର ଏକତା ଏବଂ ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ରାଜଦ୍ରୋହ ଆଇନର ଆବଶ୍ୟକତା ରହିଛି। ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ରହିଛି। ରାଷ୍ଟ୍ରର ସୁରକ୍ଷାକୁ ନିଶ୍ଚିତ କରାଯାଇ ପାରିଲେ ହିଁ ନାଗରିକମାନଙ୍କର ସ୍ବାଧୀନତାକୁ ନିଶ୍ଚିତ କରାଯାଇ ପାରିବ ବୋଲି କମିସନ କହିଛନ୍ତି। ଭାରତ ବିରୋଧରେ ଉଗ୍ରବାଦ ଏବଂ ସରକାରଙ୍କ ବିରୋଧରେ ଘୃଣାର ପ୍ରସାରରେ ସାମାଜିକ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ବିଦେଶୀ ଶକ୍ତିଙ୍କ ପ୍ରରୋଚନା ଏବଂ ସୁବିଧାସୁଯୋଗରେ ଏଭଳି କାର୍ଯ୍ୟକ୍ରମ ଅନେକ ସମୟରେ ହୋଇଥାଏ। ତେଣୁ ଏଥିପାଇଁ ୧୨୪କ ଧାରା ରହିବା ଆବଶ୍ୟକ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ସମ୍ବିଧାନର ୧୯(୨) ଧାରା ବା ବାକ୍‌ ସ୍ବାଧୀନତା ଅଧିକାର ଉପରେ ଉଚିତ କଟକଣା ଲଗାଇବା ଅଧିକାର ସରକାରଙ୍କର ରହିଛି। ରାଜଦ୍ରୋହ ଆଇନ ହିଁ ଏହି କଟକଣା ବୋଲି କମିସନ କହିଛନ୍ତି।