Ww

ଜାଗରମେଳା ପାଇଁ ମନ୍ଦିରମାଳିନୀ ଆଗରପଡ଼ା ଚଳଚଂଚଳ

State

ଆଗରପଡ଼ା,୨୫/୨(ସମିସ):ରାତି ପାହିଲେ ମହାଶିବରାତ୍ରୀ ଓ ଜାଗରମେଳା । ସେଥିପାଇଁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମନ୍ଦିରମାଳିନୀ ଆଗରପଡ଼ାର ବିଭିନ୍ନ ଶୈବପୀଠ ଅଣିଜୋ ସ୍ଥିତ ବାବା ସିନ୍ଧୁକେଶ୍ୱର ମହାଦେବ,ତ୍ରିସାଲିଆ ସ୍ଥିତ ବାବା ସୁବର୍ଣ୍ଣେଶ୍ୱର ମହାଦେବ ଓ ପୁରୁଷଣ୍ଢ ସ୍ଥିତ ବାବା ପାରକେଶ୍ୱର ମହାଦେବଙ୍କ ପୀଠ ଚଳଚଂଚଳ ହୋଇଉଠିଛି । ଜନଶ୍ରୁତି କହେ ଯେ;ବର୍ତ୍ତମାନର ମନ୍ଦିର ପଣ୍ଡା ଓ କାଉପୁର ନିକଟସ୍ଥ ନାଲଗରା ନିବାସୀ ଯଶୋବନ୍ତ ଚୌଧୁରୀ, ରାମାନୁଜ ବ୍ରହ୍ମଚାରୀ ଏବଂ ଗ୍ରାମବାସୀମାନଙ୍କର ମିଳିତ ଉଦ୍ୟମରେ ୧୯୧୮ ମସିହାରେ ମନ୍ଦିର ନିର୍ମାଣ ହୋଇଥିଲା । ବାବା ସିନ୍ଧୁକେଶ୍ୱର ପ୍ରାୟ ୧୨ଏକର ଜମି ଉପରେ ପ୍ରତିଷ୍ଠିତ । ତାଙ୍କ ଉଚ୍ଚତା ୨୦ମିଟର ୩ ଇଞ୍ଚ । ମନ୍ଦିରର ପୂର୍ବ ଦିଗରେ ସିଂହଦ୍ୱାର ଏବଂ ସମ୍ମୁଖରେ ଅଶ୍ୱତ୍‌ଥ ଗଛ ମୂଳେ ସିଂହ ଏବଂ ବୃଷଭଙ୍କର ମୂର୍ତ୍ତି ବାବାଙ୍କ ପୀଠକୁ ହୃଦୟସ୍ପର୍ଶୀ କରିପାରିଛି । ମନ୍ଦିରର ଉତ୍ତର ଓ ଦକ୍ଷିଣ ଦିଗରେ ମଧ୍ୟ ଦୁଇଟି ଦ୍ୱାର ରହିଛି । ମନ୍ଦିରର ଦକ୍ଷିଣ ଦିଗରେ ଗୋଟିଏ ବଡ଼ ପୁଷ୍କରିଣୀ ଖୋଳାଯାଇଛି ଯାହାର ଗଭୀରତା ପ୍ରାୟ ୧୮ଫୁଟ ଏବଂ ଆୟତନ ଏକ ଏକର । ମନ୍ଦିରର ବେଢ଼ା ଭିତରେ ଏକ ବାମ୍ଫି ରହିଛି, ଯାହାର ଗଭୀରତା ୩୦ଫୁଟ ବା ୨୧ହାତ । ଯାହା ଜଳକୁ ନେଇ ଠାକୁରଙ୍କ ନୀତି କରାଯାଏ । ମନ୍ଦିରରେ ଗଣେଶ, ଜଗନ୍ନାଥ, ହନୁମାନ, ମା’ ପାର୍ବତୀ ଓ ସ୍ୱୟଂ ବାବା ପଞ୍ଚଦେବତା ରୂପେ ପୂଜା ପାଉଛନ୍ତି । ବଡ଼ଦେଉଳ ସମ୍ମୁଖରେ ୯ଫୁଟ ବା ୧୦୮ଇଞ୍ଚ ବିଶିଷ୍ଟ ଏକ ବାସୁଆ ବଳଦ ଖମ୍ବ ଉପରେ ଠିଆ ହୋଇଛି । ବାବାଙ୍କ ଲିଙ୍ଗ କଳାରଂଗର ମୁଗୁନି ପଥର ପରି ଚିକ୍‌ଚିକ୍ ଚିକ୍କଣ ବାବାଙ୍କ ଲିଙ୍ଗ, ପାତାଳୀ ଲିଙ୍ଗ ଯାହାର ମୋଟେଇ ଗୋଲେଇ ଅନୁମାନିକ ୭ ହାତ ହେବ । (କାରଣ ଲିଙ୍ଗକୁ କେବେ ମପାଯାଏ ନାହିଁ ତେଣୁ ମାପ ସଠିକ୍ ନିଆଯାଇନପାରେ) ଲିଙ୍ଗର ଉଚ୍ଚତା ୩ରୁ ସାଢ଼େ ୩ଫୁଟ ମଧ୍ୟରେ ହେବ । ଲିଙ୍ଗକୁ ଲାଗି ଏକ ତମ୍ବା ସର୍ପ ରହିଛି । ଯାହାର ଉଚ୍ଚତା ପ୍ରାୟ ୪ ଫୁଟ । ବାବାଙ୍କ ମସ୍ତକରେ ରୂପାର ଏକ ମୁକୁଟ ରହିଛି ।

ସେହିପରି ଭଦ୍ରକ ଜିଲ୍ଲାରୁ ୨୨କି.ମି ଦୂର ଆଗରପଡ଼ାର ରାଉତରାପୁର, ମହାନ୍ତିପଡ଼ା ଓ ତ୍ରିସାଲିଆ ଗ୍ରାମର ମଧ୍ୟ ସ୍ଥଳରେ ଅବସ୍ଥିତ ବାବା ସୁବର୍ଣ୍ଣେଶ୍ୱର ମହାଦେବ । ଆଜକୁ ପ୍ରାୟ ୭୭ବର୍ଷ ତଳେ (୧୯୪୫ମସିହା ବେଳକୁ ) ରାଉତରାପୁର ଗ୍ରାମର ୰ପୂର୍ଣ୍ଣଚନ୍ଦ୍ର ଓଝାଙ୍କ ଘର ଅଗଣାରୁ ଏକ ପଥର ନିର୍ମାଣ “ବାସୁଆବଳଦ” ପ୍ରତିମୃର୍ତ୍ତିକୁ ଉଦ୍ଧାର କରାଯାଇଥିଲା । ପ୍ରତିମୃର୍ତ୍ତିକୁ ଉଦ୍ଧାର କରାଯିବାର କିଛିଦିନ ପରେ ଶ୍ରୀଧର ଓଝା ନାମକ ବ୍ୟକ୍ତିଙ୍କୁ “ଲିଙ୍ଗରାଜ” ନାମରେ ଏକ ମନ୍ଦିର ତୋଳିବା ପାଇଁ ସ୍ୱପ୍ନାଦେଶ ହୋଇଥିଲା । ପ୍ରଭୁଙ୍କ ଆଦେଶକ୍ରମେ ମନ୍ଦିର ନିର୍ମାଣ ହୋଇଥିଲା ଓ ପରବର୍ତ୍ତୀ ସମୟରେ ଏହା ସୂବର୍ଣ୍ଣେଶ୍ୱର ନାମରେ ନାମିତ ହୋଇଥିଲା । ଉଦ୍ଧାର ହୋଇଥିବା ବାସୁଆ ବଳଦଙ୍କ ପ୍ରତିମୂର୍ତ୍ତିକୁ ମନ୍ଦିର ପ୍ରାଂଗଣ ରେ ସ୍ଥାପନ କରାଯାଇଥିଲା । ସେହି ବାସୁଆବଳଦଙ୍କର ଅଲୌକିକ ଶକ୍ତିକୁ ନେଇ ବହୁ କଥା ଶୁଣିବାକୁ ମିଳେ । ଆଶ୍ଚର୍ଯ୍ୟର କଥା ହେଉଛି “ବାସୁଆବଳଦ”ଙ୍କ ବେକରେ ଥିବା ଘଣ୍ଟିକୁ ଯଦି ଗଣନା କରାଯାଏ ଭିନ୍ନ ଭିନ୍ନ ସମୟରେ ଗଣନ ସଂଖ୍ୟା ଭିନ୍ନ ହୋଇଥାଏ । ଶୁଣିବାକୁ ମିଳେ ଯେ “ବାସୁଆବଳଦ”ଙ୍କର କାନରେ ମନରେ ମାନସିକ କରିଥିବା ଯେ କୌଣସି କଥାକୁ ଯଦି ଭକ୍ତିର ସହ କୁହୀଯାଏ ତାହା ଅବଶ୍ୟ ଫଳପ୍ରଦ ହୋଇଥାଏ । କଥାରେ ଅଛି ବାର ମାସରେ ତେର ପର୍ବ ସେଥିମଧ୍ୟରୁ ଶିବରାତ୍ରୀ ସ୍ୱତନ୍ତ୍ର । ଏଥିରେ ବାବାଙ୍କ ପାଖରେ ଭକ୍ତମାନଙ୍କର ମହାସମାଗମ ହୋଇଥାଏ । ଉକ୍ତ ପୀଠରେ ପ୍ରାୟ ସପ୍ତାହ ଧରି ମେଳା ଲାଗିଥାଏ । ଏହି ମେଳା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେପାରୀ ତାଙ୍କ ପସରା ମେଲାଇଥାନ୍ତି । ବିଭିନ୍ନ ସଂଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥାଏ ।

