Ele 0348

ବାରିପଦାରେ ଜିଲ୍ଲା ସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

State
  • ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ
  • ସୈନିକ ଓ ପୋଲିସ ଦଳ ଦ୍ୱାରା ଆତଙ୍କୀ ଆକ୍ରମଣ ସଫଳ ମୁକାବିଲା ମକ ଡ୍ରିଲ ପ୍ରଦର୍ଶନ
  • ଗଣତନ୍ତ୍ର ଲୋକ ମାନଙ୍କୁ ସେବା ମାଧ୍ୟମରେ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଉଛି: ଜିଲ୍ଲାପାଳ

ବାରିପଦା : ମୟୂରଭଞ୍ଜ ସଦର ମହକୁମା ବାରିପଦା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ହେମ କାନ୍ତ ସୟ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ, ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ, ଉଦବୋଧନ,ପୁରସ୍କାର ବିତରଣ ଓ ବିବିଧ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥିଙ୍କୁ ରିଜର୍ବ ପୋଲିସ ପରେଡ ପଡିଆ ମଂଚ ଉପରକୁ ପାଛୋଟି ଆଣିଥିଲେ। ଜିଲ୍ଲାପାଳ ଶ୍ରୀ ସୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଷିତ ରାଷ୍ଟ୍ରୀୟ ସଂଗୀତ ଏବଂ ତତ୍ପରେ ରିଜର୍ବ ପୋଲିସ ନିରୀକ୍ଷକ ତଥା କମାଣ୍ଡର ଶ୍ରୀ ଆଲୋକ କୁମାର କାନୁନଗୋଙ୍କ ଦ୍ଵାରା ପରିଚାଳିତ ପରେଡରେ, ଓ.ଏସ.ଏ.ପି., ପୋଲିସ, ହୋମ୍ଗାର୍ଡ, ସମର ଶିକ୍ଷାର୍ଥୀ ବାହିନୀ, ରେଡ଼-କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ୍ ଏବଂ ଗାଇଡ୍ ଓ ସିଭିଲିଆନ ସମେତ ୩୪ ଗୋଟି ଟ୍ରୁପ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇ ଏବଂ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଗଣତନ୍ତ୍ରର ଇତିହାସ, ଗଣତନ୍ତ୍ର ବ୍ୟବସ୍ଥା ଲାଗୁ ପାଇଁ ଭଞ୍ଜ ପ୍ରଶାସନର ମହତ୍ୱ, ଆଜିର ସମୟରେ ଗଣତନ୍ତ୍ର କିଭଳି ଲୋକ ମାନଙ୍କୁ ସେବା ମାଧ୍ୟମରେ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଉଛି ସେ ବିଷୟରେ କହିଥିଲେ। ଏଥିସହିତ ଜିଲ୍ଲାରେ ପ୍ରଶାସନ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଏବଂ ଯୁଗଉପଯୋଗୀ କାର୍ଯ୍ୟ ସମସ୍ତ ବିଷୟରେ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ । ଜିଲ୍ଲାପାଳ ଏହା ମଧ୍ୟ କହିଥିଲେ ଯେ କୃଷି କଲ୍ୟାଣ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଦିଗରେ ମୟୂରଭଞ୍ଜ ପ୍ରଶାସନ ସଦାସର୍ବଦା କାର୍ଯ୍ୟରତ ରହିବ।

ଏଥିସହିତ ପୁଲିସ ପଡିଆ ଠାରେ ଜିଲ୍ଲା ପୋଲିସ ଏବଂ ଓ.ଏସ.ଏ.ପି ୫ମ ବାଟାଲିଅନ ଦଳ ପକ୍ଷରୁ ଏକ ସୁନ୍ଦର ମକ ଡ୍ରିଲ ଦେଖିବାକୁ ମିଳିଥିଲା। ପ୍ରତିକୂଳ ପରିସ୍ଥିତିରେ ଦେଶର ସୈନିକ କିଭଳି ଦେଶକୁ ଏବଂ ଦେଶର ମୁଖ୍ୟ ବ୍ୟକ୍ତିତ୍ୱ ଙ୍କୁ ଆତଙ୍କୀ ଆକ୍ରମଣ ଠାରୁ ମୁକ୍ତ କରିଥାଏ, ସେହି ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମ ମକ ଡ୍ରିଲ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ବିଭିନ୍ନ ସରକାରୀ ଯୋଜନାକୁ ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅନୁଭାଗ ମାନେ ପ୍ରଦର୍ଶନ କରିଥିବା ବେଳେ, ଜିଲ୍ଲା ସ୍ୱାସ୍ଥ୍ୟ ସମିତିକୁ ଶ୍ରେଷ୍ଠ ପ୍ରଜ୍ଞାପନ ଭାବେ ପୁରସ୍କୃତ କରାଯାଇଥିଲା। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ରଙ୍ଗୀନ ଆଲୋକ ମାଳାରେ ସଜା ଯାଇଥିଲା, ସେଠି ମଧ୍ୟରୁ ଶ୍ରେଷ୍ଠ କାର୍ଯ୍ୟାଳୟ ଭାବେ ଜ଼ିଲ୍ଲା ପରିଷଦକୁ ପୁରସ୍କୃତ କରାଯଇଅଥିଲା ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରାଙ୍କୁ ମଞ୍ଚରେ ଜିଲ୍ଲାପାଳ ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ବର୍ଗରେ ଛାତ୍ର ଛାତ୍ରୀ ଓ କ୍ରୀଡ଼ାବିତ ମାନଙ୍କୁ ପୁରସ୍କୃତ କରିଥିଲା। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରୀଡା ବିଭାଗରେ ସଫଳତା ହାସଲ କରିଥିବା ଆନ୍ତର୍ଜାତୀୟ ରଗବି ଖେଳାଳି ସୁନିତା ହାଁସଦା, ଓ ଫୁଟବଲରେ ରାଜ୍ୟସ୍ତରର କ୍ରୀଡ଼ାବିତ ମାନପତ୍ର ମାର୍ଣ୍ଡିଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ ଜିଲ୍ଲା ଶିକ୍ଷା ଓ ନିଯୁକ୍ତି ବିଭାଗ ତରଫରୁ କ୍ୟାରିଅର କାଉନ୍ସିଲ ନିମିତ୍ତ ସମଗ୍ର ଜିଲ୍ଲାରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ।

