ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ଠାରୁ ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ ଏକ ଷ୍ଟିୟରିଂ କମିଟି ମଧ୍ୟ ଗଠନ କରିଛନ୍ତି । ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ପାଇଁ ଏକ ତିନି ଦିନିଆ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଛି ।
ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ସମ୍ବିଧାନ ସୀକୃତୀ ସାନ୍ତାଳୀ ଭାଷାର ଉପଯୁକ୍ତ ପ୍ରଚଳନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାନ୍ତାଳୀ ସାଓଁହେଦ ଆଖଡ଼ା ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ପ୍ରାଥମିକ ବିଦ୍ୟାଳୟରେ ନାମକ ମାତ୍ର ପ୍ରଥମରୁ ପଞ୍ଚମ ଶ୍ରେଣୀରେ ସାନ୍ତାଳୀ ଭାଷା ପ୍ରଚଳନ ହୋଇଛି । ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ମଧ୍ୟ ସାନ୍ତାଳୀ ଭାଷା ପ୍ରଚଳନ ହୋଇଛି । କିନ୍ତୁ ଷଷ୍ଠ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀରେ ସାନ୍ତାଳୀ ଭାଷା ଅଦ୍ୟାବଧି ପ୍ରଚଳନ ହୋଇ ନାହିଁ । ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ସାନ୍ତାଳୀ ଭାଷାରେ ପଢିବା ପାଇଁ ସୁଯୋଗ ନ ଥିବାରୁ ଡ୍ରପଆଉଟ୍ ବୃଦ୍ଧି ପାଉଛି ଏଵଁ ସାନ୍ତାଳୀ ଭାଷା ଶିକ୍ଷା ଦିଗହରା ହୋଇଯାଉଛି ତଥା ପ୍ରହସନରେ ପରିଣତ ହେଉଛି।
ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ପ୍ରଥମଭାଷା ଏବଂ ତୃତୀୟ ଭାଷା ଭାବରେ ପ୍ରଚଳନ ହୋଇଥିଵା ଓଡ଼ିଆ, ହିନ୍ଦୀ, ସଂସ୍କୃତ, ଅଲଟାରନେଟିଵ ଇଂରାଜୀ, ଉର୍ଦ୍ଦୁ, ତେଲୁଗୁ, ବଙ୍ଗଳା, ପାର୍ସି ପରି ସମ୍ବିଧାନ ସୀକୃତୀ ସାନ୍ତାଳୀ ଭାଷାକୁ ମଧ୍ୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ପ୍ରଚଳନ ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ସାନ୍ତାଳୀ ଏକ ଆଦିବାସୀ ଭାଷା ହୋଇ ଥିଲେ ମଧ୍ୟ ଏହା ସମ୍ବିଧାନ ସୀକୃତୀ ଭାଷା ଅଟେ ଏବଂ ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମାତୃଭାଷା ଅଟେ । ସରକାରଙ୍କ ପ୍ରଚଳିତ ନିୟମ ଅନୁସାରେ ସାନ୍ତାଳୀ ଭାଷା ଉନ୍ନତି ପାଇଁ ହକଦାର ଅଟେ।
ଏହି ଦାବିପତ୍ର ପ୍ରଦାନ ସମୟରେ ସାନ୍ତାଳୀ ସାଓଁହେଦ ଆଖଡ଼ାର ସଭାପତି ଶ୍ରୀମତୀ ମାଲତୀ ମୁର୍ମୁ, ସଂପାଦକ ଶ୍ରୀ କୈଳାସ ଚନ୍ଦ୍ର ବାସ୍କେ, ଶ୍ରୀମତୀ ସବିତା ସୋରେନ, ସୁରୁକୁନୀ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।