ଆମ ସମାଜରେ ଏବେ ପ୍ରତିଦିନ ହାତୀ ଓ ମଣିଷ ଭିତରେ ଅନେକ ଘଟଣା ଓ ଅଘଟଣ ଦେଖିବାକୁ ମିଳେ । ତେବେ ଏସବୁ ଜନସଂଖ୍ୟା ବୃଦ୍ଧି, ଜଗତୀକରଣ, ଶିଳ୍ପ କାରଖାନା ଓ ଜଙ୍ଗଲରେ ମଣିଷର ଜବରଦଖଲ ଯୋଗୁଁ ହେଉଛି । ଦିନକୁ ଦିନ ଏ ମଣିଷ ଜଙ୍ଗଲ କାଟି ସଫା କରି ହାତୀଙ୍କ ରହିବା ସ୍ଥଳୀକୁ କବଜା କରିବାକୁ ବସିଛି । ଆଉ ସେହି କ୍ରମରେ ହାତୀ ଏବେ ଜନବସତି ମୁହାଁ । ବାଲେଶ୍ଵରର ଏହି ଝିଅ ହେଉଛନ୍ତି ମେଧା ନାୟକ । ଯିଏ ନିଜ ଆଖିରେ ଦେଖିଛନ୍ତି ଦେଖିଥିଲେ ହାତୀ-ମଣିଷଙ୍କ ସଂଘର୍ଷ ।
ଏହା ପରେ ସେମାନଙ୍କର ସୁରକ୍ଷା ପାଇଁ ଚିନ୍ତା କରି କ୍ୟାରିୟର ଆରମ୍ଭ କରିଥିବା ବାଲେଶ୍ୱରର ଝିଅ ଏବେ ଯୁବ ବୈଜ୍ଞାନିକ ଭାବେ ପରିଚିତ । ସେ ନିକଟରେ ରୁଷରେ ଆୟୋଜିତ ନବମ ‘ବ୍ରିକ୍ସ’ ଯୁବ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେଇ ବେଶ ପ୍ରଶଂସା ସାଉଁଟୁଛନ୍ତି । ଏହି ଯୁବ ବୈଜ୍ଞାନିକ ହେଉଛନ୍ତି ବାଲେଶ୍ୱର ସହର ପୋଲିସ ଲାଇନ୍ ଅଞ୍ଚଳର ସୁବ୍ରତ ନାୟକଙ୍କ ଝିଅ ମେଧା ନାୟକ । ପିଲାଟି ବେଳୁ ବନ୍ୟପ୍ରାଣୀ ଓ ପ୍ରକୃତିକୁ ଭଲ ପାଉଥିଲେ ।
ସ୍କୁଲ ଏବଂ କଲେଜ ଶିକ୍ଷା ସମାପ୍ତ ହେବା ପରେ ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଜବାହର ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ସୋସିଓଲୋଜିରେ ପି.ଜି. କରିଥିଲେ । ପରେ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ନାଇଜର ଏବଂ ହୋମିଭାବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ରୁ ହାତୀ ଓ ମଣିଷର ସମ୍ପର୍କରେ ସୋସିଓଲୋଜିରେ ପିଏଚଡି କରିଥିଲେ । ୨୦୨୧-୨୨ ପର୍ଯ୍ୟନ୍ତ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସୋସିଓଲୋଜିରେ ଗେଷ୍ଟ ଫାକଲଟି ଭାବେ କାର୍ଯ୍ୟ କରିଥିଲେ ।
ପରେ ୨୦୨୨-୨୩ ପର୍ଯ୍ୟନ୍ତ ନୋଇଡ଼ାରେ ହ୍ୟୁମାନ-ୱାଲଡ଼ ଲାଇଫ ମିଟିଗେସନ୍ ନାମକ ସଂଗଠନର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ୨୦୨୪ ରେ ରାଉରକେଲା ଏନଆଇଟିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ସମୟରେ ରୁଷର ସୋଚୀଠାରେ ହୋଇଥିବା ‘ବ୍ରିକ୍ସ’ ସମ୍ମିଳନୀରେ ଭାରତରୁ ପ୍ରତିନିଧିତ୍ୱ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । ଏଥିରେ ଭାରତ, ରୁଷ୍, ଚୀନ୍, ଚାଇନା, ଦକ୍ଷିଣ ଆଫ୍ରିକା ବ୍ୟତୀତ ବ୍ରିକ୍ସ୍ ଦେଶର ନୂତନ ସଦସ୍ୟ ଦେଶ ଭାବେ ଇରାନ, ଇଜିପଟ୍, ଇଥିଓପିଆ ଯୋଗ ଦେଇଥିଲେ ।
