Rwe

ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ; ୧.୦୩ କୋଟି ପରିବାର ହେବେ ଉପକୃତ

State

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଗ୍ର ଲାଗୁ ହେବ ଆୟୁଷ୍ମାନ ଭାରତ । ଏନେଇ ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ‘ଆଜି ଏମୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଖୁବଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ । ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ ‘।

ସେହପରି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ‘ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ । ଦେଶର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଜଣେ ଏହି ସୁଯୋଗ ପାଇପାରିବ । ଏହି ଯୋଜନା ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତର ସୁବିଧା ଗୋଟିଏ କାର୍ଡରେ ମିଳିବ ଯାହା ୱାନ ନେସନ ୱାନ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ’ ।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟ ସରକାର ଆସନ୍ତା ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ । ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜୟ) ହେଉଛି ସରକାରଙ୍କ ଫ୍ଲାଗସିପ ସ୍ବାସ୍ଥ୍ୟ ବୀମା ପଲିସି, ଯାହା ସେପ୍ଟେମ୍ବର ୨୦୧୮ ରେ ଆରମ୍ଭ କରାଯାଇଥିଲା । ଆର୍ଥିକ ଦୁର୍ବଳ ଥିବା ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସେବା ଯୋଗାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି କାର୍ଡ ଦ୍ବାରା ସାରା ଭାରତରେ ଯେକୌଣସି ସ୍ଥାନରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ୫ ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିପାରିବେ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ।

ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ମିଳିପାରିବ । ପରିବାର ପିଛା ୫ ଲକ୍ଷ ମାଗଣା ସ୍ବାସ୍ଥ୍ୟ ବୀମା ସହ ପ୍ରାୟ ୪.୫ କୋଟି ପରିବାର ଏବଂ ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ ।

ଏହାକୁ ଆବେଦନ କରିବାକୁ ହେଲେ, ଏଥିପାଇଁ ପ୍ରଥମେ ଆୟୁଷ୍ମାନ ଭାରତ PM-JAYର ଅଫିସିଆଲ ୱେବସାଇଟକୁ ଯିବେ । ଏହାପରେ ଆପଣଙ୍କର ଆଧାର କିମ୍ବା ରାଶନ କାର୍ଡ ଭେରିଫାଏ କରିବେ । ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରିବେ । ଏହା ପରେ ଏକ ସ୍ବତନ୍ତ୍ର ଆୟୁଷ୍ମାନ ଯୋଜନା ID ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ କରିବେ ।