ନିଆଳି ୨୯।୧୨: ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ପ୍ରାର୍ଥନାକୁ କଦର୍ଥ ବିଶ୍ଲେଷଣ କରିବା ଘଟଣା ପରେ ରବିବାର ରାମକୃଷ୍ଣ ନନ୍ଦଙ୍କ ଜନ୍ମମାଟିରେ ପହଞ୍ଚିଥିଲେ ସାଂସଦ । ଜନ୍ମମାଟିକୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ପରେ ପୁଣ୍ୟତ୍ମା ରାମକୃଷ୍ଣ ନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରିବାର ସଦସ୍ୟମାନଙ୍କୁ ଭେଟି ଆଲୋଚନା କରି ଆଶୀର୍ବାଦ ଭିକ୍ଷା ସହ ଘଟଣାରେ ଭୁଲ ବୁଝିପାରିଥିବା ମୁନ୍ନା ଖାଁ କହିଥିଲେ ।
ଗତ ୬ ତାରିଖରେ ନବରଙ୍ଗପୁର ଜିଲ୍ଲା ମଣ୍ଡେଇ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ଏହି କାର୍ଯ୍ୟକ୍ରମରେ ରାମକୃଷ୍ଣ ନନ୍ଦଙ୍କ ପ୍ରାର୍ଥନାର ଶେଷ ପଂକ୍ତି ‘ମତେ ଏତିକି ଶିଖାଅ ସାଇଁ ହେ ମୋର ଧନଜନ ଲୋଡା ନାହିଁ ହେ’କୁ ରାମକୃଷ୍ଣ ନନ୍ଦ ତାଙ୍କ ସ୍ତ୍ରୀଙ୍କ ସହିତ ଝଗଡା କରି ଲେଖିଥିବାରୁ ଧନ ଜନ ଲୋଡ଼ା ନାହିଁ ଲେଖିଛନ୍ତି । ଯେଉଁଥିପାଇଁ ଓଡ଼ିଶା ଗରିବ ହୋଇଛି । ଏହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ସମାଲୋଚନାର ଶିକାର ହୋଇଥିଲେ ମୁନ୍ନା । ତାଙ୍କ ନାମରେ ପରିବାର ପକ୍ଷରୁ କଟକ ଓଲଟପୁର ଥାନାରେ ଏତଲା ଦିଆଯାଇ ମାମଲା ରୁଜୁ ହୋଇଥିଲା । ପରେ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ ସାଂସଦ । ରବିବାର କବିଙ୍କ ଜନ୍ମମାଟିରେ ପହଞ୍ଚି ଭୁଲ୍ ସ୍ୱୀକାର ସହ ପରିବାରବର୍ଗଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ରାମକୃଷ୍ଣ ନନ୍ଦଙ୍କ କୃତି ଓ କିର୍ତ୍ତୀର ସୁରକ୍ଷା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୁତି ଦେଇଥିଲେ ।