ରାଉରକେଲା : ଆଜି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ଉତ୍ସବ ଉଦଘାଟିତ ହୋଇଛି । ଉକ୍ତ ସମାବର୍ତ୍ତନ ସମାରୋହ ସଭାରେ ଓଡ଼ିଶାର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳାଧିପତି ଡ଼ ହରିବାବୁ କାମ୍ବମପତି ଅଧ୍ୟକ୍ଷତା କରିବା ସହିତ ଏହାକୁ ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଡ଼ିଆରଡ଼ିଓ ନିର୍ଦ୍ଦେଶକ ଡ଼କ୍ଟର ବିନୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ୟୁଜି, ପିଜି ଏବଂ ପିଏଚଡ଼ି ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ୟୂୁଜି ଏବଂ ପିଜି କାର୍ଯ୍ୟକ୍ରମ ପାଇଁ ୨୦୨୩-୨୪ ପର୍ଯ୍ୟନ୍ତ ମୋଟ ୨୯୨୮୩ ପ୍ରମାଣପତ୍ର ବଣ୍ଟାଯାଇଛି। ବିଶ୍ୱବିଦ୍ୟାଳୟର ୧୯ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଇଥିବାବେଳେ ବି.ଟେକର ଛାତ୍ର ଅର୍ଜୁନ ଭୂୟାଁ, ଏମ.ଟେକର ଛାତ୍ର ଭୁବନାନନ୍ଦ ଦାସ ଓ ବି ଫାର୍ମାର ଛାତ୍ର ଦିଲ୍ଳୀପ କୁମାର ସାନ୍ତରାଙ୍କୁ ବିଶେଷ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି।
ସେହିପରି ସମ୍ମାନସୂଚକ ଉପାଧି ଭାବେ ରାଉରକେଲା ତଥା ବୋକର ଇସ୍ପାତ କାରଖାନାର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତନ୍ତୁ ଭୌମିକଙ୍କୁ ପ୍ରଦାନ କରାଯାଇଛି । ଏଥି ସହିତ ୬୬ ଜଣଙ୍କୁ ପିଏଚଡ଼ି ଡ଼ିଗ୍ରୀ, ଇଞ୍ଜିନିୟରିଂରେ ୩୦ , ମ୍ୟାନେଜମେଣ୍ଟରେ ୬, ଫାର୍ମାସିରେ ୨୭ ଓ କମ୍ପ୍ୟୁଟର ଆପ୍ଲିକେସନ ଏବଂ ସାଇନ୍ସରେ ୩ ଜଣ ରହିଛିନ୍ତି । କୁଳପତି ଡ଼ ଅମୀୟ କୁମାର ରଥ , ରେଜିଷ୍ଟାର ନିଶି ପୁନମ ମିଞ୍ଜଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।