Img 20241230 Wa0137

ଶିମିଳିପାଳ ପାଦଦେଶରେ ଷ୍ଟ୍ରବେରୀ ଚାଷ; ସ୍ୱାବଲମ୍ବୀ ହେଉଛନ୍ତି ସ୍ଥାନୀୟ ଆଦିବାସୀ

State
  • ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟା ହସ ଫୁଟାଉଛି ପାରମ୍ପରିକ ଚାଷୀଙ୍କ ମୁହଁରେ

ବାରିପଦା: ସବୁଜ ପତ୍ର ସାଙ୍ଗକୁ ଧଳା ଫୁଲ ସହ ଲାଲ୍ ରଙ୍ଗର ପେନ୍ଥା ପେନ୍ଥା ଫଳିଛି ଷ୍ଟ୍ରବେରୀ ଆଉ ବାସ୍ନାରେ ମହକି ଯାଉଛି ଶିମିଳିପାଳ ପାଦଦେଶ ଅଞ୍ଚଳ। ଏହା କାହାଣୀ ଶାମାଖୁଣ୍ଟା ବ୍ଲକର ତାରାଯୋଡି ଏବଂ କୋଚିଳାଘାଟିର ୨୫ ଜଣ ଚାଷୀଙ୍କର ଯେଉଁମାନେ ଏଣିକି ପାରମ୍ପରିକ ଚାଷ ସହିତ ବିଦେଶୀ ଫଳ ଷ୍ଟ୍ରବେରୀ ମଧ୍ୟ ଚାଷ କରୁଛନ୍ତି। ମୟୂରଭଞ୍ଜରେ ଧାନ, ଡାଲି ଜାତୀୟ ଓ ପନିପରିବା ଚାଷ ସହ କିଛି ନୂଆ ଫସଲ ଚାଷ କରିବାର ପ୍ରୟାସ ନେଇ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଷ୍ଟ୍ରବେରୀ ଚାଷ ଜିଲ୍ଲା ପ୍ରଶାସନ ମିଶନ ମୋଡରେ କାର୍ଯ୍ୟକରି ସଫଳ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ଶିମିଳିପାଳ ପାଦ ଦେଶରେ ପ୍ରାକୃତିକ ପରିବେଶ ଏହି ଚାଷ ପାଇଁ ଅନୁକୂଳ ହୋଇଥିବାରୁ ସେଠିକାର ଚାଷୀ ମାନେ ମନୋନିବେଶ କରିଛନ୍ତି ଏହି ଷ୍ଟ୍ରବେରୀ ଚାଷରେ।

ରାଜ୍ୟ ସରକାରଙ୍କ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାନ, ଉଦ୍ୟାନକୃଷି ବିଭାଗ, ମୂର୍ତ୍ତିକା ସଂରକ୍ଷଣ ତଥା ଜଳଛାୟା ପ୍ରକଳ୍ପ ଓ କୃଷିବିଜ୍ଞାନ କେନ୍ଦ୍ର-୧ ଶାମାଖୁଣ୍ଟା ସମେତ ଅନ୍ୟାନ୍ୟ ବିଭାଗ ସହଯୋଗରେ ଷ୍ଟ୍ରବେରୀ ଚାଷ ସଫଳ ହୋଇପାରିଛି। ଏଥିପାଇଁ ଉଦ୍ୟାନକୃଷି ବିଭାଗ, ମହାରାଷ୍ଟ୍ରର ମହାବଳେଶ୍ଵର ଅଞ୍ଚଳରୁ ପାଖାପାଖି ୧,୭୦,୦୦୦ ଷ୍ଟ୍ରବେରୀ ଚାରାକୁ ନେଇ ୧୦ ଏକର ଚାଷ ଜମିରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ଫଳ ଚାଷ ବର୍ତ୍ତମାନ ଫଳପ୍ରସୁ ଅବସ୍ଥାରେ। ଏଥିନିମନ୍ତେ, ପ୍ରଶାସନ ପକ୍ଷରୁ ପାଇପ ଯୋଗେ ସିଞ୍ଚନ ଜଳଯୋଗାଣ ସୁବିଧା ଯୋଗାଇ ଦିଆଯାଇଥିଲା ଏବଂ ତା ସହିତ ମଲଚିଂ ପଦ୍ଧତିରେ ମୃତ୍ତିକାର ଗୁଣ ଓ ସଂରଚନାରେ ଉନ୍ନତି ସହିତ ଆର୍ଦ୍ରତା ବଜାୟ ରଖିବା ଏବଂ ବାଷ୍ପୀକରଣ ହ୍ରାସ କରିବାରେ ସାହାଯ୍ୟ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞ ଓ ଚାଷୀଙ୍କ ମତରେ ଗଛ ଲାଗିବାର ଦୁଇ ମାସ ଦିନ ମଧ୍ୟରେ ଫଳ ଉତ୍ପାଦନ ହୋଇଛି ଏବଂ ଏଥିପାଇଁ କୌଣସି ଅଧିକ ପରିଶ୍ରମ ଲାଗୁନାହିଁ। ଜିଲ୍ଲାପାଳଙ୍କ ଏହି ଅନନ୍ୟ ପ୍ରୟାସ ଫଳରେ ଆଜି ମୟୂରଭଞ୍ଜରେ ମଧ୍ୟ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି; ଏହାପୂର୍ବରୁ ଜିଲ୍ଲାପାଳ ଶ୍ରୀ ସୟ କୋରାପୁଟ ଓ ନୂଆପଡ଼ାରେ ଏହି ଚାଷ ଆରମ୍ଭ କରି ଜାତି, ଜନଜାତି ବର୍ଗର ଲୋକଙ୍କୁ ରୋଜଗାରର ମାଧ୍ୟମ ଯୋଗାଇଥିବା କଥା ଗଣମାଧ୍ୟମରେ ପ୍ରଚାର ହେବା ସହିତ ଅନେକ ସାଧୁବାଦ ମଧ୍ୟ ମିଳିଥିଲା। ଗୋଟିଏ ଚାରରୁ ୩୫୦ ଗ୍ରାମ ରୁ ୪୦୦ ଗ୍ରାମ ଷ୍ଟ୍ରବେରୀ ଫଳ ହେଉଥିବା ବେଳେ ବର୍ତ୍ତମାନ ବଜାରରେ ଷ୍ଟ୍ରବେରୀ ଫଳର ଚାହିଦା ଅନେକ। କିଲୋ ପ୍ରତି ୪୦୦ ରୁ ୫୦୦ଟଙ୍କାରେ ଏହା ବିକ୍ରି ହେଉଥିବା ବେଳେ, ୫୦,୦୦୦ କିଲୋ ପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା ଅମଳ ହୋଇପାରିବ ବୋଲି ଆଶା ରଖିଛନ୍ତି ସେହି ସଫଳ ଚାଷୀ ମାନେ। କୃଷି ବିଜ୍ଞାନ କେନ୍ଦ୍ରର ମାର୍ଗଦର୍ଶିକା, ଆଦିବାସୀ ସମନ୍ବିତ ଉନ୍ନୟନ ସଂସ୍ଥା ଏହି ମିଳିତ ଉଦ୍ୟମରେ ହୋଇଥିବା ପ୍ରକଳ୍ପ ଜରିଆରେ ଆବଶ୍ୟକ ଖତ, ସାର, କୀଟନାଶକ ଔଷଧ ଓ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦିଆଯାଇ ଥିବା ବେଳେ ନିକଟସ୍ଥ ପଳପଳା ନଦୀର ଉଠାଜଳସେଚନ ଜରିଆରେ ଚାଷ ଜମିକୁ ଜଳସେଚନ ଦ୍ୱାରା ପ୍ରଭାବିତ କରାଯାଇ ପାରିଛି।

ପରବର୍ତ୍ତୀ ପ୍ରୟାସରେ ଏହି ଫସଲର ମାର୍କେଟିଙ୍ଗ ପାଇଁ , ଉତ୍ପାଦନ ପରେ ବର୍ତ୍ତମାନ ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକଙ୍କୁ ୫ଟି ଷ୍ଟଲ ଜରିଆରେ ଏହା ବିକ୍ରି କରାଯାଉଛି। ପରେ ବାରିପଦା ଓ ବାଲେଶ୍ୱର ସହରରେ ଓ ଉତ୍ପାଦନକୁ ଆଖିରେ ରଖି ଓଡିଶା ବାହାରକୁ ରପ୍ତାନି କରିବା ପାଇଁ ପ୍ରଶାସନ ଯୋଜନା କରୁଛନ୍ତି । ଏଥିସହିତ ଓରମାସ ମାଧ୍ୟମରେ ରାଜ୍ୟ ତଥା ବିଦେଶରେ ବିକ୍ରି ପାଇଁ ବନ୍ଦୋବସ୍ତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛନ୍ତି । ଜିଲ୍ଲାପାଳ ନିଜେ ଚାଷୀଙ୍କ ସହିତ ଆଲୋଚନା କରି ଚାଷ ପଦ୍ଧତିରେ ସୁଧାର ଏବଂ ତ୍ୱରିତ ବ୍ୟବସ୍ଥା ଅଣାଯିବ ପାଇଁ ପଦକ୍ଷେପ ନେଇଛନ୍ତି। ଆଦିବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ତଥା ବିକଳ୍ପ କୃଷି ଜରିଆରେ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏଭଳି ନୂତନ ଯୋଜନା ଜିଲ୍ଲାପାଳ ଶ୍ରୀ ସୟଙ୍କ ପ୍ରୟାସରେ ଆରମ୍ଭ ହୋଇ ସଫଳ ହେଉଥିବା ବେଳେ ଆସନ୍ତା ବର୍ଷଠାରୁ ପାଖାପାଖି ୫୦ଏକର ଜମିରେ ଏହି ଷ୍ଟ୍ରବେରୀ ଚାଷ କରାଯିବ ବୋଲି ଲକ୍ଷ୍ୟ ରହିଛି ।

ଷ୍ଟ୍ରବେରୀ ଚାଷ ଭାରତର ସିମଲା, ହିମାଚଳ ପ୍ରଦେଶ ଓ ବେଙ୍ଗାଲୁରୁ ଭଳି ଶୀତ ପ୍ରଧାନ ଅଞ୍ଚଳ ମାନଙ୍କରେ ଅଧିକ ପରିମାଣରେ କରାଯାଇଥାଏ । ହେଲେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚରେ ରହିଥିବା କୋରାପୁଟ, ନିୟମଗିରି, ନୂଆପଡା, ରାୟଗଡା ଭଳି ଅଂଚଳରେ ମଧ୍ୟ ହୋଇପାରିଛି ଏହି ଚାଷ । ଚାଷ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ପାଇଁ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦାହରଣ ହୋଇପାରିବେ ଏଠାକାର ଅଧିବାସୀ ଓ ଜୀବନଶୈଳୀର ଏକ ନୂଆ ରାହା ଦେଖାଇବ ଷ୍ଟ୍ରବେରୀ।