ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍କୁ ଝଟକା ଲାଗିଛି । ଉପ ରାଜ୍ୟପାଳ ଭିକେ ସକସେନା ଦିଲ୍ଲୀ ମଦ ଦୁର୍ନୀତି ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ଇଡିକୁ ଅନୁମତି ଦେଇଛନ୍ତି । ଏହି ମାମଲାରେ କେଜ୍ରିୱାଲ ମାଷ୍ଟରମାଇଣ୍ଡ ଥିଲେ ବୋଲି ଇଡି କହିଥିଲା ।
କେଜ୍ରିୱାଲଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ଇଡି ଡିସେମ୍ବର ୫ ତାରିଖରେ ଦିଲ୍ଲୀର ମୁଖ୍ୟ ସଚିବ ଓ ମୁଖ୍ୟ ସତର୍କତା ଅଧିକାରୀଙ୍କୁ ଏକ ଚିଠି ଲେଖିଥିଲା । ଏହି ଚିଠି ଜବାବରେ ଦିଲ୍ଲୀର ଉପ ରାଜ୍ୟପାଳ ଇଡିକୁ ଅନୁମତି ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ଙ୍କୁ ପ୍ରଥମେ ୨୦୨୪ ମସିହା ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା । ଜୁନ୍ ୨୬ ରେ ସେ ଇଡି ହେପାଜତରେ ଥିବାବେଳେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଜୁଲାଇ ୧୨ ତାରିଖରେ କେଜ୍ରିୱାଲଙ୍କୁ ଇଡି ମାମଲାରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ତେବେ ସିବିଆଇ ଗିରଫଦାରୀ ହେତୁ ସେ ତିହାର ଜେଲରେ ରହିଥିଲେ । ତାପରେ ତାଙ୍କୁ ପରବର୍ତ୍ତୀ ସମୟରେ ଜାମିନ ମିଳିଥିଲା ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ଯୋଜନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ କେଜ୍ରିୱାଲ । ତେବେ ନିର୍ବାଚନ ଜିତିଲେ ଏହି ରାଶିକୁ ବଢ଼ାଇ ୨୧୦୦ ଟଙ୍କା କରିଦିଆଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି ।