ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି।
ଏକାଧିକ ଶ୍ରମିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ତିନିରୁ ୪ ଜଣ ଶ୍ରମିକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।
ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଘଟିଥିବା ଏହି ଦୁର୍ଘଟଣାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ହପର୍ ତଳେ ଚାପି ହୋଇ ରହିଯାଇଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟରେ କ୍ରେନ୍କୁ ଲଗାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ପ୍ଲାଣ୍ଟରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିବାବେଳେ ଏଭଳି ଅଘଟଣ ନେଇ ପ୍ଲାଣ୍ଟ ବାହାରେ ଉତ୍ତେଜନା ପ୍ରକାଶ ପାଇଛି।
ହପର୍ ଦାୟିତ୍ବରେ ୧୨ ଶ୍ରମିକ ଥିବା କୁହାଯାଉଛି। ଦୁର୍ଘଟଣା ପରେ ଶ୍ରମିକଙ୍କ ଫୋନରେ ଯୋଗାଯୋଗ କରିବା ସମ୍ଭବ ହୋଇପାରୁନି । ଫଳରେ ପ୍ଲାଣ୍ଟ ବାହାରେ ଜଗିରହିଥିବା ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି।
ଗୁରୁବାର ସନ୍ଧ୍ୟା ପାଖାପାଖି ୫ଟା ସମୟରେ ପ୍ଲାଣ୍ଟରୁ ବିଦ୍ୟୁତ୍ କଟିଯାଇଥିଲା । ଅନ୍ୟ ଶ୍ରମିକମାନେ ଏହାର କାରଣ ଜାଣିବାକୁ ଆରମ୍ଭ କରିଥିଲେ । ହପର୍ରେ ଗଚ୍ଛିତ କୋଇଲା ଧସିବାରୁ ବଡ ଧରଣର ଶବ୍ଦ ହୋଇଥିଲା । ଏଥିରୁ ଜଣାପଡିଥିଲା ଯେ, ସେଠାରେ ବଡ ଧରଣର ଦୁର୍ଘଟଣା ଘଟିଛି। ହପର୍ ତଳେ ଶ୍ରମିକମାନେ ଚାପି ହୋଇ ରହିଥିବା ଜଣାପଡ଼ିଥିଲା ।