Zz

ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କଳାହାଣ୍ଡି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

State

କଳାହାଣ୍ଡି: ମନ କି ବାତ୍‌ କାର୍ଯ୍ୟକ୍ରମରେ କଳାହାଣ୍ଡିର ଚାଷୀଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ କିଭଳି ଟମାଟୋ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ନିଜ ଅଞ୍ଚଳର ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମଧ୍ୟ କାମ ଯୋଗାଇଛନ୍ତି ତାହାର ପ୍ରଶଂସା କରିଛନ୍ତି ମୋଦୀ।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗ । ୨୦୦୮ ମସିହାରେ ପ୍ରଥମେ ୨୦ ରୁ ୨୫ ଡେସିମିଲ ଜମିରେ ଟମାଟୋ ଚାଷ ଆରମ୍ଭ କରିଥିଲେ। ସେତେବେଳେ ସେ ୭୨ କୁଇଣ୍ଟାଲ ଟମାଟୋ ପାଇଥିଲେ । କିନ୍ତୁ ନିଜ ଖାଲୁଆ ଜମିକୁ ସମତୁଲ କରି ଚଳିତ ବର୍ଷ ୨୦୦ ଏକର ଜମିରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ କରି ଚଳିତ ବର୍ଷ ୧ କୋଟି ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଠିକ ସେହିପରି ଚଳିତ ବର୍ଷ ୧୫୦ ଏକର ଜମିରେ କଲରା ଚାଷ କରି ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିପାରିଛନ୍ତି । କମ୍‌ ସାରରେ ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ସେ ଚାଷ କରୁଥିବା ଟମାଟୋର ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶାରେ ବେଶ୍‌ ଚାହିଦା ଥିବାବେଳେ ପଡୋଶୀ ରାଜ୍ୟ ଛତିଶଗଡ଼ର ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଟମାଟୋ ଓ କଲରା କିଣୁଛନ୍ତି।
ଆଧୁନିକ ଜୈବିକ ପ୍ରଣାଳୀରେ ଚାଷ କରୁଥିବାରୁ ଉକ୍ତ ଯୁବ ଚାଷୀଙ୍କ ଚାଷ ଓ ଚାଷ କାର୍ଯ୍ୟପ୍ରଣାଳୀକୁ ଦେଖିବାକୁ ବିଭିନ୍ନ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆସୁଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାର କୃଷି ବିଭାଗର ଟିମ ମଧ୍ୟ ଚାଷ କାର୍ଯ୍ୟ ଦେଖିବାକୁ ଆସିଥାନ୍ତି ।
ତେବେ ଗୋଲାମୁଣ୍ଡା ବ୍ଲକର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ, ସାନଚେରଗାଁ ଭଳି ଗ୍ରାମରେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇ ମଧ୍ୟ ଚାଷ କାର୍ଯ୍ୟକୁ ଜୀବିକା କରିବା ସହ ୧୫୦ ରୁ ଉର୍ଦ୍ଧ୍ବ ପରିବାରକୁ ପ୍ରତିପୋଷଣ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ୧୧୭ ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ତାଙ୍କର ଚାଷ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଯାହାକୁ ନେଇ କୃଷ୍ଣ ନାଗ ବେଶ ଉତ୍ସାହିତ ଥିବା କହିଛନ୍ତି। ଅପର ପକ୍ଷରେ ଏପରି କୃଷି ଉତ୍ପାଦନ ସଂଗଠନକୁ ପ୍ରୋତ୍ସାହିତ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।