Image 1728027389

ଜାନୁୟାରୀ ୩ରୁ ଭୁବନେଶ୍ୱରରୁ ଆଉ ୫ ସହରକୁ ସିଧାସଳଖ ବିମାନ ସେବା

State

ଭୁବନେଶ୍ବର : ନୂଆବର୍ଷରୁ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ମିଳିବ ଅଧିକ ସହରକୁ ସିଧାସଳଖ ବିମାନସେବା । ଜାନୁୟାରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଆଉ ଜାନୁୟାରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ସୂଚନା ଦେଇଛନ୍ତି । ପୂର୍ବରୁ ପ୍ରାୟ ଦେଢ଼ମାସ ତଳେ ଏହି ସିଧାସଳଖ ବିମାନ ସେବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସିଏମଓ ଓଡ଼ିଶାର‘ଏକ୍ସ’ ହ୍ୟାଣ୍ଡଲରେ ଏହି ସୂଚନା ଦେଇ କହିଛନ୍ତି ଯେ, ବିକାଶର ନୂଆ ଉଡ଼ାଣ ଭରୁଛି ଓଡ଼ିଶା । ଆରମ୍ଭ ହେବ ସିଧାସଳଖ ବିମାନ ସେବା । ଏହା ରାଜ୍ୟର ଅର୍ଥନୀତିକ ବିକାଶ କ୍ଷେତ୍ରରେ ମାଇଲଖୁଂଟ ସାବ୍ୟସ୍ତ ହେବ । ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି ।
ଜାନୁୟାରୀ ୧ରୁ ଝାରସୁଗୁଡ଼ାର ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ,ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ମିଳିବ । ସେହିପରି ଜାନୁୟାରୀ ୩ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଓ ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।
ଏହି ସବୁ ନୂଆ ସହରକୁ ସିଧାସଳଖ ବିମାନ ସେବା ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା ।