ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ପ୍ରଚୁର ପରିମାଣରେ ଉପଲବ୍ଧ ଥିବା ଔଷଧୀୟ ଶାଳ ଗଛର ପତ୍ର ଦ୍ୱାରା ପ୍ରସ୍ତୁତ ଖଲି, ଦୋନା ଓ ଅନ୍ୟାନ୍ୟ ସାମଗ୍ରୀ କୁ ସମଗ୍ର ଜିଲ୍ଲାରେ ଥିବା ଛୋଟ ବଡ଼ ହୋଟେଲ ଓ ରିସର୍ଟ ଗୁଡିକରେ ବ୍ୟବହାର କରିବା ସହିତ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ହେଉଥିବା ଭୋଜିଭାତ ରେ ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ଆଜି ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଆଜି ଏକ ଦାବିପତ୍ର ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଉଦ୍ୟେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲିକ ଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଏହାର ଏକକିତା ନକଲ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା |ଦାବୀ ପତ୍ର ପ୍ରଦାନ ସମୟରେ ସଂଗଠନ ଅଧକ୍ଷ ସଂଜୀବ ରାଉତ,ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଆବାହକ ରାକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଏଥି ସହିତ ଏହି କାର୍ଯ୍ୟକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସଂଗଠନ ପକ୍ଷରୁ ଜିଲ୍ଲାର ସମସ୍ତ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡିକ ରେ ସଚେତନତା ବେନର ବା ହୋର୍ଡିଙ୍ଗ ଲଗାଇବା ସହିତ ଜିଲ୍ଲାର ସମସ୍ତ ଛୋଟ ବଡ଼ ହୋଟେଲ ଓ ରିସର୍ଟ ବ୍ୟବସାୟ ସଂସ୍ଥାର ମାଲିକ ମାନଙ୍କୁ ମଧ୍ୟ ନିବେଦନ ପତ୍ର ପ୍ରଦାନ କରାଯିବ ବୋଲି ମୁଖପାତ୍ର ମାନସ ବେହେରା ପ୍ରକାଶ କରିଛନ୍ତି l
ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଗନ୍ତାଘର ଆମ ମୟୁରଭଞ୍ଜର ସମସ୍ତ ଛୋଟ ବଡ଼ ହୋଟେଲ, ରିସର୍ଟ ବ୍ୟବସାୟୀ ଏବଂ ଆମ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହିତ ପିକନିକ କରିବାକୁ ଆସୁଥିବା ଦେଶୀ ଓ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ମୟୁରଭଞ୍ଜ ଜିଲ୍ଲାର ପରମ୍ପରା ସହିତ ଯୋଡିବା ଲାଗି କେତୋଟି ସରକାରୀ ନିର୍ଦ୍ଦେଶନାମା ଜାରି ଲାଗି ଏକ ପ୍ରୟାସ।
# ଜିଲ୍ଲାର ପ୍ରଚୁର ପରିମାଣରେ ମହଜୁଦ ଥିବା ଶାଳପତ୍ର ତିଆରି “ଖଲି”,”ଦୋନା ଏବଂ ଅନ୍ୟାନ୍ୟ ସାମଗ୍ରୀ ର ବ୍ୟାପକ ଭାବେ ବ୍ୟବହାର କରିବା।
# ଆୟୁର୍ବେଦ ତଥ୍ୟ ସହିତ ପୁରୁଣା କଥା ଅନୁଯାୟୀ ଆଜି ସମୟର ସବୁଠାରୁ ମାରାତ୍ମକ ରୋଗ “ଅମ୍ଳ” ବା “ଏସିଡ” କୁ ଦୂର କରିବା ପାଇଁ ଏଭଳି ଔଷଧୀୟ ଗଛରୁ ବାହାରୁଥିବା ଦାନ୍ତକାଠି କୁ ବ୍ରସ ପରିବର୍ତ୍ତେ ବ୍ୟବହାର କରିବା
# ବଣଭୋଜି ରେ ଶାଳ ପତ୍ର ଦୋନା ଖଲି ରେ ଖାଇବା କୁ ଗୁରୁତ୍ୱ ପ୍ରଦାନ କରିବା
# ଶିମିଳିପାଳ ଭିତରକୁ ଥର୍ମକୋଲ ଓ ଲାମିନେଟେଡ ଖଲି ଓ ଦୋନା କୁ ପ୍ରବେଶ ନିଷେଧ କରିବାର ପାଇଁ ବ୍ୟାପକ ଭାବେ ଜନ ସଚେତନତା ସହିତ ପ୍ରଶାସନିକ ନିର୍ଦ୍ଦେଶ ପ୍ରଦାନ କରିବା ସହିତ
ଶାଳପତ୍ରରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ଦ୍ୱାରା ସମାଜର ଅନେକ ହିତକାର୍ଯ୍ୟ ମଧ୍ୟ ହୋଇପାରିବ l ଯଥା ଶାଳପତ୍ର କୁ ସଂଗ୍ରହ କରୁଥିବା ଆଉ ତାକୁ ନେଇ ଖଲି ବନେଇ ଜୀବିକା ନିର୍ବାହ କରୁଥିବା ପରିବାରର ଜୀବିକା ନିର୍ବାହ ହେବ ଏବଂ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ରେ ସୁଧାର ଆସିବ l ପ୍ଲାଷ୍ଟିକ/ସୋଲ ଖଲି କୁ ନ ଖାଇ ଅନେକ ଗୋରୁ ଗାଈ ମୃତ୍ୟୁବରଣ ରୁ ରକ୍ଷା ପାଇପାରିବେ l ପ୍ଲାଷ୍ଟିକ/ସୋଲ ଖଲି, ଗ୍ଲାସ୍ ଦହନ ହେବାପାଇଁ ଅତି କମରେ ୪୦ ବର୍ଷ ସମୟ ଲାଗେ, ସେଥିରୁ ମଧ୍ୟ ଧରା ପୃଷ୍ଠ ବଞ୍ଚିଯିବ l ପ୍ରବାହିତ ଝରଣା ଗୁଡ଼ିକ ମଧ୍ୟ ପ୍ଲାଷ୍ଟିକ ଦ୍ଵାରା ପୋତି ହୋଇଯିବାରୁ ବଞ୍ଚିଯିବ l ଚାଷ କାମ ରେ ବ୍ୟାଘାତ ହେବ ନାହିଁ ଏବଂ ଜଳାଶୟ ରେ ଥିବା ଜଳଚର ପ୍ରାଣୀ ବିଚରଣରେ ମଧ୍ୟ ଅସୁବିଧା ହେବ ନାହିଁ l ଏଣୁ ଯଥାଶୀଘ୍ର ଶାଳପତ୍ର ରୁ ପ୍ରସ୍ତୁତ ସାମଗ୍ରୀ କୁ ଜିଲ୍ଲା ତମାମ ଆଦୃତ କରେଇବା ପାଇଁ ସରକାରୀ ସ୍ତରରୁ ଘୋଷଣା କରିବାକୁ ଭଞ୍ଜସେନା ପକ୍ଷରୁ ଦାବୀପତ୍ର ଜରିଆରେ ଅନୁରୋଧ କରାଯାଇଅଛି l