Odisha Hc 480

କେବଳ ଅସମର୍ଥ ମାତାପିତାଙ୍କୁ ଭରଣପୋଷଣ ଦେବେ ପୁଅଝିଅ: ହାଇକୋର୍ଟ

State

କଟକ: ବାପାଙ୍କୁ ଭରଣପୋଷଣ ଦେବା ପାଇଁ ପୁଅକୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରି ରାୟ ଶୁଣାଇଛନ୍ତି ଯେ, ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଅନୁସାରେ, କେବଳ ଜଣେ ବରିଷ୍ଠ ନାଗରିକ ହୋଇଗଲେ ସନ୍ତାନ ବା ସମ୍ପର୍କୀୟଙ୍କ ନିକଟରୁ ଭରଣପୋଷଣ ପାଇବା ପାଇଁ ହକଦାର ହେବେ ନାହିଁ । ଯଦି ବରିଷ୍ଠ ନାଗରିକ ଜଣକ ରୋଜଗାର କରିବାକୁ ଅସମର୍ଥ ଥିବେ ଅଥବା ତାଙ୍କର ଆୟର କୌଣସି ପନ୍ଥା ନଥିବ ତେବେ ସେ ଭରଣପୋଷଣ ପାଇବା ପାଇଁ ହକଦାର ହେବେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଜ ପାଳନ ପୋଷଣରେ ଅସମର୍ଥ ବରିଷ୍ଠ ନାଗରିକଙ୍କୁ ଯଦି ତାଙ୍କ ସନ୍ତାନ ବା ସଂପର୍କୀୟ ଉପେକ୍ଷା କରୁଥିବେ ତେବେ ଏଭଳି କ୍ଷେତ୍ରରେ ଭରଣପୋଷଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ । ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ଜଣେ ୬୯ ବର୍ଷୀୟ ବାପାଙ୍କୁ ପୁଅ ଘରୁ ବାହାର କରିଦେବା ସହିତ ପାଳନପୋଷଣ କରୁ ନଥିବା ଅଭିଯୋଗ ହୋଇଥିଲା । ପୀଡ଼ିତ ବାପା ୫ ହଜାର ଟଙ୍କା ମାସିକ ଭରଣପୋଷଣ ଦାବି କରି ରାୟଗଡ଼ା ଉପଜିଲ୍ଲାପାଳ ତଥା ଭରଣପୋଷଣ ଟ୍ରିବ୍ୟୁନାଲ୍‌ ରେ ପୁଅ ବିରୋଧରେ ମାମଲା ରୁଜୁ କରିଥିଲେ । ୨୦୨୪, ଫେବୃଆରୀ ୧୬ରେ ଟ୍ରିବ୍ୟୁନାଲ୍‌ ମାମଲାର ଶୁଣାଣି କରି ବାପାଙ୍କୁ ଭରଣ ପୋଷଣ ପାଇଁ ମାସିକ ୫ ହଜାର ଟଙ୍କା ଦେବାକୁ ପୁଅକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ରାୟ ବିରୋଧରେ ପୁଅ ପୁନଃ ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ଜିଲ୍ଲାପାଳ ୨୦୨୪, ଜୁଲାଇ ୨୩ରେ ରାୟ ପ୍ରକାଶ କରି ନିର୍ଦ୍ଦେଶକୁ କାଏମ ରଖିଥିଲେ । ଏହାପରେ ପୁଅ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବାପା ନିଜକୁ ପାଳନପୋଷଣରେ ଅସମର୍ଥ ଥିବା ନେଇ କୌଣସି ତଥ୍ୟ ପ୍ରମାଣ ଟ୍ରିବ୍ୟୁନାଲ୍‌ଙ୍କ ନିକଟରେ ଦାଖଲ ହୋଇ ନଥିବା ବେଳେ ମାସିକ ଭରଣପୋଷଣ ରାଶି ପ୍ରଦାନ ନିର୍ଦ୍ଦେଶ ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଥିଲା ।

୧ ମାସ ଭିତରେ ଟ୍ରିବୁନାଲ୍‌ ମାମଲାର ଫଇସଲା କରିବେ । ଟ୍ରିବୁନାଲ୍‌ଙ୍କ ନିକଟରେ ଉଭୟ ବାପ ପୁଅ ଫେବୃଆରୀ ୨୪ରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ କହିବା ସହିତ ଶୁଣାଣିରେ ଅନ୍ତ ଘଟାଇଛନ୍ତି ।