Img 20250311 Wa0207

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ତଥା ଦ୍ୱାଦଶ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଦ୍ୱାଦଶ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳନ ସହିତ ପରିଷଦର ବାର୍ଷିକ ଉତ୍ସବ ବିଶ୍ୱବିଦ୍ୟାଳୟ ପରୀକ୍ଷା ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଓଡ଼ିଆ ହିସାବରେ ଆମର ସ୍ୱାଭିମାନ ବୋଧ ଉପରେ ମନ୍ତବ୍ୟ ରଖିଥିଲେ । ଓଡ଼ିଆଙ୍କ ବାର ମାସରେ ତେର ପର୍ବ ଭଳି ବର୍ଷବ୍ୟାପୀ ସାହିତ୍ୟ ପରିଷଦ କିପରି ବିଭିନ୍ନ କାର୍ଯ୍ୟକ୍ରମ କରି ବିଶ୍ୱବିଦ୍ୟାଳୟରେ ଏକ ନିଆରା ସାହିତ୍ୟ ପରିବେଶ ସୃଷ୍ଟି କରିପାରିବ ସେ ସମ୍ବନ୍ଧରେ ଏକ ରୂପରେଖ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜର ଉପଜିଲ୍ଲାପାଳ କବି ଡ. ଦୟାସିନ୍ଧୁ ପରିଡ଼ା କବିତାର ଭଙ୍ଗୀରେ ନିଜର ଓଜସ୍ୱିନୀ ବକ୍ତବ୍ୟ ରଖିଥିଲେ । ମା’ର ମମତା ଜଗତରେ କିପରି ମଣିଷକୁ ବଡ଼ କରିପାରେ ସେହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ପରିଷଦର ସଭାପତି ପ୍ରଫେସର ବବ୍ରୁବାହନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସହ-ସମ୍ପାଦକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବିଶିଷ୍ଟ ସାହିତ୍ୟ ପ୍ରତିଭା ଗବେଷକ ଅନୁବାଦକ ଡ. ପ୍ରଣବ ରଞ୍ଜନ ଭୁୟାଁଙ୍କୁ ମାନପତ୍ର, ଉପଢୌକନ ଦେଇ କୁଳପତି ପ୍ରଫେସର ତ୍ରିପାଠୀ ପରିଷଦ ତରଫରୁ ସମ୍ବର୍ଦ୍ଧନା କରିଥିଲେ । ଡ. ଭୁୟାଁ ରାଧାନାଥଙ୍କ ଚିଲିକା, ଗଙ୍ଗାଧର ମେହେରଙ୍କ ତପସ୍ୱିନୀ ପରି କାବ୍ୟ ମାନଙ୍କୁ ଇଂରାଜୀରେ ଅନୁବାଦ କରି ବିଶ୍ୱ ଦରବାରେ ଓଡ଼ିଆ ଭାଷା ଓ ସାହିତ୍ୟରେ ମହତ୍ତ୍ୱକୁ ପହଞ୍ଚାଇ ପାରିଛନ୍ତି ବୋଲି ବକ୍ତାମାନେ ପ୍ରଶଂସା କରିଥିଲେ । ତାଙ୍କର ଅନୁବାଦିତ ପୁସ୍ତକ ମାନ ଆମେରିକା, ଇଂଲଣ୍ଡ, ରୁଷ୍‌ ଆଦି ୟୁରୋପୀୟ ଦେଶମାନଙ୍କରେ ଅତି ଆଦର ଲାଭ କରିଅଛି । ଏହି ବାର୍ଷିକ ଉତ୍ସବ ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ, ଇଂରାଜୀ, ସଂସ୍କୃତ, ସାନ୍ତାଳୀ ଭାଷାରେ ପ୍ରବନ୍ଧ ରଚନା, ଓଡ଼ିଆ ଓ ଇଂରାଜୀରେ ତର୍କ, ଓଡ଼ିଆ କବିତା, ଆଧୁନିକ ସଙ୍ଗୀତଗାନ ଓ ଅନୁବାଦ ଆଦି ପ୍ରତିଯୋଗିତାରେ ଏକତିରିଶ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପରିଷଦ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ସହ-ସଂପାଦକ ଡ. ସ୍ୱରୂପାନନ୍ଦ ବିଷୟୀ, ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ରାଜକୁମାର ପାତ୍ର, ହୃଶୀକେଶ ମହାନ୍ତ, ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କବି ଓ ଲେଖକମାନଙ୍କ ଦ୍ୱାରା ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । କବିତା ପାଠୋତ୍ସବକୁ ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଅଧ୍ୟାପକ ଶ୍ରୀ ସ୍ନେହାଶିଷ ମହାନ୍ତି ସଂଯୋଜନା କରିଥିଲେ ଓ ଅତିଥି ଭାବରେ କବୟତ୍ରୀ ବିରଜା ଦେବୀ, କବି ଶଙ୍କର ଜେନା, ଓ ଅଶୋକ ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।