ଏହି ଦିବସରେ ହୋଇଥିବା ପ୍ୟାରେଡ଼ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଏନସିସି ବର୍ଗରେ ଏମ.ପି.ସି. (ସ୍ବୟଂଶାସିତ) ମହାବିଦ୍ୟାଳୟ (ବରିଷ୍ଠ) ଶ୍ରେଷ୍ଠ ଦଳ ହୋଇଥିବା ବେଳେ, ଏନଏସଏସ ବର୍ଗରେ ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦା, ସ୍କାଉଟ୍ ଏବଂ ଗାଇଡ୍ ରେ ସରସ୍ୱତୀ ବିଦ୍ୟା ମନ୍ଦିର, ତୁଳସୀ ଚଉରା, ରେଡ଼-କ୍ରସ ରେ କମଳା ନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଭିଲିଆନରେ ଶ୍ରୀ ସତ୍ୟ ସାଇ ବିଦ୍ୟା ବିହାର ସ୍କୁଲ ପୁରସ୍କୃତ ହୋଇଥିଲେ। ସମ୍ମିଳିତ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ଦଳ ମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମିଷ୍ଟାନ୍ନ ଦିଆ ଯାଇଥିବା ବେଳେ ମୁଖ୍ୟଅତିଥିଙ୍କ ଦ୍ୱାରା ଇନର ହୁଇଲ କ୍ଲବ, ବାରିପଦାଙ୍କ ତରଫରୁ ଉତ୍କଳ ବଳାଶ୍ରମର ଅନ୍ତେବାସୀଙ୍କୁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମ ସ୍ଵତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀଙ୍କୁ ଫଳ, ବିସ୍କୁଟ, ମିଷ୍ଟାନ୍ନ ଓ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ (ପି.ଆର.ଏମ.) ମେଡିକାଲ କଲେଜ ଓ ହସ୍ପିଟାଲର ଅନ୍ତେବାସୀ ରୋଗୀ ଫଳ-ବିସ୍କୁଟ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।

ଦିବସ ପାଳନ ଅବସରରେ ପ୍ରତ୍ୟୁଷ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧଧୂନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା। ଦିବସର ସମସ୍ତ କାର୍ଯ୍ୟକ୍ରମ ସୁ-ପରିଚାଳନା ପାଇଁ ଅଧିକ୍ଷଣ ଯନ୍ତ୍ରୀ,ପୂର୍ତ୍ତ ବିଭାଗ, ମୟୂରଭଞ୍ଜ, ବାରିପଦା, ରିଜର୍ଭ ପୋଲିସ ପ୍ୟାରେଡ ପଡିଆରେ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୟୂରଭଞ୍ଜ ଓ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ, ବାରିପଦା ଙ୍କ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା। ଇତ୍ୟବସରରେ ଶିକ୍ଷାନବୀଶ, ସୁଶ୍ରୀ ଆଁଶନି ଏ. ଏଲ , ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ, ଶ୍ରୀ ଶାନ୍ତନୁ କୁମାର ନାୟକ ଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ବାରିପଦା ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା , ଡେପୁଟି କଲେକ୍ଟର, ଡଃ ଶୁଭଙ୍କରୀ ସ୍ୱଦେଷ୍ଣ ଦାଶ , ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ସହକାରୀ ଜିଲ୍ଲାପାଳ, ଶ୍ରୀ ନିହାର ରଞ୍ଜନ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଭାଶିଷ ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଜିଲ୍ଲାପାଳ ଏକାଦଶ ବନାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକାଦଶ ମଧ୍ୟରେ ବାରିପଦା ଷ୍ଟାଡିଅମ ଠାରେ ଆୟୋଜନ କରା ଯାଇଥିଲା ଏବଂ ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକାଦଶ ବିଜୟୀ ହୋଇଥିଲେ। ଜାତୀୟ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସନ୍ଧ୍ୟା ୬:୦୦ ଘଟିକା ସମୟରେ ସ୍ଥାନୀୟ ସମ୍ମିଳନୀ କକ୍ଷରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲା ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ ଦିବସର କାର୍ଯ୍ୟକ୍ରମ ମାନଙ୍କୁ ପରିଚାଳନା, ସଂରଚନା ଓ ସଂଯୋଜନା ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ନିର୍ବାହ ଓ କାର୍ଯ୍ୟକାରୀ କରିଥିଲେ।