Onn 3

ଶବ ଖୋଜି ଖୋଜି ଧର୍ଯ୍ୟହରା ପରିବାର

State

ପୁଅକୁ ଖୋଜି ଖୋଜି ଚେତା ହରାଉଛନ୍ତି ବାପା । ମୁହଁରେ ପାଣି ଛାଟି ଛାଟି ଚେତା ଫେରାଇବାକୁ ଚେଷ୍ଟା ଚଲାଇଛନ୍ତି ଉପସ୍ଥିତ ଲୋକେ । ଯେତେବେଳେ ବି ଟିକେ ଚେତା ଫେରୁଛି ସେତେବେଳେ ପୁଅକୁ ଖୋଜୁଛନ୍ତି । କହୁଛନ୍ତି ମୋ ପୁଅକୁ ଖୋଜିଆଣ ଟିକେ ମୋ ପୁଅକୁ ଦେଖା କରିଦିଅ। ଆଉ ଉପସ୍ଥିତ ଲୋକେ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଧର୍ଯ୍ୟ ଧରିବାକୁ କହୁଛନ୍ତି । ହେଲେ ବାପା ମନ ନା । କେମିତି ବା ବୁଝିବ। ଏହା ଏମିତି ଏକ ଦୁର୍ଘଟଣା ଯାହା କଳ୍ପନା ବାହାରେ। ଦୁଇ ଏକ୍ସପ୍ରେସ ମଧ୍ୟରେ ଏପରି ଦୁର୍ଘଟଣା ଘଟିବା କେହି କେବେ କଳ୍ପନାରେ ଭାବିନଥିବେ ।

ଯାହା ସୂଚନା ମିଳିଛି କି, ବାଲେଶ୍ୱର ବାହାନଗାରେ ହୋଇଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଆଉ ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଞ୍ଚୁଥିବାର ବି ଦେଖିବାକୁ ମିଳୁଛି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ହେଲେ କିଛି ପରିବାର ଘଟଣାସ୍ଥଳରେ ପହଁଚି ଫଟୋ ଧରି ନିଜ ଲୋକର ଶବ ଖୋଜିବାରେ ଲାଗିପଡିଛନ୍ତି। ଖୋଜି ଖୋଜି ହାଲିଆ ହୋଇଗଲେଣି, କିନ୍ତୁ କିଛି ବି ଖୋଜ ଖବର ମିଳୁନାହିଁ ସେମାନଙ୍କର।

ଏପଟେ ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି । ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଉଦ୍ଧାର କାର୍ଯ୍ୟକୁ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଉ ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ବାକି ରହିଛି। ନିର୍ଦ୍ଦିଷ୍ଟ ଏକ ବଗି ମାଟିରେ ଧସି ହୋଇ ରହିଛି। ସଂପୃକ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ଆଉ କିଛି ସମୟ ଲାଗିବ। ଆହତଙ୍କୁ ବାଲେଶ୍ୱର ,ଭଦ୍ରକର ଓ କଟକ ବ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏପଟେ ଖବର ଥାଉକି, ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ଏହା ଦ୍ୱିତୀୟ ଘଟଣା । ପୁଣି ମନେପକାଇ ଦେଲା ୨୦୦୯ର ଘଟଣା। ପୂର୍ବରୁ ୨୦୦୯ ମସିହାରେ ଯାଜପୁରରେ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନ ବି ଥିଲା ଶୁକ୍ରବାର । ଗତକାଲି ବି ଶୁକ୍ରବାର । ସେଦିନ ବି ରାତି ପ୍ରାୟ ୭ଟା ପରେ ଗତକାଲିର ଦୁର୍ଘଟଣା ବି ପାଖାପାଖି ସେହି ସମୟରେ ଘଟିଥିଲା । ୧୪ ବର୍ଷ ତଳର କାଳ ଶୁକ୍ରବାର ଯେମିତି ଦୋହରାଇଛି ତାର ସେହି ସମାନ ଦୁର୍ଘଟଣାକୁ । ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ୍‌ ପାଇଁ କାଳ ହୋଇଥିଲା ।