Screenshot 2025 01 13 100450 750x430

ପାରାଦ୍ବୀପରେ ପ୍ରତିଷ୍ଠା ହେବ ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର

State

ଭୁବନେଶ୍ବର: ପାରାଦ୍ବୀପ ବନ୍ଦର ନିକଟରେ ପ୍ରତିଷ୍ଠା ହେବ ଜାହାଜ ଭଙ୍ଗା କେନ୍ଦ୍ର। ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର ୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ଓଡ଼ିଶାର ସାମୁଦ୍ରିକ ଓ ଶିଳ୍ପ ପରିଦୃଶ୍ୟରେ ପରିବର୍ତ୍ତନ ଆସିବ। ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ପୁରୁଣା ଜାହାଜ ଗୁଡିକୁ ଭଙ୍ଗାଯାଇ ସେଥିରୁ ଇସ୍ପାତ, ଆଲୁମିନିୟମ ଓ ତମ୍ବା ଆଦି ବାହାର କରାଯାଇ ସେଥିରୁ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ କରାଯିବ।

ଏହି ଜାହାଜ ଭଙ୍ଗା କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ ବୈଶ୍ବିକ ପରିବେଶଗତ ସୁରକ୍ଷା ଓ ମାନକକୁ ଗ୍ରହଣ କରାଯିବ। ଏହାବ୍ୟତୀତ ବାଲେଶ୍ବର ଜିଲ୍ଲାର ‘ଇଞ୍ଚୁଡ଼ି’ ଓ ଗଞ୍ଜାମ ଜିଲ୍ଲାର ‘ବାହୁଦା’ରେ ଦୁଇଟି ନୂଆ ବନ୍ଦର ନିର୍ମାଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପାରାଦ୍ବୀପ ବନ୍ଦର ପୁନଃପ୍ରକ୍ରିୟାକରଣ ଏବଂ ଦୁଇଟି ନୂତନ ବନ୍ଦର ନିର୍ମାଣ କରାଯିବା ଦ୍ବାରା ଭାରତର ପୂର୍ବ ଉପକୂଳ ବିଶେଷକରି ଓଡ଼ିଶା ଲାଗି ବ୍ୟାପକ ଅର୍ଥନୈତିକ ଓ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ।

ଇସ୍ପାତ ରି-ରୋଲିଂ ମିଲ୍‌, ଲଜିଷ୍ଟିକ୍‌ ଓ ଯନ୍ତ୍ରପାତି ଉତ୍ପାଦନ କାରଖାନା ଆଦି କରାଯାଇ ଏକ ବାଣିଜ୍ୟକ ପେଣ୍ଠସ୍ଥଳ ପାଲଟିବ ବୋଲି କୁହାଯାଇଛି। ସଂପ୍ରତି ଦେଶରେ ଗୁଜରାଟ ଓ ମହାରାଷ୍ଟ୍ରର ଦୁଇଟି ଜାହାଜ ଭଙ୍ଗା କାରଖାନା ରହିଛି। ଓଡ଼ିଶାରେ ଏହା ନିର୍ମାଣ କରାଗଲେ ରାଜ୍ୟର ଆର୍ଥିକ ମାନଦଣ୍ଡ ବଢିବ। ଏହି ଜାହାଜ ପୁନଃପ୍ରକ୍ରିୟାକରଣ ହବ୍‌ ଯୋଗୁଁ ନୂତନ ରେଳଲାଇନ ନିର୍ମାଣ ହେବ। ଏହା ଦ୍ବାରା ପାରାଦ୍ବୀପ ବନ୍ଦର ସହିତ ଇଞ୍ଚୁଡ଼ି ଓ ବାହୁଦା ବନ୍ଦରରେ କୋଇଲା ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ପରିବହନ ଜାହାଜ ଚଳାଚଳ କ୍ଷେତ୍ରକୁ ଆହୁରି ବିକଶିତ କରିପାରିବ।