ଏହି ସମ୍ମିଳନୀରେ ୧୫୦ ଜଣ ଯୁବ ବୈଜ୍ଞାନିକ ଯୋଗ ଦେଇଥିଲେ । ଅନ୍ୟପଟେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଚୟନ କରାଯାଇ ୧୨ ଜଣିଆ ଯୁବ ବୈଜ୍ଞାନିକ ପ୍ରତିନିଧି ମଣ୍ଡଳି ଗଠିତ ହୋଇଥିଲା । ଏହି ପ୍ରତିନଧି ମଣ୍ଡଳୀରେ ରାଉରକେଲା ଏନଆଇଟିର ଖାଦ୍ୟ ପ୍ରକ୍ରୀୟାକରଣ ଯାନ୍ତ୍ରିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ମଧୁରେଷ ଦ୍ୱିବେଦୀ ଓ ସୋସିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ମେଧା ନାୟକ ଯୋଗ ଦେଇଥିଲେ । ମେଧା ହାତୀ ମଣିଷର ସଂପର୍କ ତଥା ଭାବ ଆଦାନ ପ୍ରଦାନ ସଂପର୍କରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ ।
ଦେଶ ଦେଶ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ କରିବା ଉଦେଶ୍ୟରେ ୨୦୦୯ ମସିହାରେ ବ୍ରାଜିଲ୍, ରୁଷିଆ, ଭାରତ, ଚୀନ୍ କୁ ମିଶାଇ ଆରମ୍ଭ ହୋଇଥିଲା ଆର୍ନ୍ତଃଦେଶ ସରକାରୀ ସଂଗଠନ ‘ବ୍ରିକ୍’ । ୨୦୧୦ ମସିହାରେ ଏହି ସଂଗଠନରେ ଦକ୍ଷିଣ ଆଫ୍ରିକା ସାମିଲ ହେବା ପରେ ଏହାର ନାମ ‘ବ୍ରିକ୍ସ’କୁ ପରିବର୍ତନ କରାଯାଇଥିଲା । ‘ବ୍ରିକ୍ସ’ ସମ୍ମିଳନୀରେ ପ୍ରଥମ ଥର ପାଇଁ ମେଧା ଯୋଗଦେଇଥିବା ବେଳେ ଏହା ରାଉରକେଲା ଏନଆଇଟି ଓ ବାଲେଶ୍ୱର ପାଇଁ ଖୁବ ଗୁରୁତ୍ୱ ବହନ କରୁଛି । ଏହି ସମ୍ମିଳନୀରେ ଯୋଗ ଦେଇ ମେଧା ବିଭିନ୍ନ ଦେଶର ଯୁବ ବୈଜ୍ଞାନିକଙ୍କ ସହ ସାକ୍ଷାତ୍ କରି ବୈଷୟିକ ଜ୍ଞାନ ସଂପର୍କରେ ଅନେକ ଅଭିଜ୍ଞତା ହାସଲ କରିଛନ୍ତି ।
ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ଆଗକୁ ବଢ଼ିବା ପାଇଁ ସହାୟକ ହେବ । ସବୁଠାରୁ ବଡ଼ କଥାହେଲା ମେଧାଙ୍କ ବନ୍ୟପ୍ରାଣୀ ଓ ପ୍ରକୃତିକୁ ଭଲ ପାଇବା ଦେଖି ବାପା-ମା’ ଆଜି ପର୍ଯ୍ୟନ୍ତ ତାଙ୍କୁ ପ୍ରେରଣା ଯୋଗାଇ ଦେଇ ଆସିଛନ୍ତି । ଯେଉଁଥିପାଇଁ ସେ ଆଜି ଏତେ ଉନ୍ନତି କରିପାରିଛନ୍ତି । ଏହାକୁ ବାଦ୍ ଦେଲେ ମେଧା ଜଣେ ଭଲ ଫଟୋଗ୍ରାଫର ମଧ୍ୟ । ତେବେ ମେଧାଙ୍କ ଏଭଳି ସଫଳତାରେ ବାପା ମା’ଙ୍କ ଠାରୁ ଆରମ୍ଭ କରି ସମସ୍ତେ ବହୁତ ଗର୍ବିତ ।