ଭୁବନେଶ୍ବର ୧୧।୧: ଚଳିତ ଜାନୁଆରୀ ୮ ତାରିଖ ସକାଳେ ଭୁବନେଶ୍ୱରରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ ଓଭରବ୍ରିଜ୍ ଉପରେ ଭୁବନେଶ୍ୱର ମହାନଗର ନିଗମ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ଭୁବନେଶ୍ୱରରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ହତ୍ୟାର ଶିକାର ହୋଇଥିବା ସହଦେବ ନାୟକଙ୍କ ପତ୍ନୀ ଓ ଦୁଇ ଝିଅ ଶନିବାର ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ନୃଶଂସ ହତ୍ୟାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଶାସ୍ତି ଦାବି ଜଣାଇଥିଲେ । ନବୀନ ପଟ୍ଟନାୟକ ସ୍ବର୍ଗତ ସହଦେବ ନାୟକଙ୍କ ପତ୍ନୀ ଓ ପିଲା ମାନଙ୍କୁ ସାନ୍ତ୍ୱନା ଦେବା ସହ ଏ ଦାରୁଣ ବିପତ୍ତି ସମୟରେ ସେ ତାଙ୍କ ସହ ଅଛନ୍ତି ଓ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଜଘନ୍ୟ ହତ୍ୟା ଘଟଣାକୁ କଡା ନିନ୍ଦା କରିବା ସହ ତାଙ୍କ ପରିବାରଙ୍କୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ଲଢେଇ କରିବେ ବୋଲି ନବୀନ ପଟ୍ଟନାୟକ କହିଥିଲେ ।
ଶୁଦ୍ଧି କର୍ମ ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ବର୍ଗତ ନାୟକଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ତାଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ । ଏହି ସାକ୍ଷାତ ସମୟରେ ବିଏମ୍ସି ମେୟର ସୁଲୋଚନା ଦାସ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ କର୍ପୋରେଟର ମାନେ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ହତ୍ୟାର ଦୁଇ ଦିନ ପୂର୍ବରୁ ସ୍ବର୍ଗତ ନାୟକ ତାଙ୍କ ପରିବାର ସହ ନବୀନ ନିବାସକୁ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ, BMCର ହସ୍ତକ୍ଷେପ କ୍ରମେ ସ୍ବର୍ଗତ ନାୟକଙ୍କୁ ସେ କାମ କରୁଥିବା ଠିକା ସଂସ୍ଥା ୫ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣକୁ ଚାକିରି ବିଷୟରେ ଗତକାଲି BMC ପକ୍ଷରୁ ଘୋଷଣା କରାଯାଇଥିଲା ।