ସେହିପରି ବହୁବର୍ଷ ପୂର୍ବେ ମହାନ୍ତିପଡ଼ାର ବାସିନ୍ଦା ମଧୂଦାସଙ୍କ ପୁରୁଷଣ୍ଢ ସ୍ଥିତ ଜାଗାରେ ପାରକେଶ୍ୱର ମହଦେବ(ବୁଢ଼ା ମହଦେବ) ଆର୍ବିଭୂତ ହୁଅନ୍ତି । ଜମିଦାରୀ ପ୍ରଥା ପ୍ରଚଳିତ ହେଉଥିବାରୁ ଜମିଦାରୀ ବଳପ୍ରୟୋଗ କରି ଜୈନିକ ସାମୁହିକ ସେବାୟତ ପ୍ରଭୁଙ୍କୁ ନିଜ ଜାଗାକୁ ନେବାକୁ ଚେଷ୍ଟିତ ହୁଅନ୍ତି । ଏବଂ ସେଥିପାଇଁ ସେ ସେହି ସ୍ଥାନକୁ ଖୋଳିବାକୁ ଲାଗନ୍ତି । ପାଖାପାଖି ୧୦/୧୫ହାତ ଖୋଳିବାପରେ ସେ ପରିଲିଖିତ କରନ୍ତି ଯେ ଯେତେ ଖୋଳୁଛନ୍ତି ପ୍ରଭୁଙ୍କ ଆସ୍ଥାନ ଭିତରକୁ ଭିତରକୁ ସେତେ ଲମ୍ବି ଯାଇଛି । ଏପରି ଏକ ମୂହୁର୍ତ ଆସି ପହଂଚେଞ୍ଚ ଯେଉଁଠି ପ୍ରବଳ ମାତ୍ରାରେ ଜଳ ନିର୍ଗତ ହୋଇ ସ୍ଥାନଟି ଜଳମଗ୍ନ ହୋଇଯାଏ । ଏହା ଦେଖି ସେ ଆଉ ସେ ଜାଗାକୁ ନଖୋଳନ୍ତି । ପ୍ରଥମେ ଚାଳ ଛପର ଘର କରି ଠାକୁରଙ୍କର ପୂଜାର୍ଚ୍ଚନା କରାଯାଉଥିଲା । ପରେ ଗ୍ରାମବାସୀଙ୍କର ମିଳିତ ଉଦ୍ୟମରେ ଏକ ମନ୍ଦିର ନିର୍ମିତ କରାଯାଇ ବାବାଙ୍କର ପୂଜାର୍ଚ୍ଚନା କରାଯାଉଅଛି । ପୂଜକ ସୁରେନ୍ଦ୍ର ପାଢ଼ୀଙ୍କ କହିବା ଅନୁଯାୟୀ ପ୍ରତି ବର୍ଷ ପ୍ରଭୁଙ୍କ ଉଚ୍ଚତା ଓ ମୋଟେଇ ଏକ ଇଂଚଞ୍ଚବର୍ଦ୍ଧିତ ହେବାର ଲକ୍ଷ୍ୟ କରାଯାଉଅଛି । ପ୍ରତିବର୍ଷ ବାବାଙ୍କ ପୀଠରେ ଜାଗରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥାଏ ।