Photo4

ଐତିହ୍ୟ ସମ୍ପନ୍ନ ପୌରାଣିକ ପୀଠ ‘ସାବିତ୍ରୀ ଆଡ଼ି’

Religion and Cult

ବିନୋଦ କୁମାର ଧଳ ସାମନ୍ତ

ଆଗରପଡ଼ା : ଆମ ରାଜ୍ୟର କଳା ଓ ସଂସ୍କୃତି ସାରା ଭାରତ ବର୍ଷରେ ସ୍ୱତନ୍ତ୍ର । ରାଜ୍ୟର ପ୍ରତେକ ଜିଲ୍ଲାରେ ଏପରିବି ପୀଠ ଅଛି ଯାହା ଆମ ରାଜ୍ୟର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେହି ଜିଲ୍ଲା ମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲା ଅନ୍ୟତମ । ଏହି ଜିଲ୍ଲା ବହୁ ଐତିହ୍ୟ ସଂପର୍ଣ୍ଣ ପୀଠର ବାର୍ତ୍ତା ଓ କାହାଣୀକୁ ନିଜ କୋଳରେ ଧରି ଗର୍ବ ଅନୁଭବ କରିବା ସହ ଏହି ଅଂଚଳର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି ସେହି ପୀଠମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ତୋଟା ସାହି ସ୍ଥିତ ‘ସାବିତ୍ରୀ ଆଡି’ବା ‘ସାବିତ୍ରୀ ପୀଠ’ଅନ୍ୟତମ । ହଜାର ହଜାର ବିବାହିତା ମହିଳାଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ଏହି ସାବିତ୍ରୀ ଆଡ଼ି । ଭଦ୍ରକ ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ଟିଲୋ ଗ୍ରେନ୍ ଗୋଲାଛକ ଠାରୁ ଜାମ୍ବବଣି ଛକକୁ ସଂଯୋଗ କରୁଥିବା ରାସ୍ତାରେ ପାଖାପାଖି ୪କି.ମି. ଗଲେ ରାସ୍ତାର ବାମ ପଟେ ପବିତ୍ର ସାବିତ୍ରୀ ଆଡ଼ି ପୀଠ ପଡ଼ିଥାଏ । ପୀଠଟିର ଚତୁଃପାଶ୍ୱର୍ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବା ବେଳେ, ଉତ୍ତର ପାଶ୍ୱର୍ରେ ସରୁ ସାଗର ନଦୀ ପ୍ରବାହିତା , ପୂର୍ବ ପାଶ୍ୱର୍ରେ ମାତାଙ୍କୁ ଠାବ କରିଥିବା ପୁହାଣ ପରିବାରର ବାସସ୍ଥାନ । ଏହି ପୀଠରେ ମା’ ସାବିତ୍ରୀ ଓ ତାଙ୍କ କୋଳରେ ଶୟନାବସା୍ଥରେ ଥିବା ସ୍ୱାମୀ ସତ୍ୟବାନଙ୍କର କଳା ମୁଗୁନି ପଥରର ମୂର୍ତ୍ତି ସହ ମା’ ଦଶ ଭୂଜା ବନ ଦୁର୍ଗାଙ୍କ ମୂର୍ତ୍ତି ମଧ୍ୟ ପୂଜା ପାଆନ୍ତି । ଏହି ମୂର୍ତ୍ତି ଗୁଡ଼ିକ ବହୁ ପୁରାତନ ହୋଇଥିଲେ ମଧ୍ୟ ଏହାର ଉତ୍ପତ୍ତି ସମ୍ବଦ୍ଧରେ କୌଣସି ସଠିକ ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳପାରିିନାହିଁ । ଜନଶୃତି କହେଯେ ,ଏହି ଗ୍ରାମର ହରିହର ପୁହାଣଙ୍କ ବାପା ଭାଗିରଥି ପୁହାଣ ଏହି ମୂର୍ତ୍ତି ଗୁଡ଼ିକୁ ଠାବ କରିଥିଲେ । ଏହି କଥା ପ୍ରଚାରିତ ହେବା ପରେ ମିଳିଥିବା ୩ଟି ମୂର୍ତ୍ତିକୁ ପୂଜା କରାଯାଉଥିଲା । ସେହି ମୂର୍ତ୍ତିରେ ଅନନ୍ତ ମାଧବ ମୂର୍ତ୍ତି ମଧ୍ୟ ରହିଥିଲା ।

Photo2

୧୫୫୦ ମସିହା ପୂର୍ବରୁ ଆଗରପଡ଼ା ଠାରୁ ୧୨କି.ମି. ଦୂରବର୍ତ୍ତୀ ପୂର୍ବଦକ୍ଷିଣ କୋଣରେ ଅବସ୍ଥିତ ତୋଟା ସାହିର ଠାକୁର ଗଢିଆଠାରେ ଶ୍ରୀ ଜୀଉଙ୍କ ପୀଠ ପ୍ରତିଷ୍ଠିତ । ଏକଦା ଉକ୍ତ ପୀଠର ଉତ୍ତର ଦିଗରେ ୬ କି.ମି. ଦୂରବର୍ତ୍ତୀ କୋଢିଆମାଳ ଗ୍ରାମର ଜଣେ ତନ୍ତିଆଣୀ ବୁଢି ସେହି ପୀଠ ଦେଇ ପଶ୍ଚିମ ଦିଗରେ ଥିବା ରାମଚନ୍ଦ୍ରପୁର ହାଟକୁ ଲୁଗା ବିକ୍ରି କରିବା ପାଇଁ ଯାଆନ୍ତି, କିନ୍ତୁ କୌଣସି ଏକ ଦିନ ବୁଢିର ଲୁଗା ବିକ୍ରି ନହେବାରୁ ସେ ନିରାଶ ହୋଇ ଘରକୁ ଫେରିବା ସହ ପରିବାର ପ୍ରତିପୋଷଣକୁ ନେଇ ଭାରାକ୍ରାନ୍ତ ହେଲା । ପୂର୍ବରୁ ଠାକୁର ଗଢିଆ ଠାରେ ଥିବା ଶ୍ରୀ ଜିଉଙ୍କ ଅଲୌକିକ ଶକ୍ତି ବିଷୟରେ ଜାଣି ଥିବାରୁ ବୁଢିଟି ଶ୍ରୀ ଜିଉଙ୍କୁ ଧ୍ୟାନ କରି ତାଙ୍କ ଠାରେ ମାନସିକ କରେ ଯେ ତାର ସବୁ ଲୁଗା ବିକ୍ରି ହୋଇଗଲେ ସେ ଠାକୁରଙ୍କ ପାଖରେ ମୁଢି ମୁଆଁ ଭୋଗ ଲଗାଇବା ସହ ପ୍ରତ୍ୟେହ ସଂଧ୍ୟାରେ ସଂଜ ଦୀପ ଜାଳିବ । ବୁଢିଟିର ମନସ୍କାମନା ପୂର୍ଣ୍ଣ ହୋଇଥିଲା । ଏହି ଖବର ଚାରିଆଡ଼େ ବ୍ୟାପିବା ସହ ଆଗରପଡ଼ାର ତତ୍‌କାଳିନ ମାହାଲ ରାଜବଂଶର ରାଜା ଯଶୋବନ୍ତ ସିଂହଙ୍କ ଠାରେ ପହଞ୍ôଚଥିଲା । ରାଜା ଅଧ୍ୟାତ୍ମିକ ଚେତନାଧାରି ହୋଇଥିବାରୁ ତହିଁପର ଦିନ ହାତୀରେ ବସି ମନ୍ତ୍ରୀ, ସୈନ୍ୟସାମନ୍ତ ନେଇ ଠାକୁର ଗଡ଼ିଆ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ପହଞ୍ଚ ହାତୀ ସାହାର୍ଯ୍ୟରେ ଶ୍ରୀ ଜିଉଙ୍କୁ ମାଟିରୁ ଉଠାଇବାପାଇଁ ମାହୁନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇ ମାହୁନ୍ତ ଶ୍ରୀ ଜୀଉଙ୍କୁ ମାଟିରୁ ଉଠାଇବାକୁ ଅଗ୍ରସର ହେଉଥିବାବେଳେ ମାଟି ତଳୁ ଏକ ଭୟଙ୍କର ଗର୍ଜ୍ଜନ ବାହାରିବାର ଶୁଣି ସମସ୍ତେ ଆଶ୍ଚର୍ଯ୍ୟାନ୍ୟୁତ ହୋଇପଡ଼ିଥିଲେ ଓ ପର ମୁହୁର୍ତ୍ତରେ ପ୍ରଭୁଙ୍କ ନିର୍ଦ୍ଦେଶାନୁସାରେ ରାଜା କୋଢିଆମାଳ ଗ୍ରାମର ତନ୍ତିଆଣୀ ବୁଢି ସାହାର୍ଯ୍ୟରେ ଶ୍ରୀ ଜୀଉଙ୍କ ସହ ଅନ୍ୟ ମୂର୍ତ୍ତିଙ୍କୁ ଆଗରପଡ଼ାକୁ ଆଣି ପୂଜା ପାଠ କରିଥିଲେ । ପରେ ପୁନଃଶ୍ଚ ଅନନ୍ତ ମାଧବଙ୍କ ନିର୍ଦ୍ଦେଶାନୁସାରେ ଅନ୍ୟ ଦୁଇ ବିଗ୍ରହଙ୍କୁ ମୂଳ ସ୍ଥାନକୁ ଫେରାଇ ଅଣାଯାଇଥିଲା । ସେହି ଦିନ ଠାରୁ ଉକ୍ତ ପୀଠ ସାବିତ୍ରୀ ଆଡ଼ି ନାମରେ ଖ୍ୟାତ ଅର୍ଜ୍ଜନ କରିଥିଲା ।

Photo1

ଗ୍ରାମବାସୀମାନେ ଖାଲି ସ୍ଥାନରେ ପୂଜା ପାଉଥିବା ମୂର୍ତ୍ତିଙ୍କ ନିମିତ ଏକ ମନ୍ଦିର ନିର୍ମାଣ କରିଥିଲେ । ସାବିତ୍ରୀ ପୂଜା ଦିନ ପୁହାଣ ପରିବାରର ମହିଳା ମାନେ ସେଠାରେ ପୂଜାର୍ଚ୍ଚନା କରିବା ସହ ଭୋଗ ଲାଗି ଆଦି କରାଇଥାନ୍ତି । ସାଂସଦଙ୍କ ପାଣ୍ଠିରୁ ଅର୍ଥ ବ୍ୟୟ କରାଯାଇ ଏକ କମ୍ୟୁନିଟି ସେଣ୍ଟର ଏଠାରେ ନିର୍ମିତ ହୋଇଛି । ଏଠାରେ ହେଉଥିବା ବାର୍ଷିକ ପୂଜାର୍ଚ୍ଚନା ତୋଟା ସାହି ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହୋଇଥାଏ । କିନ୍ତୁ ସାବିତ୍ରୀ ବ୍ରତ ଦିନ ଓଡ଼ିଶାର କୋଣ ଅନୁକୋଣରୁ ଭକ୍ତମାନଙ୍କ ସମାଗମ ହୋଇଥାଏ । ଉଠା ଦୋକାନିମାନଙ୍କର ପ୍ରବଳ ଭିଡ଼ ମଧ୍ୟ ଲାଗିଥାଏ । ଓଡ଼ିଶାରେ ଏହି ପୀଠଟି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ଏହାର କୌଣସି ନିୟମିତ ଆୟ ନଥିବାରୁ ଗ୍ରାମବାସୀ ମାନଙ୍କ ସହାୟତା ଓ ହୁଣ୍ଡିରୁ ଆୟୋଜିତ ଅର୍ଥରୁ ମେଳା ଆୟୋଜିତ ଖର୍ଚ୍ଚ ତୁଲାଇବା କଷ୍ଟସାଧ୍ୟ ହୋଇଥାଏ । ପ୍ରସିଦ୍ଧ ଲାଭ କରିଥିବା ଏହି ମେଳା ପାଇଁ ଏଠାରେ କୈାଣସି ଭିତ୍ତି ଭୂମି ନଥିବା ବେଳେ ଏଠାରେ ଯାତ୍ରୀ ବିଶ୍ରାମାଗାର,ଶୌଚାଳୟ ଆଦିର ବ୍ୟବସ୍ଥା କରାଯିବା ସହ ଅଧପନ୍ତରିଆ କଲ୍ୟାଣମଣ୍ଡପ ଓ ପୀଠ ଟିର ଉନ୍ନୟନ ମୂଳକ କାର୍ଯ୍ୟ(ଅସମ୍ପୂର୍ଣ୍ଣ) ସମ୍ପୂର୍ଣ୍ଣ କରାଯାଇ ପାରିଲେ ପୀଠଟି ଏକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦାମାନଙ୍କ ସହ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Photo3