Screenshot 2025 01 01 163911 750x430

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍

State

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍। ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ବସ୍‌ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ ବୋଲି କହିଛନ୍ତି ମନ୍ତ୍ରୀ। ମୁମ୍ୱାଇର ଏକ ସଂସ୍ଥା ଏହି ବସ୍‌ ତିଆରି କରୁଛି। ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍‌ ଆସୁଛି। ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍‌ ଆସିବ ବୋଲି ଜଣାପଡ଼ିଛି।

ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ। ଉକ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ। ତାହା ପୂର୍ବରୁ ରାଜଧାନୀର ରାଜରାସ୍ତାରେ ଟ୍ରାଏଲ ରନ୍‌ କରିବ ଡବଲ ଡେକର୍ ବସ୍‌। ପରେ ସାଧାରଣ ଲୋକଙ୍କ ପାଇଁ ଏହା ବ୍ୟବହୃତ ହେବ।

ପ୍ରଥମ ପର୍ଯ୍ୟାୟରୁ ରାଜ୍ୟକୁ ଦୁଇଟି ଡବଲ ଡେକର ବସ୍ ଆସୁଛି। ପରେ ଆଉ ଦୁଇଟି ବସ୍‌ ଆସିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡବଲ ଡେକର ବସ୍ ଚାଲିବାକୁ ଥିବରୁ ଏହାକୁ ନେଇ ରାଜଧାନୀବାସିନ୍ଦାଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ସୂଚନାଯୋଗ୍ୟ, ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ପ୍ରମୁଖ ଯୋଗ ଦେବେ। ଏହି ସମାରୋହରେ ଦେଶବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବେ।