- ଓଡିଆ କାବ୍ୟ ସାହିତ୍ୟକୁ କବି ସନ୍ତୋଷ ଚୌଧୁରୀଙ୍କ ଅବଦାନ ଅତୁଳନୀୟ
- ସଂଘର୍ଷ ଓ ସଂଘାତ ଭିତରେ ବି ତାଙ୍କ ଲେଖନୀ ଥିଲା ଚଳଚଞ୍ଚଳ
ବାରିପଦା : ଓଡିଆ କାବ୍ୟ ଜଗତକୁ କବି ସନ୍ତୋଷ ଚୌଧୁରୀଙ୍କ ଅବଦାନ ଅତୁଳନୀୟ । ସେ ଥିଲେ ଏକ ଅମ୍ଳାନ ପ୍ରତିଭା । ସେ ପ୍ରତିଭାର କେବେ ଅନ୍ତ ନାହିଁ । ସର୍ବଦା ସଂଘର୍ଷ ଓ ସଂଘାତ ଭିତରେ ତାଙ୍କ ଲେଖନୀ ଚଳଚଞ୍ଚଳ ଥିଲା ବେଳେ ଜଣେ ନିରଳସ ସାହିତ୍ୟ ସାଧକ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଦିବଙ୍ଗତ ପ୍ରତିଭା ବୃଥା ଆତ୍ମ ପ୍ରଶଂସା ଠାରୁ ଦୂରେଇ ରହି କେବଳ ଆତ୍ମିକ ଓ ଆଧ୍ୟାତ୍ମିକ ଉତ୍ତୋରଣ ପାଇଁ ସାହିତ୍ୟସେବାରେ ବ୍ରତୀ ଥାଇ ସାହିତ୍ୟ ସଂରଚନାରେ ନିମଗ୍ନ ଥିଲେ । ଆଧ୍ୟାତ୍ମ ସାହିତ୍ୟ ଠୁ ଆରମ୍ଭ କରି ଗୀତି କବିତା, ପ୍ରବନ୍ଧ, ଗଳ୍ପ ସାହିତ୍ୟର ସବୁ ବିଭାଗରେ ଲେଖନୀ ଚାଳନା କରିବାରେ ସେ ସିଦ୍ଧହସ୍ତ ଥିଲେ ବୋଲି ତାଙ୍କ ଦଶମ ତିରୋଧାନ ଦିବସ ଅବସରରେ ଆୟୋଜିତ ସ୍ମୃତିରେ ସନ୍ତୋଷ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶୁଭଶଙ୍ଖ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରରେ ଅନୁଷ୍ଠାନର ସଭାପତି ଡଃ ତରୁଣ କୁମାର ଓଝା ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ସମସ୍ତେ ସନ୍ତୋଷଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପରେ ସାଇପ୍ରକାଶ ମହାନ୍ତି ବେଦପାଠ କରିଥିଲେ । ଏହା ପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ କବି ସନ୍ତୋଷ କୁମାର ଚୌଧୁରୀଙ୍କ ଭଳି ଜଣେ ମୌଳିକ ପ୍ରତିଭାଧାରୀ କାବ୍ୟପୁରୁଷ ସାଂପ୍ରତିକ ସମୟରେ ବିରଳ ବୋଲି ଡଃ ଓଝା କହି ସ୍ମୃତି ଚାରଣ କରିବା ସହିତ ସନ୍ତୋଷଙ୍କ ରଚିତ ‘କବିତା ଦୁଇ ହୃଦୟର ପୁସ୍ତକ’ରେ ଥିବା ବିଦାୟ ସଂଗୀତ କବିତାଟିକୁ ପାଠ କରିଥିଲେ । ପରେ ପରେ କବୟିତ୍ରୀ ବାସନ୍ତୀ ଲତା ମହାପାତ୍ର ସେହି ପୁସ୍ତକରେ ଥିବା ‘ଏ ପତ୍ର ପାଇବେ କାଳିଆ ସାଆନ୍ତ’ କବିତାଟିକୁ ପାଠ କରିଥିଲା ବେଳେ ଗାଳ୍ପିକ ପଦ୍ମନାଭ ସାହୁ ସନ୍ତୋଷଙ୍କ କବିତା ‘ମାଧପୁର ତୋର ଏ କି ଅବସ୍ଥା’ ପାଠ କରି ସନ୍ତୋଷଙ୍କ ଲେଖନୀକୁ ପ୍ରଶଂସା କରିଥିଲେ । ଏହି କ୍ରମରେ ଶିକ୍ଷାବିତ୍ ତଥା କବି ଅମିତାଭ ମିଶ୍ର ସ୍ୱର୍ଗତଃ କବିଙ୍କ ଅନନ୍ୟ କୃତୀ ‘ଚୁପ୍ ରୁହ ସମ୍ରାଟ ଶୋଇଛନ୍ତି’ର ପ୍ରଥମ ଖଣ୍ଡ ପାଠ କରିବା ସହ ଏହି ପୁସ୍ତକର ପୁନଃ ମୁଦ୍ରଣ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ସ୍ୱର୍ଗତଃ ସନ୍ତୋଷଙ୍କ ସାନ ଭାଇ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ କହିଥିଲେ ଯେ, ମାତ୍ର ୫୪ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାରେ ୨୦୧୬ମସିହା ଫେବୃଆଆରୀ ୧୦ତାରିଖରେ ଅକାଳ ମୃତ୍ୟୁ କେବଳ ତାଙ୍କ ପରିବାର ପାଇଁ ନୁହଁ ବରଂ ମୟୂରଭଞ୍ଜର ସାରସ୍ୱତ ଫସଲ ତଥା ଓଡିଆ ବାଣୀଭଣ୍ଡାର ପାଇଁ ଏକ ଦୁଃଖଦ ମୁହୁର୍ତ୍ତ କହିଲେ ଅତ୍ୟୁକ୍ତି ହେବନି । ଦିବଙ୍ଗତ ସନ୍ତୋଷ ଜୀବନର ଲମ୍ବା ଅବଧି ବଞ୍ଚି ନାହାନ୍ତି ସତ ମାତ୍ର ଜୀବନ ରହସ୍ୟର ଗୁଢତତ୍ତ୍ୱକୁ ସେ ମର୍ମେ ମର୍ମେ ଅନୁଭବ କରିପାରିଛନ୍ତି ତାଙ୍କ ଦ୍ୱାରା ଅନୁବାଦିତ ଗୀତା ଓଡିଆ ବାଣୀଭଣ୍ଡାର ପାଇଁ ଏକ ଅନବଦ୍ୟ କୃତୀ ବୋଲି ମନ୍ତବ୍ୟ ଦେବା ସହ ଆଜି ପର୍ଯ୍ୟନ୍ତ ଯେତେ ଅନୁବାଦ ହୋଇଛି ଏହା ସର୍ବୋତ୍କୃଷ୍ଟ ସୃଷ୍ଟି ବୋଲି ଦୃଢତାର ସହିତ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ଯୋଗେନ୍ଦ୍ର ପାଣ୍ଡା, ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟକ, କ୍ରୀଡାବିତ୍ କୁମାର ରଞ୍ଜନ ପଣ୍ଡା,ମନୋଜ ଦାଶ, ଶିକ୍ଷାବିତ୍ କୈବଲ୍ୟ ପ୍ରସାଦ ମହାପାତ୍ର, କୋମଳ ଲୋଚନ ମହାକୁଡ, ସମାଜସେବୀ ଆର୍ଯ୍ୟଭଟ୍ଟ ମହାନ୍ତି, ଆକାଶବାଣୀର ଘୋଷକ ସତ୍ୟାନନ୍ଦ ସେଜପଡାଙ୍କ ସମେତ ବହୁ ସନ୍ତୋଷ ପ୍ରେମୀ ଯୋଗଦେଇଥିଲେ । ଶେଷରେ ପ୍ରଫେସର ଡଃ ସରୋଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ, କବି ସନ୍ତୋଷ କୁମାର ଚୌଧୁରୀ ଶୁଭଶଙ୍ଖ ସାହିତ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ‘ଶଙ୍ଖ’ ନାମରେ ଏକ ସମ୍ଭ୍ରାନ୍ତ ଋଚିପୂର୍ଣ୍ଣ ସାହିତ୍ୟ ପତ୍ରିକା ପ୍ରକାଶ କରୁଥିଲେ । ‘କବିତା ଦୁଇ ହୃଦୟ’ର କବିତା ସଂକଳନ ତାଙ୍କ କାବ୍ୟ ପ୍ରତିଭାର ପ୍ରଥମ ଅଭିବ୍ୟକ୍ତି ହୋଇଥିବା ବେଳେ ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ତିରୋଧାନରେ ବ୍ୟଥିତ ହୋଇ ସେ ସମୟର ଦୃଶ୍ୟପଟ୍ଟକୁ ସେ ତାଙ୍କର ଖଣ୍ଡକାବ୍ୟ ‘ଚୁପ୍ ରୁହ ସମ୍ରାଟ ଶୋଇଛନ୍ତି’ ରେ ଅତ୍ୟନ୍ତ ସାବଲୀଳ ଭାବେ ପ୍ରକାଶ କରିଥିଲେ । ସର୍ବୋପରି ଶ୍ରୀମଦ୍ ଭଗବଦ୍ ଗୀତାକୁ ସେ ବଙ୍ଗଳାଶ୍ରୀ ରାଗରେ ତତ୍ଭବ ତତ୍ସମ ଶବ୍ଦରେ ଅତ୍ୟନ୍ତ ସାବଳୀଳ ଭାବେ ଓଡିଆ ପଦ୍ୟାନୁବାଦ କରିଛନ୍ତି । ତାଙ୍କର ଅନେକ କୃତୀ ଧୁସର ପାଣ୍ଡୁଲିପି ଅବସ୍ଥାରେ ରହିଯାଇଛି । ଯାହା ଲୋକ ଲୋଚନକୁ ଆସିପାରିନି । ସେ ବୃତ୍ତିରେ ଜଣେ ଶିକ୍ଷକ ଥିଲାବେଳେ ତାଙ୍କର ପ୍ରବୃତ୍ତି କଳା ସାହିତ୍ୟ ସଂସ୍କୃତି ପ୍ରତି ଉତ୍ସର୍ଗୀକୃତ ଥିଲା । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ଛାତ୍ର ମହଲରେ ଅତ୍ୟନ୍ତ ପ୍ରଶଂସିତ ଓ ପୂଜ୍ୟ ଥିଲେ ।