ଭୁବନେଶ୍ଵର: ଭୁବନେଶ୍ବର ବିମାନ ବନ୍ଦରରେ କଇଁଛ ସହ ଅନେକ ସରୀସୃପ ଉଦ୍ଧାର । ଝିଟିପିଟି, ଗୋଧି, ବୋଡ଼ା ସାପ ଆଦିକୁ ଉଦ୍ଧାର କଲା କଷ୍ଟମ ବିଭାଗ । ବ୍ୟାଂକକ୍ରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଜବତ କଲା ବିଭାଗ । ବିସ୍କୁଟ ଡବାରେ ଚାଲାଣ ହେଉଥିଲା ସାପ । ତେବେ ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରିଛି ବିଭାଗ । ଚେନ୍ନାଇର ଜଣେ ଯୁବକ ଅଟକ ରହିଥିବାବେଳେ ସିଟି ଫରେଷ୍ଟର ତଦନ୍ତ ଜାରି ।
ସୂଚନା ଅନୁସାରେ, ତାମିଲନାଡୁର ଶଙ୍କର ମୂର୍ଗନ୍ ନାମକ ଜଣେ ଯୁବକ ବ୍ୟାଂକକ୍ରୁ ଭାୟା ଭୁବନେଶ୍ଵର ଦେଇ ଚେନ୍ନାଇ ଚାଲାଣ କରୁଥିବା ବେଳେ ଭୁବନେଶ୍ଵର ବିମାନବନ୍ଦରରେ ଧରିଛି କଷ୍ଟମ୍ ବିଭାଗ । ମୋଟ ୧୦ ଟି ବହୁରୂପୀ ଗୋଧି, ୯ ଟି କିଙ୍ଗ୍ ସ୍ନେକ୍ ଓ ୧୨ ଟି କଇଁଛ ଜବତ କରିଛି ବିଭାଗ । ଏଥିସହ ଚାଲାଣ କରୁ୍ଥିବା ଶଙ୍କରକୁ ମଧ୍ୟ ଧରିଛି ବିଭାଗ । ତାଙ୍କଠାରୁ ସମସ୍ତ ବଣ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବରେ ଜବତ କରିବା ସହ ଯୁବକଙ୍କ ପାସପୋର୍ଟ ମଧ୍ୟ ଜବତ କରିଛି କଷ୍ଟମ ବିଭାଗ । ଉଦ୍ଧାର ହୋଇଥିବା ସମସ୍ତ ବଣ୍ୟଜନ୍ତୁଙ୍କୁ ନନ୍ଦନକାନନରେ ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କର ପଟିଆ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ସହ ଲିଙ୍କ୍ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ସେଗୁଡ଼ିକୁ ଚେନ୍ନାଇର କେଉଁ କେଉଁ ସ୍ଥାନକୁ ଚାଲାଣ ହୋଇଥାନ୍ତା, ତାହାର ତଦନ୍ତ କରୁଛି ବନ ବିଭାଗ ।