ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍ଧାମ୍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ୱାଦଶ ଦିନରେ ସରି ଏକ ଉତ୍ସବ ପରି ପାଳିତ ହୁଏ । ବାଇବେଲ୍ର “ନ୍ୟୁ ଟେଷ୍ଟାମେଣ୍ଟ୍” (ନୂତନ ନିୟମାବଳୀ) ଅନୁସାରେ ବେଥ୍ଲେହେମ୍ଠାରେ ଯୀଶୁଙ୍କ ଜନ୍ମ ଗ୍ରହଣର ବୃତ୍ତାନ୍ତ ବଡ଼ଦିନ ଉତ୍ସବର ପାରମ୍ପରିକ ମୂଳଦୁଆ । ସନ୍ଥ ଜୋସେଫ୍ ଓ ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ରହିବା ପାଇଁ କୌଣସି ପାନ୍ଥନିବାସ ନାହିଁ । ତେଣୁ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯୀଶୁଙ୍କୁ ଜନ୍ମଦାନ କରିଥିଲେ । ଦେବଦୂତ (angels) ଓ ମେଷପାଳକମାନେ ମିଶି ଏହି ଶୁଭ ମୁହୂର୍ତ୍ତ ବିଷୟରେ ସଭିଙ୍କୁ ଜଣାଇଲେ ଓ ଯୀଶୁ ଜନ୍ମ ନେବା କଥା ପ୍ରଚାରିତ ହୋଇଗଲା ।
ଯୀଶୁଙ୍କ ପ୍ରକୃତ ଜନ୍ମ ତାରିଖ ଓ ମାସ ସମସ୍ତଙ୍କୁ ଅଜ୍ଞାତ, କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ “ୱେଷ୍ଟର୍ଣ୍ଣ୍ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ୍” (ପାଶ୍ଚାତ୍ୟ ଦେଶମାନଙ୍କ ପ୍ରମୁଖ ଗୀର୍ଜାଘରମାନେ) ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମ ବୋଲି ଅଭିହିତ କଲେ ଓ ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହେଲା । ବର୍ତ୍ତମାନ ସମୟରେ ଗ୍ରେଗୋରିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍ ଓ ଅଧିକାଂଶ ଦେଶର ସରକାରୀ କ୍ୟାଲେଣ୍ଡର୍ ଡିସେମ୍ବର ୨୫କୁ ବଡ଼ଦିନ ବୋଲି ଘୋଷଣା କରିଛନ୍ତି । କେତେକ ପ୍ରାଚ୍ୟ ଦେଶରେ ଅନୁସୃତ ଜୁଲିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍ର ଡିସେମ୍ବର ୨୫ ତାରିଖ (ଯାହା ଗ୍ରେଗୋରିଆନ୍ ପାଞ୍ଜି ଅନୁସାରେ ଜାନୁଆରୀ ୭ ତାରିଖ) ଦିନ ବଡ଼ଦିନ ପାଳିତ ହୋଇଥାଏ । ଜୁଲିଆନ୍ ପାଞ୍ଜିର ବଡ଼ଦିନ ଗ୍ରେଗୋରିଆନ୍ ପାଞ୍ଜିର ଏପିଫ୍ୟାନି ବା ପ୍ରଭୁପ୍ରକାଶ ପର୍ବ (ଜାନୁଆରୀ ୬ ତାରିଖ)ର ପରବର୍ତ୍ତୀ ଦିନ ପଡ଼ିଥାଏ । ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହାକୁ ଏକ ବିବାଦ ନୁହେଁ ବରଂ ପାଞ୍ଜି ଅନୁସରଣ କରିବାର ଏକ ଭିନ୍ନ ଦିଗ ଭାବେ ପରିଗଣିତ କରିଥାନ୍ତି । ଅନ୍ୟ ଏକ ଦୃଷ୍ଟିଭଙ୍ଗୀ ଅନୁସାରେ ଜଗତର ପାପମୋଚନ କରିବା ପାଇଁ ଭଗବାନ ଯୀଶୁ ଅବତାର ରୂପେ ପୃଥିବୀପୃଷ୍ଠରେ ଅବତରଣ କରିଥିବାର ବେଳା ବା ଘଟଣାକୁ ପାଳନ କରାଯିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଏବଂ ନିର୍ଦ୍ଦିଷ୍ଟ କେଉଁ ଦିନ ଏହି ସବୁ ଘଟଣା ଘଟିଥିଲା ତାହା ନିମିତ୍ତ ମାତ୍ର ।
ବଡ଼ଦିନ ପାଳନର ପରମ୍ପରାରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା, ଖ୍ରୀଷ୍ଟପୂର୍ବ ସମୟର କିଛି ଧାର୍ମିକ ପ୍ରଥା ଓ ଅନ୍ୟ କେତେକ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇ ରହିଛି । ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ଆଗମନ କ୍ୟାଲେଣ୍ଡର୍ର (Advent calendar) ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୁଏ । ବଡ଼ଦିନ ସମ୍ପର୍କିତ କିଛି ସ୍ଥାନୀୟ ଲୋକକଥା ଓ ପରମ୍ପରା ମଧ୍ୟ ରହିଛି । ସନ୍ଥ ନିକୋଲାସ୍ ବା “ସାଣ୍ଟା କ୍ଲସ୍” (ଇଂରାଜୀରେ Santa Claus) ଛୋଟ ପିଲାଙ୍କ ପାଇଁ ଉପହାର ଆଣିଦେବା ସେମାନଙ୍କୁ ଉତ୍ସାହିତ ଓ ଆନନ୍ଦିତ କରିଥାଏ । ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡ଼ଦିନ ସମୟଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ ଓ ଗତ କିଛି ଶତାବ୍ଦୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ଦିନ ସମୟରେ ଏହି ବ୍ୟାପାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।
ମେଥ୍ୟୁ ଓ ଲ୍ୟୁକ୍ଙ୍କ ବର୍ଣ୍ଣିତ ଯୀଶୁ ଜନ୍ମ ବୃତ୍ତାନ୍ତ ପ୍ରାୟତଃ ସମସ୍ତ ଖ୍ରୀଷ୍ଟ ଧର୍ମବାଣୀରେ ପ୍ରତିଫଳିତ ହୋଇଛି ଓ ପୁରାତନ ଖ୍ରୀଷ୍ଟୀୟ ଲେଖକଗଣ ଯୀଶୁଙ୍କ ଜନ୍ମ ତାରିଖ ବିଷୟରେ ବିଭିନ୍ନ ମତ ଦେଇଆସିଛନ୍ତି । ଖ୍ରୀ. ୩୩୬ରେ ରୋମ୍ ନଗରରେ ପ୍ରଥମ ଥର ପାଇଁ ବଡ଼ଦିନ ପାଳିତ ହୋଇଥିବାର ଉଲ୍ଲେଖ ରହିଛି । ଚତୁର୍ଥ ଶତାବ୍ଦୀରେ ଖ୍ରୀଷ୍ଟ ଧର୍ମରେ ଦେଖାଦେଇଥିବା ଏରୀୟ ବିବାଦ ପଛରେ ମଧ୍ୟ ବଡ଼ଦିନ ଉତ୍ସବର ଭୂମିକା ରହିଥିଲା । ମଧ୍ୟଯୁଗରେ ଏହା ପ୍ରଭୁପ୍ରକାଶ (ବା ଏପିଫେନି) ଉତ୍ସବ ଯୋଗୁଁ କ୍ରମେ ଶିଥିଳ ପଡ଼ି ଆସିଥିଲା । ବଡ଼ଦିନ ଉପଲକ୍ଷେ ଚାର୍ଲିମେନ୍ ସମ୍ରାଟ ରୂପେ ଅଭିଷିକ୍ତ ହେବାରୁ ଖ୍ରୀ. ୮୦୦ ପରେ ବଡ଼ଦିନ ପାଳନକୁ ନେଇ ପୁଣି ଉତ୍ସାହ ସୃଷ୍ଟି ହୋଇଥିଲା ।
ତୃତୀୟ ଶତାବ୍ଦୀ ବେଳକୁ ଯୀଶୁଙ୍କ ଜନ୍ମ ତାରିଖକୁ ନେଇ ଲୋକଙ୍କ ମନରେ ତୁମୁଳ କୌତୁହଳ ତଥା ଅନିଶ୍ଚିତତା ରହିଥିଲା । ୨୦୦ ଖ୍ରୀଷ୍ଟାବ୍ଦ ବେଳକୁ ଆଲେକ୍ଜାଣ୍ଡ୍ରିଆର କ୍ଳେମଁ ଲେଖିଥିଲେ ଯେ : କିଛି ଲୋକ ଅଛନ୍ତି ଯେଉଁମାନେ ଆମ ଭଗବାନଙ୍କ କେବଳ ଜନ୍ମ ବର୍ଷ ନୁହେଁ ଏପରିକି ତାଙ୍କର ଜନ୍ମ ତାରିଖ ନିର୍ଦ୍ଧାରଣ କରି କହିଛନ୍ତି ଯେ ଅଗଷ୍ଟସ୍ଙ୍କ ଶାସନର ୨୮ତମ ବର୍ଷରେ, ମିଶରୀୟ ମାସ ପେଚୋନ୍ର ୨୫ତମ ଦିନରେ (ମଇ ୨୦) ଏହା ଘଟିଥିଲା … ପୁଣି ଅନ୍ୟ କିଛି ଜଣ ମତ ଦିଅନ୍ତି ଯେ, ସେ ଫାର୍ମୁଥି ମାସର ୨୪ତମ ବା ୨୫ତମ ଦିନରେ (ଅପ୍ରେଲ୍ ୨୦ ବା ୨୧) ଜନ୍ମ ଗ୍ରହଣ କରିଥିଲେ ।[୫୦]
ଏହି ସମୟର ଆଉ ଏକ ଲେଖାରେ କୁହାଯାଇଛି ଯେ, ଯୀଶୁଙ୍କ ଜନ୍ମ ତାରିଖଟି ମଇ ୨୦ କିମ୍ବା ଅପ୍ରେଲ୍ ୧୮ ବା ୧୯ କିମ୍ବା ମାର୍ଚ୍ଚ ୨୫, ଜାନୁଆରୀ ୨ କିମ୍ବା ନଭେମ୍ବର ୧୭ କିମ୍ବା ନଭେମ୍ବର ୨୦ ହୋଇଥାଇପାରେ ବୋଲି ଅନେକ ପ୍ରସ୍ତାବ ଆସିଥିଲା ।[୯][୫୧] ଅନେକ କାରଣରୁ ଡିସେମ୍ବର ୨୫କୁ ଯୀଶୁଙ୍କ ଜନ୍ମୋତ୍ସବ ରୂପେ ଗ୍ରହଣ କରାଯାଇଥିଲା । ରୋମାନ୍ ପାଞ୍ଜି ଅନୁସାରେ ଅୟନାନ୍ତ (winter solstice) ମାର୍ଚ୍ଚ ୨୫ ତାରିଖର ୯ ମାସ ପରେ ହୁଏ । ମାର୍ଚ୍ଚ ୨୫ ତାରିଖ ହେଉଛି ବସନ୍ତ-ବିଷୁବ ଯେଉଁ ଦିନ ମେରି ଯୀଶୁଙ୍କୁ ଗର୍ଭରେ ଧାରଣ କରିଥିଲେ ବୋଲି କୁହାଯାଏ ।